ରାଜକନିକା,୧୮ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତରାସ ପଞ୍ଚାୟତରେ ପୋଖରୀ ଖୋଳା ଯାଇ ଟ୍ରାକ୍ଟରରେ ମାଟି ବୁହା ହେଉଥିବା ଘଟଣାରେ ଗ୍ରାମବାସୀ ତହସିଲଦାର ଓ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଗୁରୁବାର ରାଜକନିକା ତହସିଲଦାର ଅଶୋକ କୁମାର ଦେହୁରୀ ଓ ବିଡିଓ ରବିନାରାୟଣ ଆଚାର୍ଯ୍ୟ ଘଟଣାସ୍ଥଳକୁ ଯାଇ ଦେଖିବା ପରେ କାମକୁ ବନ୍ଦ କରି ଦେଇଛନ୍ତି। ତହସିଲଦାର ଦେହୁରୀ କହିଛନ୍ତି, ଯେଉଁଠାରେ ପୋଖରୀ ଖୋଳା ଯାଉଥିଲା ତାହା ଗୋଜର ଜମି ହୋଇଥିବାରୁ ମାଟି ଖୋଳିବାକୁ ବନ୍ଦ କରି ଦିଆଯାଇଛି। ବେଆଇନ ଭାବେ ମାଟି ଖୋଳି ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜରିମାନା ଆଦାୟ କରାଯିବ।
ସୂଚନା ଅନୁସାରେ, ତରସ ପଞ୍ଚାୟତରେ ବିଭିନ୍ନ ସରକାରୀ କାର୍ଯ୍ୟ ବିନା ସୂଚନା ଫଳକରେ ହେଉଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ। ପଞ୍ଚାୟତ ଦ୍ୱାରା ତରାସସ୍ଥିତ ଶହୀଦ୍ ଓ ନର୍ସରୀ ପୋଖରୀକୁ ଲୋକମାନେ ଖୋଳିବା ସହ ଟ୍ରାକ୍ଟର ସହାୟତାରେ ଖୋଳା ଯାଉଥିବା ମାଟିକୁ ଅନ୍ୟତ୍ର ନେଇ ପକାଯାଇ କାମ ହେଉଛି ବୋଲି ତରସ ଗ୍ରାମବାସୀ ଅଭିଯୋଗ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ଶହୀଦ ପୋଖରୀରୁ ଅଳ୍ପ କିଛି ମାଟି ଖୋଳି ନେଲା ପରେ ଏବେ ନର୍ସରୀ ପୋଖରୀରୁ ମାଟି ଖୋଳାଯାଇ ଟ୍ରାକ୍ଟର ସାହାଯ୍ୟରେ ବୁହା ଯାଉଛି। ଏହି କାମ ପଞ୍ଚାୟତ ଦ୍ୱାରା କରାଯାଉଛି ବୋଲି ଗ୍ରାମବାସୀ କହିଛନ୍ତି। ହେଲେ କୌଣସି ସୂଚନା ଫଳକ ଲାଗି ନ ଥିବାରୁ ଏଠାରେ ଦୁର୍ନୀତି ହେଉଛି ବୋଲି ଅଭିଯୋଗ କରି ଗ୍ରାମବାସୀ ୧୪ ତାରିଖ ବିଡିଓ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଏହି କାମରେ ସମାନ୍ତର ଭାବେ ୩ଟି ସ୍ଥନରେ ଖୋଳା ଯାଇ ଟଙ୍କା ହରିଲୁଟ କରିବାକୁ ମସୁଧା କରାଯାଉଥିଲା। କାହା ଅନୁମତି ନ ନେଇ ଗୋଚର ଜମିରେ ପୋଖରୀ ଖୋଳି ମାଟି ନିଆଯାଉଥିଲା। ଏହି ଘଟଣାରେ ସମ୍ପୃକ୍ତି ଥିବା ସରକାରୀ ବାବୁଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।