କର୍ଲାମୁଣ୍ଡା,୨୫।୪(ଡି.ଏନ୍.ଏ.): ସାଧାରଣ ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ସରକାର ଡାକ୍ତରଖାନା ଖୋଲିଛନ୍ତି। ହେଲେ ଆବଶ୍ୟକ ଡାକ୍ତର ନିଯୁକ୍ତି ହୋଇ ନ ଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ଏଭଳି ପରିସ୍ଥିତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ାସ୍ଥିତ ପୁରାତନ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଏହି ଡାକ୍ତରଖାନାଟି ୧୯୬୨ ମସିହାରେ ସରକାରଙ୍କ ଦ୍ୱାରା ଏରିଆ ହସ୍ପିଟାଲ ଭାବେ ସ୍ଥାପନ ହୋଇଥିଲା। ବର୍ତ୍ତମାନ ଏହା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର (ଓଏଚ୍) ଅଦର ହସ୍ପିଟାଲ ନାମକୁ ପରିବର୍ତ୍ତନ ହୋଇଛି। ତେବେ ଦୀର୍ଘଦିନରୁ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟସେବା। ଡାକ୍ତରଖାନା ଉପରେ ନିର୍ଭର କରୁଥିବା ପ୍ରାୟ ୩୦ ହଜାର ଜନସାଧାରଣ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇପାରୁ ନ ଥିବା ଅଭିଯୋଗ ହେଉଛି। ଏହି ପୁରୁଣା ହସ୍ପିଟାଲରେ ଜଣେ ଫାର୍ମାସିଷ୍ଟ, ଦୁଇ ଜଣ ଆଟେଣ୍ଡାଣ୍ଟ୍, ୨ ଜଣ ଷ୍ଟାଫନର୍ସ ରହିଥିବା ବେଳେ ଏଲ୍ଟି ନିଯୁକ୍ତି ହୋଇ ନ ଥିବାରୁ ବିଭିନ୍ନ ପ୍ରକାର ରକ୍ତ ନମୁନା ପରୀକ୍ଷା ପାଇଁ ଲୋକେ ବହୁ ଖର୍ଚ୍ଚାନ୍ତ ହେଉଥିବା ସାମାଜିକ କର୍ମୀ ସତ୍ୟନାରାୟଣ କୁମାର କହିଛନ୍ତି। ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।