ଯୁବଶକ୍ତିର ବିକାଶ ଦ୍ୱାରା ଦେଶ ଓ ବିଶ୍ୱର ବିକାଶ ସମ୍ଭବ। ଯୁବଶକ୍ତି ବିଶ୍ୱରେ ଶାନ୍ତି ତଥା ସମାଜିକ ସମନ୍ବୟ ଆଣି ପାରିବେ। ଏଣୁ ଯୁବଶକ୍ତିର ବିକାଶ ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। ଯୁବକମାନଙ୍କ ସମସ୍ୟା ଓ ସେମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଆକର୍ଷଣ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ୧୯୯୯ରେ ଜାତିସଂଘର ସାଧାରଣ ପରିଷଦ ଅନ୍ତର୍ଜାତୀୟ ଯୁବ ଦିବସ ପ୍ରସ୍ତାବ ସ୍ବୀକାର କରିଥିଲା। ଅଗଷ୍ଟ ୧୨,୨୦୦୦ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଜାତିସଂଘ ପକ୍ଷରୁ ଏହି ଦିବସର ସ୍ଲୋଗାନ ରହିଛି‘ ‘ଯୁବକଙ୍କ ପାଇଁ ସୁରକ୍ଷିତ ସ୍ଥାନ’। ଏହି ଦିବସ ଅବସରରେ ସ୍କୁଲ୍ ଓ କଲେଜଗୁଡ଼ିକରେ ସଂକ୍ଷିପ୍ତ ନିବନ୍ଧ, ଦୀର୍ଘ ନିବନ୍ଧ ସମେତ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ।
୨୦୧୯ରେ ୧୫ ରୁ ୨୪ ବର୍ଷ ମଧ୍ୟରେ ବିଶ୍ୱରେ ଯୁବକଙ୍କ ସଂଖ୍ୟା ୧୨୦କୋଟି ଥିଲା। । ଏହା ବିଶ୍ୱ ଜନସଂଖ୍ୟାର ୧୬ ପ୍ରତିଶତ। ଏବେ କେନ୍ଦ୍ର ଓ ଦକ୍ଷିଣ ଏସିଆରେ ଏମାନଙ୍କ ସଂଖ୍ୟ ସବୁଠୁ ଅଧିକ ରହିଛି। ଚିନ୍ତାଜନକ ବିଷୟ ହେଉଛି, ୧୫ରୁ ୨୪ ବର୍ଷ ବୟସର ମହିଳାଙ୍କ ମଧ୍ୟରେ ଗର୍ଭଧାରଣ କ୍ଷମତା ହ୍ରାସପାଉଛି। ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁ ମେଦବହୁଳତା, ଡାଇବେଟିସ ଓ ବିଷାଦ ବଳୟରେ ଯୁବଶକ୍ତି ଛନ୍ଦି ହୋଇଯାଉଛି ଓ ଏହା ଲଗାତର ବୃଦ୍ଧି ପାଉଛି। ଏହା ବିଶ୍ୱସମୁଦାୟ ପାଇଁ ଏକ ବିପର୍ଯ୍ୟୟ ଆଣିବାର ସୂଚନା ଦେଉଛି। ମୋଟ ଉପରେ ୨୦୩୦ ସୁଦ୍ଧା ଯୁବଶକ୍ତି ପାଇଁ ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଅଣାଯାଇପାରିଲେ ବିଶ୍ୱର ସାମଗ୍ରିକ ବିକାଶ ଲକ୍ଷ୍ୟ ପୂରଣ ହୋଇପାରିବ।
ଭାରତ ଯୁବକଙ୍କ ଦେଶ। ଭାରତରେ ବିଶ୍ୱର ସବୁଠୁ ବଡ ଯୁବଶକ୍ତି ଅର୍ଥାତ ୩୫ ବର୍ଷ ବୟସରୁ କମ୍ ୬୫ କୋଟି ଯୁବକ ରହିଛନ୍ତି। ଫଳରେ ଆମ ଦେଶରେ ବିପୁଳ ଶ୍ରମଶକ୍ତି ଉପଲବ୍ଧ। ଦେଶର ଯୁବଶକ୍ତିକୁ ଉଚିତ ମାର୍ଗଦର୍ଶନ କରି ବିକାଶରେ ଭାଗୀଦାରି କରାଯାଇପାରିଲେ ବିକଶିତ ରାଷ୍ଟ୍ର ହେବାକୁ ଆମକୁ ବେଶି ସମୟ ଲାଗିବନି। ଯୁବକଙ୍କ ଲାଗି ଉତ୍ତମ ସଂସ୍କାର,ଶିକ୍ଷା, ସଶକ୍ତିକରଣ ଲୋଡା। ସେମାନେ ବିଭିନ୍ନ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିଲେ ଦେଶ ସ୍ବାବଲମ୍ବୀ ହେବ । ସେମାନଙ୍କଠାରେ ଥିବା ଅସୀମ ସମ୍ଭାବନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଏହି ଦିବସ ସ୍ମରଣ କରିଦିଏ।