ବ୍ରହ୍ମପୁର ଅଫିସ,୨୮।୩: ଗଞ୍ଜାମ ଜିଲାର ଗୁରୁତ୍ୱପୂର୍ଣ୍ଣ ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)ର ଚଳିତ ପୌର ନିର୍ବାଚନରେ ଖାତା ଖୋଲିଛି ଭାଜପା। ୨୦୧୩ ନିର୍ବାଚନରେ ଜଣେ ବି କର୍ପୋରେଟର ଜିତିନଥିବା ବେଳେ ଏଥର ୭ ଜଣ ନିର୍ବାଚିତ ହୋଇଛନ୍ତି। ଅପରପକ୍ଷରେ ରେଶମ ନଗରୀରେ ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ଦାରୁଣ ବିପର୍ଯ୍ୟୟ ଘଟିଛି। ଗତ ନିର୍ବାଚନରେ ହାତ ଚିହ୍ନରୁ ୧୫ ଜଣ ଜିତିଥିବା ବେଳେ ଏଥର ମାତ୍ର ଜଣେ ନିର୍ବାଚିତ ହୋଇ ବଂଶରକ୍ଷା କରିଛନ୍ତି। ୨୦୧୩ ନିର୍ବାଚନରେ ବିଏମ୍ସିକୁ ମାତ୍ର ଜଣେ ସ୍ବାଧୀନ କର୍ପୋରେଟର ଜିତିଥିବା ବେଳେ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ସେହିପରି ଶାସକ ବିଜେଡି କର୍ପୋରେଟରଙ୍କ ସଂଖ୍ୟା ଗତଥର ଅପେକ୍ଷା ବଢ଼ିଛି। ଗତ ନିର୍ବାଚନରେ ୨୪ ଥିବା ବେଳେ ଚଳିତ ନିର୍ବାଚନରେ ୩୦ ଜିତିଛନ୍ତି। ୨୦୧୩ ନିର୍ବାଚନରେ ୱାର୍ଡ ସଂଖ୍ୟା ୪୦ ଥିଲା। ପୁନର୍ଗଠନ ପ୍ରକ୍ରିୟାରେ ୪୨କୁ ବଢ଼ିଥିଲା।
କଂଗ୍ରେସରୁ ମାତ୍ର ଜଣେ କର୍ପୋରେଟର ଜିତିବା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ନେତୃତ୍ୱ ସଙ୍କଟ ଓ ଗୋଷ୍ଠୀ କନ୍ଦଳ ଏହାର କାରଣ ହୋଇଛି। ୪୨ ୱାର୍ଡ ମଧ୍ୟରୁ ୧୭ଟିରେ ପ୍ରାର୍ଥୀ ମିଳିନଥିଲେ ଏବଂ ଯେଉଁ ୨୫ ଜଣଙ୍କୁ ପ୍ରାର୍ଥୀ କରାଯାଇଥିଲା, ସେମାନେ ଠିକଣା ଭାବରେ ଲଢ଼ିନଥିବା ବିଭିନ୍ନ ମହଲରେ ଆଲୋଚନା ପରିସରକୁ ଆସିଛି। ଅନ୍ୟପକ୍ଷରେ ଗତ ନିର୍ବାଚନ ବେଳେ ଯେଉଁ ନେତାମାନେ କଂଗ୍ରେସରେ ଥିଲେ, ସେମାନଙ୍କ ମଧ୍ୟରୁ ବଡ଼ ଚେହେରାମାନେ ବିଜେଡିକୁ ଚାଲିଗଲେ। ଆଉ ଯେତେକ ଅଛନ୍ତି, ସେମାନେ ଦୂରେଇ ରହିଛନ୍ତି। ସେମାନଙ୍କୁ ଜିଲା ନେତୃତ୍ୱ ଡାକୁନାହାନ୍ତି, ସେମାନେ ମଧ୍ୟ ଆସୁନାହାନ୍ତି। ପୌର ନିର୍ବାଚନରେ ଦେଖାଦେଇଥିବା ଦୁର୍ଦ୍ଦଶା ନେଇ ପ୍ରତିକ୍ରିୟାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜିଲା ସଭାପତି ପୀତବାସ ପଣ୍ଡା କହିଛନ୍ତି, ସମନ୍ବୟ ରକ୍ଷା କରାଯାଇନଥିବାରୁ ଲଜ୍ଜାଜନକ ସ୍ଥିତି ଉପୁଜିଛି। ଅପରପକ୍ଷରେ ଭାଜପା ମହାନଗରରେ ସାଙ୍ଗଠନିକ ଶକ୍ତି ବୃଦ୍ଧି କରୁଥିବା ପୌର ନିର୍ବାଚନରୁ ସ୍ପଷ୍ଟ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଦୁର୍ବଳ ବିଧାୟକ ପ୍ରାର୍ଥୀଙ୍କ ସୁଯୋଗରେ ଭାଜପା ପ୍ରାର୍ଥୀ ୩୨ ହଜାରରୁ ଅଧିକ ଭୋଟ ପାଇଥିଲେ। ସେବେଠାରୁ ଭାଜପା ମହାନଗର ରାଜନୀତିରେ ଦ୍ୱିତୀୟ ସ୍ଥାନକୁ ଉଠିଛି। ଚଳିତ ପୌର ନିର୍ବାଚନରେ ଶକ୍ତି ପ୍ରଦର୍ଶନ କରିଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାଜପା ରଣନୀତି ଏବେଠୁ ପ୍ରସ୍ତୁତ କରୁଛି। ତେଣୁ ଆଗାମୀ ଦିନରେ ଜିଲାର ବଡ଼ ସହର ବ୍ରହ୍ମପୁରରେ କଂଗ୍ରେସକୁ ମାତ୍ ଦେଇ ଶଙ୍ଖକୁ କଡ଼ା ଟକ୍କର ପଦ୍ମ ହିଁ ଦେବାର ସମ୍ଭାବନା ସୃଷ୍ଟି ହୋଇଛି।