ବଢୁଛି ଜଙ୍ଗଲୀ ଛତୁର ଆଦର

ଚମ୍ପୁଆ,୭ା୯(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରେ ଜଙ୍ଗଲୀ ଛତୁର ଆଦର ବଢ଼ିବାରେ ଲାଗିଛି। ଏପରିକି ଗ୍ରାହକମାନଙ୍କର ଛତୁର ଆବଶ୍ୟକତା ଏହି ଜଙ୍ଗଲୀ ଛତୁ ପୂରଣ କରିବା ସହ ଅଳ୍ପ ଅର୍ଥରେ ସୁସ୍ବାଦ ଛତୁ ପାଉଛନ୍ତି। ବର୍ତ୍ତମାନ ବଜାରରେ ଏକ ପ୍ରକାର ବଡ଼ ଛତୁ କୁହାଯାଉଥିବା ଜଙ୍ଗଲୀ ଛତୁ ବିକ୍ରି ବୃଦ୍ଧି ପାଇଛି। କେତେ ଲୋକଙ୍କ ପାଇଁ ଏହି ଛତୁ ସୀମିତ ସମୟରେ ରୋଜଗାରର ପନ୍ଥା ପାଲଟିଛି। ଚମ୍ପୁଆ ବଜାରରେ ଦୈନନ୍ଦିନ ଏହି ଛତୁର ଆଦର ବୃଦ୍ଧି ସହ ବିକ୍ରି ମଧ୍ୟ ବୃଦ୍ଧି ପାଇଛି। ସାଧାରଣତଃ ଜଙ୍ଗଲ, ଜମି ହିଡ଼ ଓ ଝଟାବୁଦା ସ୍ଥାନରେ ଏହା ପ୍ରଚୁର ପରିମାଣରେ ଫୁଟୁଥିବା ବେଳେ ଗ୍ରାମବାସୀ ଏହାକୁ ସଂଗ୍ରହକରି ଭାଗ ୨୦ରୁ ୫୦ ଟଙ୍କା ମଧ୍ୟରେ ବିକ୍ରିକରି ବେସ ଦୁଇପଇସା ରୋଜଗାର କରୁଛନ୍ତି। ଫୁଟିଲା ଛତୁ ଅପେକ୍ଷା କଢ଼ଛତୁର ଚାହିଦା ଅଧିକ ରହିଥିବା ବେଳେ ବିଭିନ୍ନ ଛକ, ପରିବା ବଜାର ଓ ରାସ୍ତାକଡ଼ରେ ଏହା ବିକ୍ରି ହେଉଛି। ଛତୁ ବିକ୍ରେତାଙ୍କ କହିବା ଅନୁଯାୟୀ, ବିଭିନ୍ନ ସମୟରେ ମିଳୁଥିବା ଛତୁ ଅପେକ୍ଷା ଏହି ଛତୁର ଆଦର ଅଧିକ ରହିଥାଏ। ଝଡ଼ିବର୍ଷା ପରେ ଟାଣଖରା ହେଲେ ଏହି ଛତୁ ଫୁଟିବା ଆରମ୍ଭ ହୋଇଥାଏ। ରୁଟୁକା, ବିହୁଡୁଣୀ, ବାଲିଛତୁ, କାଠଛତୁ ଆଦି ବିଭିନ୍ନ ସମୟରେ ଫୁଟୁଥିବା ବେଳେ ଏହି ଛତୁକୁ ଗ୍ରାହକମାନେ ପ୍ରାଥମିକତା ଦେଇଥାନ୍ତି। କମ୍‌ ଅର୍ଥରେ ଏହା ସ୍ବାଦିଷ୍ଟ ବ୍ୟଞ୍ଜନ ରୂପେ ବ୍ୟବହାର କରାଯାଇପାରିଥାଏ।