Categories: ଜାତୀୟ

ଭୂମି ପୂଜନ ଅବସରରେ ଗୀତ ଗାଇଲେ ଏହି ରାଜନେତା

ମୁମ୍ବାଇ,୫।୮: ଉତ୍ତରପ୍ରଦେଶ ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିବା ସହ ଶିଳାନ୍ୟାସ କରିଛନ୍ତି। କରୋନା ଯୋଗୁ ଏହି ଅବସରରେ କେବଳ ଅଳ୍ପସଂଖ୍ୟକ ଅତିଥି ହିଁ ଯୋଗଦେଇପାରିଥିଲେ। ତେଣୁ ଭୂମି ପୂଜନରେ ସାମିଲ ହୋଇପାରି ନ ଥିବା ରାମଭକ୍ତ ଓ କେତେକ ନେତା ମନ୍ତ୍ରୀ ନିଜ ନିଜ ସ୍ଥାନରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କ୍ରମରେ ମୁମ୍ବାଇ ଭାଜପା କାର୍ଯ୍ୟାଳୟରେ ବି ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ଦଳର କର୍ମକର୍ତ୍ତାଙ୍କ ସମେତ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ମଧ୍ୟ ସାମିଲ ହୋଇଥିଲେ। ଅଯୋଧ୍ୟାରେ ଯେତେବେଳେ ଭୂମିପୂଜନ ଅନୁଷ୍ଠିତ ହେଉଥିଲା ସେତେବେଳେ ମୁମ୍ବାଇ ଭାଜପା କାର୍ଯ୍ୟାଳୟରେ ମଧ୍ୟ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଭାଜପା କାର୍ଯ୍ୟାଳୟରେ ଭଜନ ଓ କୀର୍ତ୍ତନର ଆସର ଜମିଥିବା ବେଳେ ଏହି ଅବସରରେ ଫଡନଭୀସ ରାମଙ୍କ ପ୍ରତି ନିଜର ଶ୍ରଦ୍ଧା ପ୍ରକଟ କରି ଭକ୍ତିପୂର୍ଣ୍ଣ ଗୀତ ଗାଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share