ସ୍ତ୍ରୀଙ୍କୁ ବଳି ଦେଲେ ସ୍ବାମୀ, ଶ୍ମଶାନରୁ ମୃତଦେହ ଜବତ କଲା ପୋଲିସ

ଲୋଇସିଂହା,୨୧ା୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଚମାରପଡ଼ାର ଜଣେ ତନ୍ତ୍ର ସାଧକ ମକାରୁ ମେହେର (୪୦) ତାଙ୍କ ସ୍ତ୍ରୀ ଜାନକୀ (୩୫)ଙ୍କୁ ବଳି ଦେଇଥିବା ଅଭିଯୋଗ ହୋଇଛି। ମୃତଦେହ ପଚି ବନ୍ଧ ଘରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ଏହା ସୋମବାର ଜାଣିବାକୁ ପାଇଥିଲେ। ମୃତା ମହିଳାଙ୍କ ଭାଇ ଅର୍ଜୁନ ରାଉତ ଓ ଗୋପାଳ ରାଉତଙ୍କଠାରୁ ଲିଖିତ ଅଭିଯୋଗ ପାଇ ଲୋଇସିଂହା ପୋଲିସ ମୃତଦେହ କୁଶଙ୍ଗାଇ ଜୋର ଶ୍ମଶାନ ଘାଟରୁ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ ଆଣ୍ଡ୍‌ ହସ୍ପିଟାଲକୁ ପଠାଇଛି।

ପୋଲିସ ସୂଚନାନୁଯାୟୀ, ସୁବର୍ଣ୍ଣପୁର ଜିଲା ସୋନପୁର ସହରର ଚମାରପଡ଼ାର ସ୍ବର୍ଗତା ମା ବାସନ୍ତୀ ରାଉତ ଓ ସ୍ବର୍ଗତ ବାପା ବିଦ୍ୟାଧର ରାଉତଙ୍କ ଝିଅ ଜାନକୀ ଲୋଇସିଂହା ଚମାରପଡ଼ାର ମକାରୁ ମେହେରଙ୍କୁ ୨୦୧୦ରେ ବିବାହ କରିଥିଲେ। ଇତିମଧ୍ୟରେ ତାଙ୍କ ୮ ବର୍ଷର ପୁଅ ଅଛି। ପୁଅକୁ ଦୂରେ ରଖି ମକାରୁ ସ୍ତ୍ରୀ ଜାନକୀଙ୍କୁ ଏକ ଘରେ ବନ୍ଦ ରଖି ପୂଜାପଦ୍ଧତି ତଥା ତନ୍ତ୍ରମନ୍ତ୍ରରେ ଲିପ୍ତ ରହିଥିଲେ। ଦୀର୍ଘ ୨ ବର୍ଷ ହେଲା ଏପରି କାର୍ଯ୍ୟ କରି ଆସୁଥିଲେ। ଗତ କିଛିଦିନ ହେଲା ଜାନକୀଙ୍କ ସ୍ନାନଶୌଚ ପାଇ ନ ବାହାରିବା ଏବଂ ସେହି ବନ୍ଦ ଘରୁ ପଚା ଦୁର୍ଗନ୍ଧ ବାହାରୁଥିବା ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ। ଏନେଇ ମକାରୁଙ୍କ ପରିବାର ସଦସ୍ୟଙ୍କୁ ସ୍ଥାନୀୟ ଲୋକେ ଜଣାଇବା ପରେ ସେହି ଘର କବାଟ ଖୋଲାଯାଇଥିଲା। ଘର ଭିତର ଦୃଶ୍ୟ ଦେଖି ଲୋକେ ହତବାକ ହୋଇ ଯାଇଥିଲେ। ଜାନକୀଙ୍କ ମୃତଦେହ ଫୁଲି ପଚି ସଢ଼ି ଯାଇଥିବା ବେଳେ ସେହି ନିକଟରେ ମକାରୁ ବସି ରହିଥିଲେ। ଏହାପରେ ମକାରୁଙ୍କ ପରିବାର ଲୋକେ ଜାନକୀଙ୍କ ବାପଘର ଲୋକଙ୍କୁ ମୃତ୍ୟୁ ସମ୍ପର୍କରେ ସୋମବାର ସକାଳେ ସୂଚନା ଦେଇଥିଲେ। ଭଉଣୀଙ୍କ ମୃତ୍ୟୁ ଖବର ପାଇ ବଡ଼ଭାଇ ଓ ସମ୍ପକୀୟମାନେ ଲୋଇସିଂହାରେ ପହଞ୍ଚିଥିଲେ। ଏହି ସମୟରେ ଶାଶୁଘର ଲୋକେ ଏକ ଡାଲା ଗାଡ଼ିରେ ମୃତଦେହ ଲଦି ଶ୍ମଶାନକୁ ନେଇ ଯାଉଥିବା ସେମାନେ ଦେଖିବାକୁ ପାଇଥିଲେ। ମୃତଦେହ ଦେଖିବାକୁ କହିବାରୁ ନ ଅଟକାଇ ଶ୍ମଶାନ ନେଇ ପଲାଇଥିଲେ। ଏହାପରେ ଜାନକୀଙ୍କ ବାପଘର ଲୋକେ ଲୋଇସିଂହା ଥାନାକୁ ଯାଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଆଇଆଇସି ଯାଜ୍ଞସିନୀ ନାୟକ ଓ କର୍ମଚାରୀମାନେ ଶ୍ମଶାନରେ ପହତ୍ଥିଲେ। ପରେ ସାଇିଫିକ ଟିମ୍‌ ପହଞ୍ଚି ଅଧିକ ତଦନ୍ତ ଚଲାଇଛନ୍ତି। ମୃତା ଜାନକୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କୋଭିଡ୍‌ ପୂର୍ବରୁ ମକାରୁ ପ୍ୟାଣ୍ଟ-ଶର୍ଟ ପିନ୍ଧୁଥିଲେ। ପରେ ଦାଢ଼ି କେଶ ଧରି କଳାବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା କରୁଥିଲେ। ଜାନକୀଙ୍କୁ ମଧ୍ୟ ସେହି ପୂଜା ଘରେ ବନ୍ଦ କରି ରଖୁଥିଲେ। ପୁଅଠାରୁ ମଧ୍ୟ ଦୂରେଇ ରଖୁଥିଲେ। ସ୍ବାସ୍ଥ୍ୟ କେମିତି ଅଛି କହିଲେ ଭଲ ଅଛି କହୁଥିଲେ। ଶାଶୁଘର ଲୋକେ ମିଳିମିଶି ମାରି ଦେଇଛନ୍ତି ବୋଲି ଜାନକୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ କେସ୍‌ ନଂ ୧୮୨/୨୩ରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲା ବିବାଦୀୟ ରହିଛି ଅଧିକ ତଦନ୍ତ ଚାଲିଥିବା ଆଇଆଇସି ନାୟକ କହିଛନ୍ତି।