ସୌଭାଗ୍ୟ ସୁନ୍ଦରରାୟ
‘ରାଜନୈତିକ ପ୍ରକ୍ରିୟା ସହ ରାଜ୍ୟପାଳ ଜଡ଼ିତ ହେବା କିମ୍ବା କୌଣସି ସରକାର ପତନରେ ଭାଗୀଦାରି ହେବା ଉଚିତ ନୁହେଁ।’ ମହାରାଷ୍ଟ୍ରରେ ଉଦ୍ଧବ ଠାକ୍ରେ ନେତୃତ୍ୱାଧୀନ ସରକାର ପତନ ପରିପ୍ରେକ୍ଷୀରେ ଦେଶର ଶୀର୍ଷ ଅଦାଲତଙ୍କ ଏହି ମନ୍ତବ୍ୟ ଭାରତୀୟ ସଂଘୀୟ ବ୍ୟବସ୍ଥାର ସାମ୍ପ୍ରତିକ ନକାରାତ୍ମକ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଉଦ୍ଧବ ଠାକ୍ରେ ସରକାରଙ୍କ ପତନ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ସମୟରେ ଘଟିଛି। ଏହି ମାମଲାର ଶୁଣାଣି ଏବେ ସୁପ୍ରିମକୋର୍ଟରେ ହୋଇ ରାୟ ସଂରକ୍ଷିତ ରହିଛି। ଶୁଣାଣି ସମୟରେ ଅଦାଲତ ଉପରୋକ୍ତ ମନ୍ତବ୍ୟ ଦେବା ସହ କେଉଁ ଆଧାରରେ ଉଦ୍ଧବ ଠାକ୍ରେ ସରକାରଙ୍କୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ରାଜ୍ୟପାଳ କହିଲେ ତାହା ମଧ୍ୟ ଜାଣିବାକୁ ଚାହିଁଥିଲେ। ଇତିମଧ୍ୟରେ ଏହି ବିବାଦୀୟ ରାଜ୍ୟପାଳ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ପଦ ପରିତ୍ୟାଗ କରିସାରିଛନ୍ତି। ମହାରାଷ୍ଟ୍ରରେ କୋଶିୟାରୀଙ୍କ କାର୍ଯ୍ୟକାଳ ଅନେକ ଦୃଷ୍ଟିରୁ ବିବଦୀୟ ଥିଲା।
ଗତ କିଛିବର୍ଷ ହେଲା ରାଜ୍ୟପାଳ ପଦବୀ କେନ୍ଦ୍ର ସରକାରଙ୍କ ହାତବାରିସି ଭଳି ପରିଲକ୍ଷିତ ହେଉଛି। ଡବଲ ଇଞ୍ଜିନ୍ ସରକାର ନଥିବା ରାଜ୍ୟରେ ରାଜ୍ୟପାଳଙ୍କୁ କେନ୍ଦ୍ର ଉପଯୋଗ କରୁଥିବା ପରି ମନେହେଉଛି। କେବଳ କୋଶିୟାରୀ ନୁହନ୍ତି, ଅନେକ ରାଜ୍ୟପାଳ ରାଜ୍ୟର ନିର୍ବାଚିତ ସରକାରଙ୍କ ସହ କ୍ଷମତା ଯୁଦ୍ଧରେ ଲିପ୍ତ ରହିଥିବା ଦେଖାଯାଉଛି। ସେମାନଙ୍କର ବିଭିନ୍ନ ପଦକ୍ଷେପ ନିର୍ବାଚିତ ସରକାରଙ୍କୁ ଅସୁବିଧାରେ ପକାଉଥିବା ଦେଖାଯାଉଛି।
ଉପରାଷ୍ଟ୍ରପତି ପଦରେ ଅବସ୍ଥାପିତ ହେବା ପୂର୍ବରୁ ଜଗଦୀପ୍ ଧନକର ଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ। ପ୍ରାୟ ୪ ବର୍ଷ ରାଜ୍ୟପାଳ ପଦବୀରେ ରହିଥିବା ସମୟରେ ରାଜ୍ୟ ସରକାରଙ୍କ ସହ ତାଙ୍କ ବିବାଦ ଲାଗି ରହିଲା। ପଶ୍ଚିମବଙ୍ଗରେ ଦୁର୍ନୀତି, ରାଜନୈତିକ ହିଂସା, ପ୍ରଶାସନ ଓ ଶିକ୍ଷାନୁଷ୍ଠାନର ରାଜନୀତିକରଣ ସମ୍ପର୍କରେ ସେ ଖୋଲାଖୋଲି ନିଜ କାର୍ଯ୍ୟକାଳ ସମୟରେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଲେ। ପରିସ୍ଥିତି ଏପରି ହେଲା ଯେ ତାଙ୍କୁ ରାଜ୍ୟର ବିରୋଧୀ ଦଳ ନେତା ଓ ଦୁର୍ନୀତିଗ୍ରସ୍ତ ବୋଲି ଶାସକ ଦଳ କହିଲେ।
କେରଳରେ ରହିଛି ଏବେ ବାମପନ୍ଥୀ ସରକାର। ମୁଖ୍ୟମନ୍ତ୍ରୀ ହେଉଛନ୍ତି ପିନାରାଇ ବିଜୟନ୍। ରାଜ୍ୟପାଳ ପଦରେ ରହିଛନ୍ତି ଅରିଫ ମହମ୍ମଦ ଖାଁ। ବିଧାନସଭାରେ ଗୃହୀତ ବିଭିନ୍ନ ବିଲ୍କୁ ରାଜ୍ୟପାଳ ତ୍ୱରିତ ଅନୁମୋଦନ କରୁ ନାହାନ୍ତି। ଏହି କାରଣରୁ କେତେକ ଅଧ୍ୟାଦେଶ ମଧ୍ୟ ନିରର୍ଥକ ହୋଇଯାଇଛି। ତେଲଙ୍ଗାନାରେ ଟିଆର୍ଏସ୍ ସରକାର ରହିଛି। ଏହି ରାଜ୍ୟର ରାଜ୍ୟପାଳଙ୍କ ବିରୋଧରେ ଅନୁରୂପ ଅଭିଯୋଗ ସଂକ୍ରାନ୍ତ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ମାମଲା ବିଚାର ପାଇଁ ଅଦାଲତ ଗ୍ରହଣ କରିଛନ୍ତି।
ସମୁଦାୟ ଘଟଣାକ୍ରମକୁ ବିଶ୍ଳେଷଣ କଲେ ଜଣାଯାଏ ରାଜ୍ୟପାଳଙ୍କ କ୍ଷମତା ପ୍ରୟୋଗ ଏବେ ସମ୍ବିଧାନ ଅନୁଯାୟୀ ନ ହୋଇ କେନ୍ଦ୍ର ସରକାରଙ୍କ ସଙ୍କେତ ଅନୁଯାୟୀ ହେଉଛି। ଦେଶର ସର୍ବୋଚ୍ଚ ଅଦାଲତ ସମଶେର ସିଂହ ବନାମ ପାବ ସରକାର ମାମଲାରେ ଅତି ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳର ପରାମର୍ଶ ଓ ସହାୟତା ଅନୁଯାୟୀ ରାଜ୍ୟପାଳ କାର୍ଯ୍ୟ କରିବାକୁ ବାଧ୍ୟ। ସମ୍ବିଧାନର ଧାରା ୧୫୪(୧)ରେ ରାଜ୍ୟପାଳଙ୍କ ନିକଟରେ ରାଜ୍ୟର କାର୍ଯ୍ୟନିର୍ବାହୀ କ୍ଷମତା ନ୍ୟସ୍ତ ରହିଥିବାରୁ ଏହି ଆଳରେ ମନ୍ତ୍ରିମଣ୍ଡଳ ସୁପାରିସରେ ମଧ୍ୟ ରାଜ୍ୟପାଳ ଅଙ୍କୁଶ ଲଗାଉଥିବା ପରିଲକ୍ଷିତ ହେଉଛି। କିନ୍ତୁ ଏହା ସାମ୍ବିଧାନିକ ଦୃଷ୍ଟିକୋଣରୁ ବୈଧ ଥିବା ପରି ମନେ ହୁଏନାହିଁ।
ଦେଶରେ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ବଳବତ୍ତର। ଭାରତର ସମ୍ବିଧାନ ଦୀର୍ଘତମ ଲିଖିତ ସମ୍ବିଧାନ। ସମ୍ବିଧାନ ଅନୁଯାୟୀ ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥାଆନ୍ତି। ଅର୍ଥାତ୍ ରାଜ୍ୟପାଳ କେନ୍ଦ୍ରର ପ୍ରତିନିଧି ଭାବେ ରାଜ୍ୟରେ ଅବସ୍ଥାପିତ ହୋଇଥାଆନ୍ତି। କେନ୍ଦ୍ର-ରାଜ୍ୟ ସମ୍ପର୍କରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଦେଖାଯାଉଛି ରାଜ୍ୟପାଳ କେନ୍ଦ୍ରୀୟ ପରାମର୍ଶର ବଶବର୍ତ୍ତୀ ହୋଇ କାର୍ଯ୍ୟ କରୁଛନ୍ତି। ଫଳରେ ନିର୍ବାଚିତ ସରକାରର ଭାବମୂର୍ତ୍ତି ହାନି ହେଉଛି। ୨୦୧୮ ମସିହା କର୍ନାଟକ ବିଧାନସଭା ନିର୍ବାଚନରେ କୌଣସି ଦଳ ପୂର୍ଣ୍ଣ ବହୁମତ ପାଇପାରିନଥିଲେ। ଭାରତୀୟ ଜନତା ପାର୍ଟି ୧୦୪ ଆସନରେ ବିଜୟ ଲାଭ କରି ଏକକ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା। ଅନ୍ୟପକ୍ଷରେ ଜନତା ଦଳ (ଏସ୍) ଓ କଂଗ୍ରେସର ନିର୍ବାଚନ ପରବର୍ତ୍ତୀ ମେଣ୍ଟ ଯୋଗୁ ଏହାର ଆସନ ସଂଖ୍ୟା ଅଧିକ ଥାଇ ମଧ୍ୟ ରାଜ୍ୟପାଳ ମେଣ୍ଟ ଦଳକୁ ସରକାର ଗଠନ ପାଇଁ ସୁଯୋଗ ନ ଦେଇ ଭାରତୀୟ ଜନତା ପାର୍ଟିକୁ ସୁଯୋଗ ଦେଇଥିଲେ ଏବଂ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଦୀର୍ଘ ୧୮ ଦିନ ସୁଯୋଗ ଦେଇଥିଲେ। ସୁପ୍ରିମକୋର୍ଟ ଏହି ସମୟ ସୀମା ୩ ଦିନକୁ ହ୍ରାସ କରିଥିଲେ। ସୁପ୍ରିମକୋର୍ଟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦରପ୍ପା ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଇ ନ ପାରି ମାତ୍ର ଦୁଇ ଦିନରେ ଇସ୍ତଫା ଦେବାକୁ ବାଧ୍ୟ ହେଲେ। ଏ କ୍ଷେତ୍ରରେ ରାଜ୍ୟପାଳଙ୍କ ଇଚ୍ଛା ବିବାଦୀୟ ଥିବା କୁହାଯାଇପାରେ। ସମ୍ବିଧାନର ଧାରା ୧୭୪ରେ ରାଜ୍ୟପାଳଙ୍କର କିଛି ଇଚ୍ଛାଧୀନ କ୍ଷମତା ରହିଛି। ଏହା ସାମ୍ବିଧାନିକ ଦୃଷ୍ଟରୁ ନିରଙ୍କୁଶ ନୁହେଁ। ବରଂ ସମ୍ବିଧାନ ପ୍ରଦତ୍ତ ଇଚ୍ଛାଧୀନ। ୨୦୧୫ରେ ଅରୁଣାଚଳ ପ୍ରଦେଶ ବାଚସ୍ପତି ବନାମ ରେବିୟା ମାମଲାରେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ତତ୍କାଳୀନ ରାଜ୍ୟପାଳ ଜେ.ପି. ରାଜଖୋୟାଙ୍କ ଆଚରଣକୁ ଅଗ୍ରାହ୍ୟ କରି ବିଧାନସଭା ଅଧିବେଶନ ସମୟ ଓ କାର୍ଯ୍ୟସୂଚୀ ରାଜ୍ୟପାଳ ଧାର୍ଯ୍ୟ କରିପାରିବେ ନାହିଁ ବା ସରକାରଙ୍କ ସହ ପରାମର୍ଶ ନ କରି ବିଧାନସଭାକୁ ସମ୍ବୋଧିତ କରିପାରିବାର କ୍ଷମତା ନିରଙ୍କୁଶ ନୁହେଁ ବୋଲି କହିଛନ୍ତି। ୧୦୧୫ର ଅରୁଣାଚଳ ରାଜନୈତିକ ଘନଘଟା ମଧ୍ୟରେ ରାଜ୍ୟପାଳ ରାଜଖୋୟା ରାଜ୍ୟ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଜାରି କଲେ। ୨୦୧୬ରେ ସାମ୍ବିଧାନିକ ଖଣ୍ଡପୀଠ ରାଷ୍ଟ୍ରପତି ଶାସନକୁ ବେଆଇନ ଦର୍ଶାଇ ସରକାରଙ୍କୁ ପୁନର୍ବାହଲ କଲେ। ରାଜ୍ୟପାଳଙ୍କ ପଦକ୍ଷେପକୁ ସମାଲୋଚନା କରି ଅଦାଲତ କହିଥିଲେ ଅରୁଣାଚଳରେ ଯାହା ଘଟିଲା ତାହା ସମ୍ବିଧାନ ପ୍ରତି ଚାପୁଡ଼ା। ସୁପ୍ରିମକୋର୍ଟ ରାୟ ପରେ ରାଜ୍ୟପାଳ ଇସ୍ତଫା ନ ଦେବାରୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ବରଖାସ୍ତ କରିଥିଲେ। ସରକାର ଗଠନ, ବିଧାନସଭା ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା, ରାଜକ୍ଷମା, ବିଧାନସଭା ଭଙ୍ଗ ଆଦି ବାବଦରେ ରାଜ୍ୟପାଳଙ୍କ ଯେଉଁ ଇଚ୍ଛାଧୀନ କ୍ଷମତା ରହିଛି, ତାହା ନ୍ୟାୟପାଳିକାର ତର୍ଜମାଯୁକ୍ତ। ସଦସ୍ୟ ଅଯୋଗ୍ୟ ଘୋଷଣା କ୍ଷେତ୍ରରେ ମଧ୍ୟ ରାଜ୍ୟପାଳ ନିର୍ବାଚନ କମିଶନଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବା ଆବଶ୍ୟକ।
ବିଶ୍ୱବିଦ୍ୟାଳୟ କୁଳାଧିପତି ଭାବେ ରାଜ୍ୟପାଳଙ୍କ ଭୂମିକାକୁ ନେଇ କେରଳ ଓ ପଶ୍ଚିମବଙ୍ଗରେ ବିବାଦ ଦେଖାଦେଲା। ଶିକ୍ଷା ରାଜ୍ୟ ଅଧିକାରଭୁକ୍ତ। ରାଜ୍ୟ ଆଇନ ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡ଼ିକ ପରିଚାଳିତ। ରାଜ୍ୟର ପ୍ରଥମ ନାଗରିକ ଦୃଷ୍ଟିରୁ ରାଜ୍ୟ ଆଇନରେ ରାଜ୍ୟପାଳଙ୍କୁ ସରକାରୀ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥାଏ। କିନ୍ତୁ ଏ ସମସ୍ତ ବ୍ୟବସ୍ଥା ରାଜ୍ୟ ଶିକ୍ଷା ବିଭାଗ ନିୟନ୍ତ୍ରଣାଧୀନ। ରାଜ୍ୟ ଶିକ୍ଷା ଆଇନରେ ରାଜ୍ୟପାଳଙ୍କ ପ୍ରଦତ୍ତ କ୍ଷମତାରେ ବ୍ୟତିକ୍ରମ ଘଟିବାରୁ ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ସରକାର ରାଜ୍ୟପାଳଙ୍କ କ୍ଷମତା ସଙ୍କୁଚିତ କରିବା ପାଇଁ ବିଧାନସଭାରେ ଆଇନ ଆଣିଲେ। ୨୦୨୨ ଜୁନରେ ପଶ୍ଚିମବଙ୍ଗ ସରକାର ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ବିଲ ଆଣି ମୁଖ୍ୟମନ୍ତ୍ରୀଙ୍କୁ କୁଳାଧିପତି ପଦବୀ ପ୍ରଦାନ କଲେ। ରାଜ୍ୟପାଳଙ୍କ କ୍ଷମତା ସଙ୍କୁଚିତ କରି ତାମିଲନାଡ଼ୁ ବିଧାନସଭାରେ ମଧ୍ୟ ୨ଟି ବିଲ୍ ଗୃହୀତ ହୋଇଛି।
ରାଜ୍ୟପାଳ ପଦବୀର କ୍ଷମତା ସୀମିତ। କାରଣ ରାଜ୍ୟବାସୀଙ୍କ ନିକଟରେ କୌଣସି ପ୍ରସଙ୍ଗରେ ରାଜ୍ୟପାଳ ଉତ୍ତରଦାୟୀ ନୁହନ୍ତି। ଏଣୁ ପରମ୍ପରା ପ୍ରତି ସମ୍ମାନ ଜଣାଇ ସାମ୍ବିଧାନିକ ସୀମା ମଧ୍ୟରେ ରାଜ୍ୟପାଳ କାର୍ଯ୍ୟ କରିବା ଆବଶ୍ୟକ। କେନ୍ଦ୍ର-ରାଜ୍ୟ ସମ୍ପର୍କ ନିର୍ଦ୍ଧାରଣ ପାଇଁ ୧୯୮୩ରେ ଜଷ୍ଟିସ ଆର.ଏସ୍. ସରକାରିଆ ଓ ୨୦୦୭ରେ ଜଷ୍ଟିସ ମଦନ ମୋହନ ପୁଂଚି କମିଶନ ଗଠନ କରାଯାଇଥିଲା। କମିଶନ ରିପୋର୍ଟରେ ରାଜ୍ୟପାଳଙ୍କ କ୍ଷମତାର ସୀମା ସରହଦ ସମ୍ପର୍କରେ ମଧ୍ୟ ସୂଚିତ କରିଛନ୍ତି। ଏହାକୁ ରାଜ୍ୟପାଳମାନେ ଅନୁସରଣ କରିବାର ଆବଶ୍ୟକ। ସଂଘୀୟ ବ୍ୟବସ୍ଥାର ମୂଲ୍ୟବୋଧକୁ ବହୁମୂଲ୍ୟ ଦେବା ପରି କାର୍ଯ୍ୟ ରାଜ୍ୟପାଳଗଣ କରିବା ଉଚିତ୍ ନୁହେଁ।
ମୋ: ୯୪୩୭୨୨୯୨୩୩