ଭୋଗରାଇ,୫ା(ପ୍ରଦୀପ ଦାସ): ବର୍ଷ ଆରମ୍ଭରୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଏଥି ନିମନ୍ତେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପୁରୁଣା ଦୀଘାଠାରୁ ଓଡ଼ିଶା ସୀମାନ୍ତ ଉଦୟପୁର ପର୍ଯ୍ୟନ୍ତ ପୋଲିସ ପାଟ୍ରୋଲିଂ ବୋଟ୍ ପ୍ରଶାସନ ପକ୍ଷରୁ ନିୟୋଜନ କରାଯାଇଛି। ପୋଲିସ ବୋଟ୍ ଶନିବାର ପାଟ୍ରୋଲିଂ କରୁଥିବା ବେଳେ ହଠାତ ଭାରସାମ୍ୟ ହରାଇ କର୍ମଚାରୀ ଜଣଙ୍କ ବୋଟ୍ରୁ ସମୁଦ୍ରକୁ ଖସି ପଡ଼ିଥିଲେ। ଅନ୍ୟ ସ୍ପିଡ୍ ବୋଟରେ ଖସି ପଡ଼ିଥିବା ପୋଲିସ କର୍ମଚାରୀଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଦୀଘା ଜେନାରାଲ ହସ୍ପିଟାଲରେ ଚିକିତ୍ସା କରାଯାଉଥିବାର ସୂଚନା ମିଳିଛି।
ସ୍ପିଡ୍ ବୋଟ୍ଟି କ୍ଷୀପ୍ରଗତିରେ ସମୁଦ୍ରରେ ଚାଲୁ ରହିଥିଲା। ପ୍ରାୟ ୧ ଘଣ୍ଟା ହେବ ବୋଟ୍ଟି ଏକା ଏକା ସମୁଦ୍ରରେ ବୁଲୁଥିବା ବେଳେ ବୋଟ୍ଟିକୁ ଆୟତ୍ତ କରିବା ପାଇଁ ପୋଲିସର ଅନ୍ୟ ବୋଟ୍ଗୁଡିକୁ ନାକେଦମ ହେବାକୁ ପଡ଼ିଥିଲା। ପର୍ଯ୍ୟଟକମାନେ ଭାବୁଥିଲେ ସମୁଦ୍ରରେ ଫିଲ୍ମ ଶୁଟିଂ ହେଉଛି। ପରେ ସମୁଦ୍ରରେ ସ୍ପିଡ୍ ବୋଟ୍ ସାଇରନ ବାଜିବାରୁ ପର୍ଯ୍ୟଟକମାନେ ଭୟଭୀତ ହୋଇ ପଡ଼ିଥିଲେ।