ମହାନଗରର ଗରିବ ପାଇଲେ ଭୂମି ଅଧିକାର, ୬୫ ହଜାର ପରିବାରକୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୮(ଅସମାପିକା ସାହୁ): ଆପଣମାନେ ଖୁସି ତ? ମହାନଗର ନିଗମର ଗରିବ ଲୋକଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶ୍ନରେ ଆନନ୍ଦ, ଉଲ୍ଲାସ, କରତାଳି ଓ ହୁଳହୁଳିରେ କମ୍ପିଥିଲା କଳିଙ୍ଗ ଷ୍ଟାଡିୟମ। ସୋମବାର କଳିଙ୍ଗ ଷ୍ଟାଡିୟମରେ ୧୦୧୦ ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ୬୫ ହଜାର ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନେ ସହରର ଗଳି କନ୍ଦିରେ ବର୍ଷ ବର୍ଷ ଧରି ରହି ଏହାର ବିକାଶରେ, ଲୋକଙ୍କ ସେବାରେ ନିଜ ଜୀବନ ବିତାଇ ଆସିଛନ୍ତି, ସେ ସହରରେ ସେମାନଙ୍କର ନ ଥିଲା ନିଜର ବୋଲି କହିବାକୁ ଖଣ୍ଡେ ଜାଗା ବା ଘର। ନା ଥିଲା ଅଧିକାର, ନା ସମ୍ମାନ। ଆଜି ଠାରୁ ଏସବୁ ଇତିହାସ। ୫ଟି ମହାନଗରର ଗରିବ ବସ୍ତି ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର । ଜାଗା ମିଶନରେ ୬୫ ହଜାର ପରିବାରକୁ ମିଳିଲା ଜମି ଅଧିକାର। ସବୁ ପରିବାରକୁ ଜମି ଅଧିକାର ମିଳିବା ପର୍ଯ୍ୟନ୍ତ ଜାରି ରହିବ ଏ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କୁ ଦେଇଛନ୍ତି ସେମାନଙ୍କର ହକ, ସେମାନଙ୍କର ଅଧିକାର। ରାଜ୍ୟରେ ଆଉ ରହିବନି ବସ୍ତି। ସବୁ ବସ୍ତି ହେବ ଆଦର୍ଶ କଲୋନୀ। ବିଜୁ ଆଦର୍ଶ କଲୋନୀ।

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା- ୫ଟି ମହାନଗର ନିଗମର ୬୫ ହଜାର ଗରିବ ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାଗା ସହ ଘର କରିବା ପାଇଁ ଆର୍ଥିକ ସହାୟତା ମଧ୍ୟ ଦିଆଯିବ। ଆସନ୍ତା ଅକ୍ଟୋବରରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପ୍ରମାଣ ପତ୍ର ପ୍ରଦାନ କରାଯିବ। ସହରର ସବୁ ଗରିବ ପରିବାରଙ୍କୁ ଭୂମି ଅଧିକାର ମିଳିବା ପର୍ଯ୍ୟନ୍ତ ଏ ଅଭିଯାନ ଜାରି ରହିବ।

ସୂଚନାଯୋଗ୍ୟ, ୨୦୧୮ରୁ ଆରମ୍ଭ ହୋଇଥିବା ଜାଗା ମିଶନ କାର୍ଯ୍ୟକ୍ରମରେ ସହରର ବସ୍ତିଗୁଡିକରେ ରହୁଥିବା ଗରିବ ପରିବାରକୁ ଭୂମି ଅଧିକାର ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ୧ ଲକ୍ଷ ୭୦ହଜାରରୁ ଅଧିକ ପରିବାରକୁ ଭୂମି ଅଧିକାର ମିଳିଛି। ଆଜିର କାର୍ଯ୍ୟକ୍ରମକୁ ମିଶାଇ ରାଜ୍ୟରେ ୨ ଲକ୍ଷ ୪୦ ହଜାର ପରିବାରକୁ ଭୂମି ଅଧିକାର ମିଳିଲା। ଏହା ସହିତ ୪୦ ହଜାର ପରିବାରକୁ ଘର ତିଆରି ପାଇଁ ସହାୟତା ମଧ୍ୟ ଦିଆଯାଇଛି। ବସ୍ତିମୁକ୍ତ ଓଡିଶା ଗଠନ ଉଦ୍ଦେଶ୍ୟ ନେଇ ଏହିସବୁ ବସ୍ତିକୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଦିଆଯାଇ ଏସବକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୬୮ଟି ପୌରାଞ୍ଚଳର ୧୦୧୦ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି।

Share