ମାଗଣାର ରାଜନୀତି

କିଛିଦିନ ତଳେ ଶ୍ରୀଲଙ୍କାରେ ଯେଉଁ ଅରାଜକତା ସୃଷ୍ଟି ହୋଇଥିଲା ତା’ର ମୁଖ୍ୟ କାରଣ ଥିଲା ଘୋର ଆର୍ଥିକ ବିପର୍ଯ୍ୟୟ, ଯାହାପାଇଁ ସେ ଦେଶର ରାଜନୈତିକ ଅବିମୃଶ୍ୟକାରିତା ହିଁ ଦାୟୀ ଥିଲା। ଶସ୍ତା ଲୋକପ୍ରିୟତା ହାସଲ ପାଇଁ କ୍ଷମତାସୀନ ଦଳ ଦେଶରେ ପ୍ରଚଳିତ ବିଭିନ୍ନ କର, ଶୁଳ୍କ, ଲେଭି, ଟିକସ ଇତ୍ୟାଦିରେ ବର୍ଷ ବର୍ଷ ଧରି ରିହାତି ବା ଛାଡ଼ ଘୋଷଣା କରି ଚାଲିଥିଲେ, ଯାହାଫଳରେ ଦେଶର ଜାତୀୟ ଆୟ ତୁଳନାରେ ବ୍ୟୟଭାର ଲଗାତର ବଢ଼ି ଚାଲିଥିଲା। ତା’ଛଡା ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଦିଆଯାଉଥିବା ନାନା ପ୍ରକାର ମାଗଣା ଉପହାର(ଫ୍ରିବି) ପରିସ୍ଥିତିକୁ ଆହୁରି ଜଟିଳ କରିଦେଲା। ଏ ସବୁର ସମ୍ମିଳିତ ପ୍ରଭାବରେ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଲା ଏବଂ ସରକାର ନିଜର ପ୍ରତିଶ୍ରୁତିକୁ ରକ୍ଷା କରିବାକୁ ଅସମର୍ଥ ହୋଇ ପଡ଼ିଲେ। ଫଳରେ ଆଭ୍ୟନ୍ତରୀଣ ଓ ବାହ୍ୟ ଉଭୟ କ୍ଷେତ୍ରରେ ଦେଶର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇ ପଡ଼ିଲା, ଯାହାର ପରିଣତି ସାରା ବିଶ୍ବ ଜାଣିଲା।
ଦ୍ୱୀପ ରାଷ୍ଟ୍ରର ଏଭଳି ଦୁଃସ୍ଥିତି ଆମ ଦେଶ ପାଇଁ ଏକ ପରୋକ୍ଷ ସତର୍କବାଣୀ। କାରଣ ଆମ ଦେଶର ବିଶେଷ କରି ଦାକ୍ଷିଣାତ୍ୟର ରାଜନୈତିକ ପାଣିପାଗ କିଛି ମାତ୍ରାରେ ଶ୍ରୀଲଙ୍କା ସହିତ ସଂଶ୍ଳିଷ୍ଟ। ଏହାର ଏକ ଉଦାହରଣ ହେଲା ମାଗଣା ସଂସ୍କୃତି(ଫ୍ରୀବି କଲଚର) ଯାହା ଭୋଟର୍‌ ତୁଷ୍ଟୀକରଣ ନୀତିର ଏକ ନଗ୍ନ ରୂପରେଖ। ଏହି ନୀତି ଶ୍ରୀଲଙ୍କାରୁ ତା’ର ନିକଟତମ ରାଜ୍ୟ ତାମିଲନାଡୁକୁ ଆସି ଏବେ ସାରା ଭାରତରେ ବ୍ୟାପିଗଲାଣି। ଭୋଟ ପାଇବା ପାଇଁ ହେଉ କିମ୍ବା କ୍ଷମତାରେ ରହିବା ପାଇଁ ହେଉ ଏଭଳି କୌଶଳକୁ ପ୍ରାୟ ସବୁ ରାଜନୈତିକ ଦଳ ଆପଣେଇ ନେଲେଣି। ଭୋଟରମାନଙ୍କୁ ପ୍ରଲୁବ୍ଧ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଶେଷରେ ଭୋଟକୁ ଏକ ପଣ୍ୟ ସାମଗ୍ରୀରେ ପରିଣତ କରିଦେଲାଣି। ଏ ହାତରେ ଦିଅ, ସେ ହାତରେ ନିଅ ଏହା ହିଁ ଆଜିର ଭୋଟ ନୀତି। ଫଳରେ ମାଗଣାରେ ଜଳ ଓ ବିଦ୍ୟୁତ୍‌ ଯୋଗାଣ ଏବଂ ବେକାରି ଭତ୍ତାଠାରୁ ଋଣଛାଡ଼,ସବ୍‌ସିଡି, ଅନୁଦାନ, ଟିକସ ରିହାତି ତଥା ବିନା ମୂଲ୍ୟରେ ଖାଦ୍ୟ ଶସ୍ୟ ପ୍ରଦାନ ଯାଏ ଏବଂ ନାମମାତ୍ର ମୂଲ୍ୟରେ ଆମ୍ମା କ୍ୟାଣ୍ଟିନ,ଇନ୍ଦିରା କ୍ୟାଣ୍ଟିନ, ଜନ ଆହାର ଯୋଜନା, ଆହାର କେନ୍ଦ୍ର ଇତ୍ୟାଦି ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଣଠାରୁ ଲାପ୍‌ଟପ,ସାଇକେଲ,କମ୍ପ୍ୟୁଟର,ସ୍ମାର୍ଟଫୋନ,ଟିଭି, ଫ୍ରିଜ୍‌, ଗ୍ୟାସ୍‌ ଷ୍ଟୋଭ, ଅଳଙ୍କାର,ସିଲେଇ ମେଶିନ,ଶାଢ଼ି,ଧୋତି ଆଦି ସୌଖୀନ ପଦାର୍ଥ ଯାଏ ମାଗଣା ଉପଢୌକନ ବଣ୍ଟନର ଅନ୍ତ ନାହିଁ।
ଏଭଳି ଚିନ୍ତାଧାରାର ସପକ୍ଷବାଦୀମାନଙ୍କର ଯୁକ୍ତିହେଲା, ଏହି ବ୍ୟବସ୍ଥା ଦ୍ବାରା ଅନେକ ବଞ୍ଚିତ ଲୋକ ଉପକୃତ ହୁଅନ୍ତି, ଯାହା ଏକ ଜନମଙ୍ଗଳକାରୀ ରାଷ୍ଟ୍ରର ନିଦର୍ଶନ। ଏ ସବୁ ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଶ୍ରମଶକ୍ତିକୁ (ୱାର୍କ ଫୋର୍ସ) ଉଜ୍ଜୀବିତ କରି ରଖାଯାଉଛି। ଏହା ଛଡ଼ା ଉଲ୍ଲିଖିତ ଉତ୍ପାଦଗୁଡ଼ିକର ନିର୍ମାତାମାନଙ୍କୁ ବିପଣନରେ ସହାୟତା କରାଯାଉଛି, ଯାହା ଶିଳ୍ପାୟନର ଅଂଶ ବିଶେଷ। କିନ୍ତୁ ଏଭଳି ଭାବଧାରା ଦୂରଦୃଷ୍ଟିବିହୀନ ଓ ଆଦର୍ଶ ଅର୍ଥନୀତିର ପରିପନ୍ଥୀ। ଏହାଦ୍ବାରା ସୃଷ୍ଟି ହେଉଥିବା ପୌନଃପୁନିକ କ୍ଷତି ଶେଷରେ ଯେ ନିୟନ୍ତ୍ରଣ ବାହାରକୁ ଚାଲିଯିବ ଏପରି ଆଶଙ୍କା ଉପୁଜିଲାଣି। ଏଥିପାଇଁ ଚାଲିଥିବା ପ୍ରତିଯୋଗିତାକୁ ଏଡେଇ ନ ପାରି ଛୋଟ ଛୋଟ ରାଜ୍ୟ ଋଣ କରିବାକୁ ବାଧ୍ୟ ହେଉଛନ୍ତି। ଏହା ଆର୍ଥିକ ଦାୟିତ୍ୱବୋଧ ଓ ବଜେଟ ପରିଚାଳନା ଆଇନ (ଏଫ୍‌ ଆର୍‌ବିଏମ୍‌)ରେ ନିହିତ ଶୃଙ୍ଖଳାର ବିରୁଦ୍ଧ। ମାଗଣାରେ ମିଳୁଥିବାରୁ ଲୋକମାନେ ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ ସଂଗ୍ରହ କରି ତାକୁ ଦୁରୁପଯୋଗ ଓ ନଷ୍ଟ କରନ୍ତି। ମାଗଣାରେ ବଣ୍ଟନ ପାଇଁ ଉଦ୍ଦିଷ୍ଟ ଥିବାରୁ ଏଭଳି ଜିନିଷର ଉତ୍ପାଦକମାନେ ତା’ର ଗୁଣବତ୍ତା ଉପରେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ। କାରଣ ସେମାନେ ଜାଣିଥାନ୍ତି ଯେ ସେସବୁ ଜିନିଷର ବ୍ୟବହାରକାରୀମାନଙ୍କର ମୂଲଚାଲ କ୍ଷମତା (ବାର୍ଗେନିଂ ପାୱାର) ନ ଥାଏ ଏବଂ ମାଗଣାରେ ମିଳୁ ଥିବାରୁ ସେ ସବୁର ଗୁଣବତ୍ତା ସମ୍ପର୍କରେ କେହି ଆପତ୍ତି ଅଭିଯୋଗ କରନ୍ତି ନାହିଁ। ମାଗଣାରେ ମିଳୁ ଥିବାର ଲୋଭ ବାଟମାରଣା ପାଇଁ ସୁଯୋଗ ସୃଷ୍ଟି କରେ, ଯାହାଫଳରେ ସଂପୃକ୍ତ ବସ୍ତୁ ବେଳେ ବେଳେ ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚେ ନାହିଁ। ଥରେ ମୋଫତରେ ପାଇବାର ଧାରାରେ ପଡିଗଲେ ଲୋକମାନେ ପରାନ୍ନ ଭୋଜି,ପରିଶ୍ରମକାତର,ନିର୍ଭରଶୀଳ,ଅଳସୁଆ ଓ ଠାପୁଆ ହୋଇଯାଆନ୍ତି। ଫଳରେ ଶ୍ରମଶକ୍ତିର ଅଭାବ ଘଟେ। ସବୁଠାରୁ ବଡ଼ କଥା ହେଲା, ଏହା ଜନସାଧାରଣଙ୍କୁ ଭେଳିକି ଦେଖେଇ ଆକୃଷ୍ଟ କରେ, ଯାହାଫଳରେ ଭୋଟ୍‌ର ମୂଲ୍ୟ ରହେନାହିଁ କି ଅବାଧ ଓ ନିରପେକ୍ଷ ନିର୍ବାଚନ ସମ୍ଭବ ହୁଏନାହିଁ।
ଉଦ୍‌ବେଗର କାରଣ ହେଲା ଏବେ ସମଗ୍ର ବିଶ୍ୱର ଅର୍ଥନୀତି ନିମ୍ନଗାମୀ। ସେଥିପାଇଁ ବିଶ୍ବବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କର ସେପ୍ଟେମ୍ବର ୨୦୨୨ ରିପୋର୍ଟରେ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଆସନ୍ତା ବର୍ଷ ବିଶ୍ୱ ଅର୍ଥନୀତି ଘୋର ମାନ୍ଦାବସ୍ଥାର ସମ୍ମୁଖୀନ ହେବ, ଯାହା ବିଗତ ପଚାଶ ବର୍ଷ ମଧ୍ୟରେ ସବୁଠାରୁ ଚିନ୍ତାଜନକ। ମୁଦ୍ରାସ୍ଫୀତି କମେଇବାକୁ ହେଲେ ଉତ୍ପାଦନ ବୃଦ୍ଧି କରିବାକୁ ପଡ଼ିବ। ତା ନ ହେଲେ ବିକାଶଶୀଳ ରାଷ୍ଟ୍ର ସମୂହ ଯେଉଁ ଆର୍ଥିକ ସଙ୍କଟରେ ପଡିବେ ତାହା ଦୀର୍ଘମିଆଦୀ କ୍ଷତି ପହଞ୍ଚାଇପାରେ। ଏକ ବିକାଶଶୀଳ ରାଷ୍ଟ୍ର ଭାବରେ ଭାରତ ପ୍ରତି ଏହା ଏକ ସତର୍କବାଣୀ। ଜନସଂଖ୍ୟା ବଢ଼ିଚାଲିଛି। ତା’ ସହିତ ତାଳ ଦେଇ ମାଗଣା ଉପଭୋକ୍ତାଙ୍କ ସଂଖ୍ୟା ବି ବଢ଼ି ଅଶୀ କୋଟିକୁ ଟପିଲାଣି। ଅଥଚ ଉତ୍ପାଦନ ପରିମାଣ ଦିନକୁ ଦିନ କମି କମି ଚାଲିଛି। ଚାଷୋପଯୋଗୀ ଜମି କମିବାରେ ଲାଗିଛି। ମାଗଣା ଖାଇବାର ଅଭ୍ୟାସ ପଡ଼ିଯାଇଥିବାରୁ ଶ୍ରମିକ,ମୂଲିଆ, ହଳିଆ,ଦିନମଜୁରିଆ ମିଳୁ ନାହାନ୍ତି। ଏପରି ଅବସ୍ଥାରେ ଚାଷ ହେବ କେମିତି, କରିବ କିଏ, କାହିଁକି? ଅତଏବ ଉତ୍ପାଦନ କମିବା ନିଶ୍ଚିତ। ଏକଥା ସରକାର ବି ଜାଣି ସାରିଲେଣି। ଚଳିତ ବର୍ଷ ୩୮ ଲକ୍ଷ ହେକ୍ଟର ଜମିରେ କମ୍‌ ଚାଷ କରାଯାଇଥିବାରୁ ଖରିଫ ଫସଲର ଉତ୍ପାଦନ ୧୦ରୁ ୧୨ ଲକ୍ଷ ନିୟୁତ ଟନ କମିଯିବ ବୋଲି ଖୋଦ କେନ୍ଦ୍ର ସରକାର ସେପ୍ଟେମ୍ବର ୨୦୨୨ର ଏକ ରିପୋର୍ଟରେ ଆଶଙ୍କା ପ୍ରକାଶ କରିଛନ୍ତି । ଦେଶରେ ହେଲେ ସିନା ହେଁସରେ ପଡ଼ିବ! ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ୨୦୧୩ରେ ଦେଇଥିବା ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ତାଙ୍କ ମତରେ ବିଭିନ୍ନ ସୂତ୍ରରୁ ମିଳୁଥିବା ଆୟକୁ ମାଗଣା ଉପହାର ବା ଭେଟି ବାବଦରେ ଖର୍ଚ୍ଚ କଲେ ଦେଶ ଅଚିରେ ଦେବାଳିଆ ହୋଇଯିବ।
ଅତଏବ ପରିସ୍ଥିତିର ଗମ୍ଭୀରତା ବିଷୟରେ ଚିନ୍ତା କରିବାର ସମୟ ଉପନୀତ। ଲୋକଟିକୁ ମାଛଟିଏ ଦେଲେ ତା’ର ଦିନକର ଗରଜ ମେଣ୍ଟିଯାଏ, କିନ୍ତୁ ତାକୁ ମାଛ ଧରିବା ଶିଖେଇ ଦେଲେ ସେ ଜୀବନ ଧାରଣର ଉପାୟ ପାଇଯାଏ ।
ତେଣୁ ମାଛଟିଏ ଭଳି ମାଗଣା ଉପହାର ନ ଦେଇ ସେ ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥକୁ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କିମ୍ବା ସେମାନଙ୍କର ଆୟ ବୃଦ୍ଧି ପାଇଁ ଖର୍ଚ୍ଚ କଲେ ମାଗଣା ଦେବାର ଆବଶ୍ୟକତା ଆଉ ରହିବ ନାହିଁ।

  • ଅଲେଖ ଚନ୍ଦ୍ର ମିଶ୍ର
    ସାରଦାଶ୍ରୀ, ୯୦୪ ଶାସ୍ତ୍ରୀନଗର
    ୟୁନିଟ -୪, ଭୁବନେଶ୍ୱର
    ମୋ- ୯୪୩୮୬୭୩୮୯୮

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri