ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ କାର୍ଯ୍ୟ ଜାରୀ ରଖିଛି। ଏପରିସ୍ଥଳେ ରବିବାର ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ଗ୍ରାମ ପଞ୍ଚାୟତର ବରିକିଆ ଗାଁରେ ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇ ବାଲିଗୁଡ଼ା ଏସଡିପିଓ ରାହୁଲ ଗୋୟଲ ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଗଞ୍ଜେଇ ଜବତ କରି ଆସିଥିବାବେଳେ ଗ୍ରାମବାସୀମାନେ ସଂଘବଦ୍ଧ ଭାବରେ ପ୍ରତିବାଦ କରି ଗଞ୍ଜେଇ ଲୋଡ ଗାଡ଼ି ଓ ପୋଲିସ ଗାଡ଼ିକୁ ଛାଡି ନ ଥିଲେ। ଭୋର ଚାରିଟାରୁ ସକାଳ ଯାଏ ଦୀର୍ଘ ଚାରିଘଣ୍ଟା ଧରି ଖଣ୍ଡଯୁଦ୍ଧ ହୋଇଥଲା। ପୋଲିସ ବିନା ସର୍ଚ୍ଚ ୱାରେଣ୍ଟରେ ମାଜିଷ୍ଟ୍ରେଟଙ୍କ ଅନୁପସ୍ଥିତିରେ ଘର ଘର ପଶି ଗଞ୍ଜେଇ ଜବତ କରୁଛି ଏବଂ ଗଞ୍ଜେଇ ଜବତ ବେଳେ ସୁନା ରୁପା ଟଙ୍କା ଜବରଦସ୍ତ ନେଇ ଆସିଥିବା ବିଷୟ ବରିକିଆ ଗ୍ରାମର ୱାର୍ଡ଼ ମେମ୍ବର ଝୁନୁ ମଲିକଙ୍କ ସମେତ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ବରିକିଆ ଗ୍ରାମବାସୀ ପୁରୁଷ ମହିଳା ଗଞ୍ଜେଇ ଭର୍ତ୍ତି ପୋଲିସ ଗାଡ଼ିକୁ ଛାଡି ନ ଥିଲେ।
ଶେଷରେ ବାଧ୍ୟ ହୋଇ ପୋଲିସ ଜବତ କରିଥିବା ଚାରି ଶହ କେଜିରୁ ଉଦ୍ଧର୍ବ ଗଞ୍ଜେଇକୁ ଘଟଣସ୍ଥଳରେ ହିଁ ପୋଡି ଦେଇଥିବା ଦେଖିବାକୁ ମିଳିଛି। ଏନେଇ ବାଲିଗୁଡ଼ା ଥାନା ପୋଲିସ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି । ବାଲିଗୁଡା ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତା କୁଆଡ଼େ ପୋଲିସକୁ କହି ଗାଁରୁ ଗଞ୍ଜେଇ ଜବତ ପାଇଁ ପଠେଇ ଥିବା କହିଛନ୍ତି ଗ୍ରାମବାସୀ। ପୋଲିସ କୁଆଡ଼େ ଗ୍ରାମବାସୀଙ୍କୁ କହିଛି, ବାଲିଗୁଡ଼ାର ଜୈନକ ନେତାଙ୍କ ଇଙ୍ଗିତରେ ଗଞ୍ଜେଇ ଚଢ଼ାଉ ହେଉଛି ବୋଲି କିନ୍ତୁ ଏକଥାକୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତା ଅସ୍ବୀକାର କରିଛନ୍ତି।