ଏମ୍‌ସରେ ପଦବୀ ଖାଲି, ବହୁ ମେଶିନ ଅଚଳ

ଭୁବନେଶ୍ୱର,୭।୮ (ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍‌ସ)କୁ ପ୍ରତିଦିନ ଓଡ଼ିଶା ତଥା ପଡୋଶୀ ରାଜ୍ୟରୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଅଧିକାଂଶ ଜରୁରିକାଳୀନ ଚିକିତ୍ସା ଆଶାରେ ଏହି କେନ୍ଦ୍ରୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ଆସିଥାନ୍ତି। ହେଲେ ଏଠାରେ ଆବଶ୍ୟକ ଡାକ୍ତର, କର୍ମଚାରୀ ଓ ଚିକିତ୍ସା ଉପକରଣ ନ ଥିବାରୁ ଉତ୍ତମ ଚିକିତ୍ସା ବଦଳରେ ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଉଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି।
ମାନବାଧିକାର କର୍ମୀ ଅଖଣ୍ଡଙ୍କୁ ମିଳିଥିବା ଉକ୍ତ ତଥ୍ୟ ଅନୁସାରେ, ଏମ୍‌ସରେ ପ୍ରାୟ ଅଧା ପଦବୀ ଖାଲି ପଡିଛି। ଜରୁରିକାଳୀନ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ବହୁ ଉପକରଣ ଓ ଜୀବନ ରକ୍ଷାକାରୀ ମେଶିନ ସ୍ଥାପନ କରାଯିବାଠାରୁ ଅଚଳ ହୋଇ ରହିଛି। ୨୦୧୭-୧୮ ମଧ୍ୟରେ ପ୍ରାୟ ୬ ଲକ୍ଷ ୫୪ ହଜାର ୭୦୩ ରୋଗୀ ଏମ୍‌ସକୁ ଆସିଛନ୍ତି। ୨୦୧୮-୧୯ ଏହାଠାରୁ ଦୁଇଗୁଣ ଅଧିକ ଅର୍ଥାତ୍‌ ରେକର୍ଡ ସଂଖ୍ୟା ରୋଗୀ ଆସିଥିବାବେଳେ ୨୦ହଜାର ୧୭୯ ଗୁରୁତର ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ହେଲେ ମୋଟ ଅନୁମୋଦିତ ୩୦୫ ଡାକ୍ତରୀ ପଦବୀ ମଧ୍ୟରୁ ୩୭.୩୭ ପ୍ରତିଶତ ବା ୧୧୪ଟି ଖାଲି ପଡ଼ିଛି। ସେହିପରି ନିୟମିତ, ଚୁକ୍ତିଭିତ୍ତିକ ଓ ଡେପୁଟେଶନ ପୋଷ୍ଟ ସହିତ ପ୍ରାୟ ୪୯ ପ୍ରତିଶତ ଅନ୍ୟାନ୍ୟ ପଦବୀ ଯଥା ଝାଡୁଦାର ଓ ପାରାମେଡିକାଲ ପଦବୀ ଖାଲି ପଡିଛି। ମୋଟ ୩ହଜାର ୭୭୬ ଅନୁମୋଦିତ ପଦବୀରୁ ୧ହଜାର ୮୬୪ରେ ନିଯୁକ୍ତି ନ ଥିବାରୁ ଚିକିତ୍ସା ସେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ହୃଦ୍‌ଘାତ ରୋଗୀଙ୍କୁ ମରଣମୁହଁରୁ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଡେଫିବ୍ରିଲାଟର ଭଳି କେତେକ ଜୀବନ ରକ୍ଷାକାରୀ ମେଶିନ ଦୀର୍ଘଦିନ ହେବ ଅଚଳ ହୋଇପଡିଥିବା ଆର୍‌ଟିଆଇ ତଥ୍ୟରୁ ଜଣାପଡିଛି।
ଏ ସମ୍ପର୍କରେ ଏମ୍‌ସ ନିର୍ଦ୍ଦେଶିକା ଗୀତାଞ୍ଜଳୀ କୁହନ୍ତି, ଖାଲି ଥିବା ପଦବୀ ପୂରଣ ପାଇଁ ବିଜ୍ଞାପନ ଦିଆଯାଉଛି। କିନ୍ତୁ ଅଧିକାଂଶ ସଂରକ୍ଷିତ ଥିବାରୁ କମ୍‌ ସଂଖ୍ୟକ ଆବେଦନ ହେଉଛି। ତଥାପି ଖୁବ୍‌ଶୀଘ୍ର ପୂରଣ ପାଇଁ ଚେଷ୍ଟା କରୁଛୁ। ଅନ୍ୟପକ୍ଷରେ କିଛି ମେଶିନ ଖରାପ ରହିଛି। ହେଲେ ଆମ ପାଖରେ ବହୁତ ଅତିରିକ୍ତ ମେଶିନ ରହିଥିବାରୁ ଚିକିତ୍ସାରେ ଏହାର ପ୍ରଭାବ ପଡୁନି। ଖରାପ ମେଶିନ ସଜାଡିବାକୁ ମଧ୍ୟ ଟେଣ୍ଡର ଦେଇଛୁ। ଆଶା କରୁଛୁ, ଆଗାମୀ ଦିନରେ ସବୁକିଛି ଠିକ୍‌ ହୋଇଯିବ ବୋଲି ସେ କହିଛନ୍ତି।

Share