ଟିଟାନ୍ ହେଉଛି ଶନିର ବୃହତ୍ତମ ଉପଗ୍ରହ। ଏହାର ବ୍ୟାସ ହେଉଛି ୫୧୫୦ କିମି ଏବଂ ଏହା ହେଉଛି ସୌରଜଗତର ଦ୍ୱିତୀୟ ବୃହତ୍ତମ ଗ୍ରହ। ସୌରଜଗତର ବୃହତ୍ତମ ଉପଗ୍ରହ ହେଉଛି ବୃହସ୍ପତିର ଉପଗ୍ରହ ଗାନିମିଡ୍, ଯାହାର ବ୍ୟାସ ଟିଟାନଠାରୁ ମାତ୍ର ୧୧୨ କିମି ଅଧିକ। ଟିଟାନ୍କୁ ହଲାଣ୍ଡର ବୈଜ୍ଞାନିକ କ୍ରିଷ୍ଟିୟାନ ହିଉଜେନସ ୧୬୫୫ ମସିହାରେ ଆବିଷ୍କାର କରିଥିଲେ। ଏହା ହେଉଛି ଶନିର ପ୍ରଥମ ଆବିଷ୍କୃତ ଉପଗ୍ରହ (ଏ ପର୍ଯ୍ୟନ୍ତ ଶନିର ୮୨ଟି ଉପଗ୍ରହ ଆବିଷ୍କୃତ ହୋଇଛି) ଏବଂ ପୃଥିବୀ ବାହାରେ ପଞ୍ଚମ ଜଣା ଉପଗ୍ରହ। ଏହା ପୂର୍ବରୁ ଇଟାଲୀ ବୈଜ୍ଞାନିକ ଗାଲିଲିଓ ବୃହସ୍ପତିର ଚାରୋଟି ଉପଗ୍ରହକୁ ଆବିଷ୍କାର କରିଥିଲେ। ବୁଧ ଗ୍ରହଠାରୁ ଟିଟାନ୍ ହେଉଛି ବଡ।
ଟିଟାନ୍ ପୃଷ୍ଠର ତାପମାତ୍ରା ହେଉଛି ବିଯୁକ୍ତ ୧୭୮ ଡିଗ୍ରୀ ସେଲସିୟସ। ଏହି ତାପମାତ୍ରାରେ ଜଳ ପଥର ଭଳି ଟାଣ ବରଫରେ ପରିଣତ ହୋଇଥାଏ। ବାସ୍ତବରେ ଟିଟାନ୍ ପୃଷ୍ଠରେ ଥିବା ଅଧିକାଂଶ ପଥର ହେଉଛି ଜଳୀୟ ବରଫ। ଏହା ମୁଖ୍ୟତଃ ଜଳୀୟ ବରଫ ଓ ଶିଳାଯୁକ୍ତ ବରଫରୁ ଗଠିତ।
ନିକଟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ବୈଜ୍ଞାନିକମାନେ ଟିଟାନ୍ର ପ୍ରଥମ ଭୂତାତ୍ତ୍ୱିକ ମାନଚିତ୍ର ପ୍ରକାଶ କରିଛନ୍ତି ନାସା ଶନି ଗ୍ରହ ଅଭିଯାନରେ ପଠାଇଥିବା କାସିନ ଯାନ ଆଧାରରେ ଏହି ମାନଚିତ୍ର ପ୍ରସ୍ତୁତ କରାଯାଇଛି। ଏହି ଅନୁଯାୟୀ ଟିଟାନ୍ର ସମତଳ ଅଞ୍ଚଳ ହେଉଛି ୬୫ ପ୍ରତିଶତ, ବାଲି, ପାହାଡ ୧୭ ପ୍ରତିଶତ ଏବଂ ପାହାଡିଆ ଅଞ୍ଚଳ ହେଉଛି ୧୪ ପ୍ରତିଶତ। ପୃଥିବୀ ନାମିବିୟା ମରୁଭୂମି ଭଳି ଟିଟାନ୍ର ବିଷୁବରେଖା ନିକଟରେ ବାଲି ପାହାଡ ଅଛି। ବାସ୍ତବରେ ଏହାର ସମତଳ ଅଞ୍ଚଳ ଓ ବାଲି ପାହାଡ ଘନୀଭୂତ ମିଥେନ୍ ଓ ଅନ୍ୟ ହାଇଡ୍ରୋକାର୍ବନରୁ ଗଠିତ ହୋଇଛି।
କାସିନି ତଥ୍ୟରୁ ଟିଟାନ୍ ପୃଷ୍ଠାରେ ତରଳ ହ୍ରଦ ଥିବାର ଜଣାପଡିଛି। ଏହ ହ୍ରଦ ହେଉଛି ମିଥେନ୍ ଓ ଇଥେନ୍ ଭଳି ହାଇଡ୍ରୋକାର୍ବନର ହ୍ରଦ। ଋତୁଚକ୍ର ଅନୁସାରେ ଏଗୁଡିକର ଆକାର ବଢ଼ିବାର ଓ କମିବାର ମଧ୍ୟ ଜଣାପଡିଛି। ଟିଟାନ୍ ପୃଷ୍ଠରେ ତରଳ ପଦାର୍ଥ ପ୍ରବାହ ହୋଇଥିବାର ନାଳମାନ ଥିବାର ମଧ୍ୟ ଜଣାପଡିଛି। ନାସା ପ୍ରକାଶ କରିଛି ଯେ ଟିଟାନ୍ରେ ମିଥେନ୍ ବୃଷ୍ଟି ହେଉଛି ଏବଂ ଏହା ହ୍ରଦ ଏବଂ ନଦୀକୁ ପ୍ରବାହିତ ହେଉଛି। ଟିଟାନ୍ ବାୟୁମଣ୍ଡଳରେ ମିଥେନ୍ ଓ ଇଥେନ୍ ବାଦଲ ଥିବାର ଚିତ୍ର ମିଳିଛି। ସୂଚନାଯୋଗ୍ୟ ଯେ ମିଥେନ୍ ଓ ଇଥେନ୍ ପୃଥିବୀରେ ଗ୍ୟାସ୍ ଭାବେ ଥିବାବେଳେ ଟିଟାନ୍ ଜଳବାୟୁ ଅବସ୍ଥାରେ ଏହା ତରଳ ପଦାର୍ଥ ଭାବେ ଦେଖାଯାଏ। ଟିଟାନ୍ର ବାୟୁମଣ୍ଡଳୀୟ ଚାପ ହେଉଛି ପୃଥିବୀର ବାୟୁମଣ୍ଡଳୀୟ ଚାପଠାରୁ ୬୦ ପ୍ରତିଶତ ଅଧିକ।
ବିଶ୍ୱରେ ପୃଥିବୀ ବ୍ୟତୀତ ଅନ୍ୟ କେଉଁଠାରେ ଏ ପର୍ଯ୍ୟନ୍ତ ଜୀବଜଗତ ଆବିଷ୍କୃତ ହୋଇନାହିଁ। ବୈଜ୍ଞାନିକମାନେ ଗବେଷଣା କରି ଜାଣିପାରିଛନ୍ତି ଯେ ଟିଟାନ୍ରେ ଥିବା ମିଥେନ୍ ଓ ଇଥେନ୍ ହ୍ରଦ ଓ ସମୁଦ୍ରରେ ଜୀବଜଗତ ଥିବାର ସମ୍ଭାବନା ଅଛି। ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ, ପୃଥିବୀରେ ଗୋଟିଏ ବ୍ୟାକ୍ଟେରିଆ ଅଛି, ଯାହା ଏସିଟିଲିନ ଭଳି ହାଇଡ୍ରୋଜେନ୍ ବଞ୍ଚତ୍ପାରୁଛି। ଏଣୁ ଟିଟାନ୍ରେ ଥିବା ମିଥେନ୍ ଓ ଇଥେନ୍ ହାଇଡ୍ରୋକାର୍ବନରେ ସୂକ୍ଷ୍ମଜୀବ ରହିବାରେ କୌଣସି ଅସୁବିଧା ନାହିଁ। ଏହି ଜୀବ ଶ୍ୱାସପ୍ରଶ୍ୱାସରେ ଅମ୍ଳଜାନ ଜାଗାରେ ଉଦ୍ଜାନ ନେବ, ଗ୍ଲୁକୋଜ ଜାଗାରେ ଏସିଟିଲିନ୍ ସହ ଏହାକୁ ବିପାଚନ କରିବ ଏବଂ ନିଃଶ୍ୱାସରେ ଅଙ୍ଗାରକାମ୍ଳ ଜାଗାରେ ମିଥେନ୍ ତ୍ୟାଗ କରିବ। ପରୀକ୍ଷା ଦ୍ୱାରା ଜଣାପଡ଼ିଛି ଯେ ପୃଥିବୀରେ ଯେପରି ଜୀବର ଉଦ୍ଭବ ହୋଇଥିଲା, ସେହିପରି ଗୋଟିଏ ରାସାୟନିକ ବିବର୍ତ୍ତନ ପାଇଁ ଟିଟାନ୍ରେ ଯଥେଷ୍ଟ ଜୈବିକ ବସ୍ତୁ ଅଛି।
ଯଦି ଟିଟାନ୍ରେ ଜୀବଜଗତ ଥାଏ, ତା’ହେଲେ ଏହାର ବାୟୁମଣ୍ଡଳରେ ଟ୍ରୋପୋସ୍ପିୟରରେ ଉଦ୍ଜାନ ଓ ଏମେଟିଲନ୍ ପରିମାଣ ଆଶାଠାରୁ କମ୍ ଥିବ। ଏହି ପରୀକ୍ଷା ପରବର୍ତ୍ତୀ ମହାକାଶ ଅଭିଯାନରେ କରିବା ପାଇଁ ଚିନ୍ତା କରାଯାଉଛି। ନାସା ଟିଟାନ୍ ପୃଷ୍ଠର ମାନଚିତ୍ର ପ୍ରକାଶ କରିବା ପରେ ଏହା ବର୍ତ୍ତମାନ ଜ୍ୟୋତିର୍ବିଦ୍ମାନଙ୍କୁ ଅଧିକ ଆକର୍ଷଣ କରିଛି। ନାସା ୨୦୨୬ ମସିହାରେ ଟିଟାନ୍ ପୃଷ୍ଠକୁ ଡ୍ରାଗନପ୍ଲାଏ ମହାକାଶଯାନ ପଠାଇ ତଥ୍ୟ ସଂଗ୍ରହ କରିବା ପାଇଁ ଯୋଜନା କରିଛି।
ଇଂ ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍-୧ ଭୁବନେଶ୍ୱର, ମୋ : ୯୪୩୮୬୯୩୭୨୦