ପଦବୀ ଖାଲି, ହୋଇପାରୁନି ଶୁଣାଣି

ବାଲେଶ୍ୱର ଅଫିସ, ୧୪।୫ ବାଲେଶ୍ୱର ସହର ଏଡିଏମ୍‌ ଛକ ନିକଟରେ ରହିଛି ଅତିରିକ୍ତ/ଯୁଗ୍ମ କମିଶନରଙ୍କ ଚକବନ୍ଦୀ ଓ ବନ୍ଦୋବସ୍ତ ଅଦାଲତ। ଏହି ଅଦାଲତରେ ଭଦ୍ରକ ଓ ବାଲେଶ୍ୱର ଜିଲାର ସମସ୍ତ ଜମିବାଡ଼ି ଓ ସମ୍ପତ୍ତିଗତ ମକଦ୍ଦମାର ଶୁଣାଣି ହୋଇଥାଏ। ଚାନ୍ଦବାଲିଠାରୁ ଆରମ୍ଭ କରି ରାଇବଣିଆ ପର୍ଯ୍ୟନ୍ତ ଲୋକେ ଏହି ଅଦାଲତ ଉପରେ ନିର୍ଭର କରିଥାନ୍ତି। ପୂର୍ବାହ୍ନ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅଦାଲତ ଚାଲିଥାଏ। ପରେ ଶୁଣାଣି ଥିଲେ ଅଦାଲତ ଖୋଲାରହିଥାଏ। ମାତ୍ର ଦୀର୍ଘଦିନ ହେବ ଅଦାଲତରେ ଅତିରିକ୍ତ କମିଶନରଙ୍କ ପଦ ଫାଙ୍କା ଥିବାରୁ ଶୁଣାଣି ବନ୍ଦ ହୋଇଯାଇଛି। ଏହି ଅଦାଲତରେ ଅତିରିକ୍ତ କମିଶନରଙ୍କ ସମେତ ୫ଜଣ କର୍ମଚାରୀ ରହିଛନ୍ତି। ତେବେ ଅତିରିକ୍ତ କମିଶନରଙ୍କ ବିନା କୋର୍ଟ ବା ଅଦାଲତ ଏକପ୍ରକାର ଅଚଳାବସ୍ଥାରେ ରହିଛି।
୨୦୧୯ ମେ’ରେ ଅତିରିକ୍ତ/ଯୁଗ୍ମ କମିଶନର ସାଧବ ମିଞ୍ଚ ଅବସର ନେବା ପରେ ଧନଞ୍ଜୟ ହେମ୍ବ୍ରମ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ୨୦୨୦ ମାର୍ଚ୍ଚରେ ଅବସର ଗ୍ରହଣ କଲେ। ତେବେ ଇନଚାର୍ଜ ହାକିମ ବିଶେଷ ମକଦ୍ଦମା ବିଚାର କରିପାରନ୍ତି ନାହଁି। ପରେ ଅମର ସିଂ ସୋରେନ ୮ମାସ ରହିଲେ। ଯିଏକି ଗୋଟିଏ ବି ମକଦ୍ଦମା ବିଚାର କରି ନ ଥିବା ବେଳେ ଗତ ୨୦୨୧ ଜୁଲାଇରେ ଅବସର ନେଲେ। ସେବେଠାରୁ ଏହି ପଦବୀ ଫାଙ୍କା ପଡ଼ିଛି। ଏବେ ସୁଦ୍ଧା ଏହି ଅଦାଲତରେ ୧୦ହଜାରରୁ ଊର୍ଦ୍ଧ୍ୱ ମକଦ୍ଦମା ବିଚାର ନ ହୋଇ ପଡ଼ିରହିଛି। ଲୋକମାନେ ବାରମ୍ବାର ଅଦାଲତକୁ ଆସି ଫେରୁଛନ୍ତି। ଅଦାଲତର କର୍ମଚାରୀମାନେ କେତେବେଳେ କହୁଛନ୍ତି କମିଶନର ନାହାନ୍ତି, ତ କେତେବେଳେ କହୁଛନ୍ତି କମିଶନର ଆସୁନାହାନ୍ତି। ସିଭିଲ କୋର୍ଟ କରିଥିଲେ ପ୍ରାୟ ୧୦ବର୍ଷ ସମୟ ଲାଗିଥାନ୍ତା। ଫଳରେ ଶୀଘ୍ର ଶୁଣାଣି ପାଇଁ କମିଶନର କୋର୍ଟକୁ ଆସି ନିରାଶ ହେଉଛନ୍ତି ୨ ଜିଲାର ଲୋକ।
ବାର୍‌ ଆସୋସିଏଶନ ସଭାପତି ମନୋଜ ନାୟକ କହନ୍ତି, ଅତିରିକ୍ତ କମିଶନର ଅଦାଲତରେ ପ୍ରଥମେ କେସ୍‌ର ବିଚାର ହୋଇ ମେରିଟ୍‌ ଦେଖିବା ପରେ ଆଡ଼ମିଶନ ହୋଇଥାଏ। ତେଣୁ ଆଡ଼ମିଶନ ନ ହୋଇ ହଜାର ହଜାର ମକଦ୍ଦମା ପଡ଼ିରହିଛି। ଫଳରେ ଦୁଇ ଜିଲାର ଏହା ଅଦାଲତ ହୋଇଥିବାରୁ ଲୋକେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କର୍ମଚାରୀମାନେ ଖାଲିରେ ଦରମା ନେଉଛନ୍ତି। କୋର୍ଟ ଅଚଳ ଅବସ୍ଥାରେ ରହିଛି। ତେଣୁ ଏନେଇ ଆରଡ଼ିସିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ସମାଧାନ ନ ହେଲେ ଆମେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି କହିଛନ୍ତି। ବାର୍‌ ଆସୋସିଏସନ୍‌ ସମ୍ପାଦକ ସମ୍ବିତ ନନ୍ଦୀ କହନ୍ତି, ଦୁଇବର୍ଷ ହେଲା ପଦ ଫାଙ୍କା ପଡ଼ିରହିଛି। ଯେଉଁମାନଙ୍କର ରେକର୍ଡ଼ ଭୁଲରେ ପ୍ରକାଶ ହୋଇଯାଇଛି, ସେଟଲମେଣ୍ଟ ଅଥରିଟି ପାଖରେ ଯେଉଁମାନେ ଡକ୍ୟୁମେଣ୍ଟ ଦେଖାଇ ପାରିନାହାନ୍ତି ଅର୍ଥାତ୍‌ ଜାଗା କିଣିବା ପରେ ଡକ୍ୟୁମେଣ୍ଟ ଦେଖାଇ ନାହାନ୍ତି ସେପରି କିଛି ରେକର୍ଡ଼ ଠିକ୍‌ କରିବା ପାଇଁ ଲୋକେ ଅତିରିକ୍ତ କମିଶନରଙ୍କ ଅଦାଲତରେ ଦ୍ୱାରସ୍ଥ ହୋଇଥାନ୍ତି। ଏମିତିକି ଯେଉଁମାନଙ୍କର ଦୀର୍ଘଦିନ ଧରି ନାମଜାରୀ ହୋଇ ନ ଥାଏ ସେମାନେ ମଧ୍ୟ ଉକ୍ତ ଅଦାଲତକୁ ଆସନ୍ତି। କିନ୍ତୁ ଏସବୁ ପାଇଁ ଦୁଇବର୍ଷ ଅଧିକ ହେବ ପଦ ପୂରଣ ହୋଇନି। ୧୦ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର କେବଳ ତାରିଖ ଗଡୁଛି ମାତ୍ର କାମ ହୋଇପାରୁନାହଁି। ଲୋକ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମକଦ୍ଦମା ଫଇସଲା ହୋଇପାରୁନି। ମୋର ନିଜର ମଧ୍ୟ ପ୍ରାୟ ୪୦ ମକଦ୍ଦମା ପଡ଼ିରହିଛି। ବିଚାର କିଏ କରିବେ। ପଦ ପୂରଣ ପାଇଁ ସରକାର ଏବଂ ଆରଡିସିଙ୍କୁ ବାର୍‌ ଆସୋସିଏଶନ୍‌ ପକ୍ଷରୁ ଦୁଇଥର ଲିଖିତ ଭାବେ ଜଣାଯାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ହେଲେ ବାଧ୍ୟ ହୋଇ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

Share