ଆଜିଠୁ ପୋଲିସ ନେବେ କରୋନା ଟିକା

ଭୁବନେଶ୍ୱର,୬।୨(ବ୍ୟୁରୋ): କରୋନା ଲଢେଇରେ ନିଜ ଜୀବନକୁ ବାଜି ଲଗାଇ ଆଗ ଧାଡିର ଯୋଦ୍ଧା ସାଜିଥିବା ପୋଲିସଙ୍କୁ ଟିକାକରଣରେ ସାମିଲ କରାଯାଇଛି। ରାଜ୍ୟରେ କାର୍ଯ୍ୟରତ ସମସ୍ତ ପୋଲିସ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ। ଶନିବାର ସକାଳ ୯ଟାରେ କଟକ ନେତାଜୀ ଇନ୍‌ଡୋର ଷ୍ଟାଡିୟମ ଟିକା ଗ୍ରହଣ କେନ୍ଦ୍ରରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ପ୍ରଥମେ ଟିକା ନେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ପରେ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀମାନେ କରୋନା ଟିକା ନେବେ। ଏ ନେଇ ଶୁକ୍ରବାର ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କଟକ-ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି। ତେବେ ଭୁବନେଶ୍ୱର ରିଜର୍ଭ ପୋଲିସ ଲାଇନ ହସ୍ପିଟାଲ, ସପ୍ତମ ବାଟାଲିଅନ ହସ୍ପିଟାଲ ଓ ସିପି ଅଫିସ୍‌ ପରିସରରେ କରୋନା ଟିକା ଦିଆଯିବ। ପୋଲିସ କମିଶନର ଅଫିସ, ଡିସିପି ଅଫିସ, ସପ୍ତମ ବାଟାଲିଅନ, ଏସ୍‌ଏସ୍‌ ବାଟାଲିଅନ, ରାଜ୍ୟ ଗୋଇନ୍ଦା ବିଭାଗ, ଏସ୍‌ଓଜି, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଆଦି ୧୯ ପ୍ରତିଷ୍ଠାନର ମୋଟ ୮୯୩୭ କର୍ମଚାରୀଙ୍କୁ ଟିକା ଦିଆଯିବ। ସେହିପରି କଟକରେ ନେତାଜୀ ଇନ୍‌ଡୋର୍‌ ଷ୍ଟାଡିୟମକୁ ଟିକା ଗ୍ରହଣ କେନ୍ଦ୍ର କରାଯାଇଛି। ରାଜ୍ୟ ପୋଲିସ ସଦର ମହକୁମା, ଡିସିପି କଟକ, କ୍ରାଇମବ୍ରାଞ୍ଚ, ଦୁର୍ନୀତି ନିବାରଣ ବିଭାଗ, ହୋମ୍‌ ଗାର୍ଡ଼, ଫାୟାର ସର୍ଭିସେସ୍‌, ଷଷ୍ଠ ବାଟାଲିଅନ ଆଦି ୧୧ଟି ପ୍ରତିଷ୍ଠାନର ୬୮୬୭ ପୋଲିସ କର୍ମଚାରୀ ଓ ହୋମ୍‌ ଗାର୍ଡଙ୍କୁ ଟିକା ଦିଆଯିବ ବୋଲି କମିଶନର ଷଡଙ୍ଗୀ ସୂଚନା ଦେଇଛନ୍ତି।

Share