ନାରାୟଣପାଟଣା,୧୩ା୧(ଡି.ଏନ.ଏ.): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ପେଦାଲୋଡା ଗ୍ରାମର ୫ ଜଣ ବ୍ୟକ୍ତି ଦଣ୍ଡାସି ହବିକା (୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରି ପୋତି ଦେଇଥିବା ସ୍ଥାନରୁ ଶୁକ୍ରବାର ମୃତଦେହ ଜବତ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି ରଖିଥିଲା। ମୃତଦେହ ପୋତା ହୋଇଥିବା ସ୍ଥାନ ଚିହ୍ନଟ ପରେ ମଧ୍ୟାହ୍ନ ୩ଟାରେ ଏସ୍ଡିପିଓ ଅସପିନ ନାୟକ, ଆଇଆଇସି ରଘୁନାଥ ମାଝୀ, ନାରାୟଣପାଟଣା ଏସଆଇ ବିଜୟ ମୁର୍ମୁ, ବିଡ଼ିଓ ଆକାଶ ପଟ୍ଟନାୟକଙ୍କ ଉପସ୍ଥିତିରେ ହବିକାଙ୍କୁ ପୋତି ଦେଇଥିବା ସ୍ଥାନକୁ ଖୋଳା ଯାଇ ମୃତଦେହ ଜବତ କରାଯାଇଥିଲା। ହବିକାଙ୍କ ସ୍ତ୍ରୀ ସୀତା ହବିକା, ଝିଅ ରୀତା, ଗୀତା, ମିତା, ସୀତାଇ ଓ ଜ୍ୟୋତି ମୃତଦେହକୁ ଚିହ୍ନଟ କରିବା ପରେ ସ୍ଥାନୀୟ ଦୁଇ ଜଣ ଡାକ୍ତରଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଏହି ହତ୍ୟା ଘଟଣାରେ ଗ୍ରାମର ୫ ଜଣ ଦୁଗାନା କାଡ୍ରାକା, ନାରୁ କାଡ୍ରାକା, ଆଇପା କାଡ୍ରାକା, ଧାର୍ମେୟା କାଡ୍ରାକା ଓ ମାଲେୟା କାଡ୍ରାକାଙ୍କ ସମ୍ପୃକ୍ତି ରହିଛି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୋଲିସ ପୂର୍ବରୁ ଗିରଫ କରିଛି। ଅନ୍ୟ ୩ ଜଣ ଫେରାର ଅଛନ୍ତି।