ବହିର୍ବିଭାଗ ସମ୍ମୁଖରେ ଓହଳିଛି ବିଦ୍ୟୁତ୍‌ ତାର

ନାଉଗାଁ,୧୦।୯(ସ୍ବ.ପ୍ର.): ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୧୬ ପଞ୍ଚାୟତର ୧ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧରାଣ ସ୍ବାସ୍ଥ୍ୟସେବା ପାଇଁ ନିର୍ଭରଶୀଳ। ଏହି ସ୍ବାସ୍ଥ୍ୟକେନ୍ଦ୍ରର ବହିର୍ବିଭାଗ ସମ୍ମୁଖରେ କେନ୍ଦ୍ରର ବିଭିନ୍ନ ଓାର୍ଡ, କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିବାକୁ ମିଟର ବସାଯାଇଥିବା ବେଳେ ମେନ ସୁଇଚ ରହିଛି। ଏହି ମେନ ସୁଇଚ ନିକଟରୁ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସ୍ଥାନକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ସବୁଠାରୁ ଗୁରୁତ୍ୱପୂନ୍ନ କଥା ହେଲା ମେନ ସୁଇଚରେ ୨୨୦ ଭୋଲଟ ବିଦ୍ୟୁତ୍‌ ପ୍ରବାହିତ ହେଉଥିବା ବେଳେ ଏହା ବର୍ହିଃବିଭାଗ ସମ୍ମୁଖରେ ରହିଛି। ଉପରେ ବିପଦ ଲେଖା ହୋଇଥିବା ବେଳେ ଖୋଲା ମେଲାରେ ଓହଳିଛି ତାର। ଡାକ୍ତରଖାନାକୁ ଆସୁଥିବା ରୋଗୀ କିମ୍ବା ଛୋଟ ପିଲା ଅସାବଧାନତା ବଶତଃ ଯଦି ଉକ୍ତ ତାର ସଂସ୍ପର୍ଶରେ ଆସିବେ ତେବେ ଜୀବନ ବଞ୍ଚତ୍ବା କଷ୍ଟ ସାଧ୍ୟ ଅଟେ। ଦର୍ଘବର୍ଷ ଧରି ଖୋଲା ମେଲାରେ ତାର ଓହଳି ରହିଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ନ ପଡିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବାକୁ ଉପରିସ୍ଥ ପ୍ରଶାସନିକ ଅଧିକାରୀ ଆସୁଥିବା ବେଳେ ଏଥିପ୍ରତି ସେମାନଙ୍କର ଦୃଷ୍ଟି ପଡୁନାହିଁ। ଏପରି ତାର ଓହଳି ରହିବା ଜାଗାକୁ ଘେରାବନ୍ଧି କରିିବାକୁ ସାଧାରଣରେ ଦାବି କରାଯାଇଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ସୁନନ୍ଦନ ମହାନ୍ତିଙ୍କୁ ପଚାରିବାରେ ଉକ୍ତ ସ୍ଥାନକୁ ବକ୍ସ ସିଷ୍ଟମ କରିବାକୁ ଯଥାଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

 

Share