ମହିଳାଙ୍କ ସ୍କେଚ୍‌ ସହ ଲାଗିଲା ପୋଷ୍ଟର

ଭୁବନେଶ୍ୱର,(ବ୍ୟୁରୋ)/ ଯଁାଳା,୨୫।୩(ଡି.ଏନ୍‌.ଏ.):ଜଟଣୀ ଥାନା ଅଧୀନ ଯଁାଳା ଫାଣ୍ଡି ପରିସରରେ ଥିବା ଜବତ କାର୍‌ରୁ ମିଳିଥିବା ମହିଳାଙ୍କ କଙ୍କାଳର ପରିଚୟ ପାଇବା ପାଇଁ ଲାଗି ପଡିଛି ପୋଲିସ। ବୁଧବାର ମହିଳାଙ୍କ ସ୍କେଚ୍‌ ଥିବା ପୋଷ୍ଟରକୁ ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ୍‌ ସହ ସହରର ବିଭିନ୍ନ ସ୍ଥାନରେ ଲଗାଇଛି। ଉକ୍ତ ପୋଷ୍ଟରରେ ମହିଳାଙ୍କର ଆନୁମାନିକ ଚେହେରାର ୩ ପ୍ରକାର ସ୍କେଚ୍‌ ରହିଛି। ଏଥିସହ ତାଙ୍କ ସଂକ୍ରାନ୍ତରେ ମଧ୍ୟ କିଛି ସୂଚନା ଉଲ୍ଲେଖ କରାଯାଇଛି। ସେପ୍ଟେମ୍ବରରୁ ଡିସେମ୍ବର ୨୦ ମଧ୍ୟରେ ନିଖୋଜ ଥିବା ଅନୁମାନ କରାଯାଇଥିବାବେଳେ ବୟସ ୩୫ରୁ ୪୫ ବର୍ଷ ମଧ୍ୟରେ ହେବ ଓ ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିଲେ। ସେହିପରି ତାଙ୍କ ଉଚ୍ଚତା ପ୍ରାୟ ୧୬୪ସେମି, କଳା ରଙ୍ଗର ମୁଣ୍ଡବାଳ ପ୍ରାୟ ୩୫ ସେମି ଲମ୍ବ, ଡାହାଣ ହାତରେ ୪ଟି ଆଲୁମିନିୟମ ଚୁଡ଼ି, ଗୋଟିଏ ସବୁଜ ରଙ୍ଗର ପୂରା ହାତର ସ୍ବେଟର ମିଳିଥିବା ଦର୍ଶାଯାଇଛି। ଏହି ମହିଳାଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ନାମ ଓ ପରିଚୟ ଗୋପନୀୟ ରଖାଯିବ ବୋଲି ଉଲ୍ଲେଖ କରାଯାଇଛି। କେହି ପରିଚୟ ପାଇଲେ ଭୁବନେଶ୍ୱର ମହିଳା ଥାନା ଆଇଆଇସି ବନିତା ମହାରଣା, ଜଟଣୀ ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଓ ଭୁବନେଶ୍ୱର ଡିସିପି ଅଫିସଙ୍କ ମୋବାଇଲ ନମ୍ବରରେ ଜଣାଇବାକୁ ଅନୁରୋଧ କରାଯିବା ସହ ସେସବୁ ନମ୍ବର ମଧ୍ୟ ଦିଆଯାଇଛି।
ପୂର୍ବରୁ ପୋଲିସ ପରିଚୟ ପାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ବୁଲି ବୁଲି ଲୋକଙ୍କୁ ପଚରାଉଚରା କରିବା ସହ ଥାନାକୁ ଡାକି ତଥ୍ୟ ସଂଗ୍ରହ କରିଛି। ହେଲେ ଫେବୃୟାରୀ ୧୨ରୁ କଙ୍କାଳ ମିଳିଥିଲେ ମଧ୍ୟ ଏଯାଏ ତାଙ୍କ ସମ୍ପର୍କରେ କିଛି ବି ସୁରାକ ପାଇପାରୁନି ପୋଲିସ। ମହିଳା ଜଣକ କେଉଁ ପରିସ୍ଥିତିରେ ଫାଣ୍ଡି ପରିସରକୁ ଆସିଲେ, କାର୍‌ ଭିତରେ ତାଙ୍କର ମୃତ୍ୟୁ ଘଟିଛି ନା ମୃତଦେହକୁ ସେଠାରେ ରଖାଯାଇଛି, ସ୍ବାଭାବିକ ମୃତ୍ୟୁ ନା ଏହା ପଛରେ କିଛି ରହସ୍ୟ ଲୁଚି ରହିଛି ଏ ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏସବୁ ପାଇବାକୁ ହେଲେ ପ୍ରଥମେ ପରିଚୟ ମିଳିବା ଜରୁରୀ ହୋଇଥିବାରୁ ପୋଲିସ ଏଥିପାଇଁ ଲାଗି ପଡିଛି। ସୂଚନାଯୋଗ୍ୟ, ଉକ୍ତ କାର୍‌ଟି ୨୦୧୯ରେ ଗଞ୍ଜେଇ ଚାଲାଣବେଳେ ଧରାପଡ଼ି ଯାଁଳା ଫାଣ୍ଡି ପରିସରରେ ରହିଥିଲା। ମାଲିକ ବିପିନ କୋର୍ଟ ଅର୍ଡର ଧରି ଫେବୃୟାରୀ ୧୨ରେ ଗାଡ଼ି ନେବାକୁ ଫାଣ୍ଡିକୁ ଆସିବା ପରେ ସେଥିରେ ଏକ କଙ୍କାଳ ମିଳିଥିଲା। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଜୋନ୍‌ ଏସିପିଙ୍କୁ ଡିସିପି ସ୍ପଷ୍ଟୀକରଣ ମାଗିଥିଲେ।

Share