ଦାମଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ଭୁବନେଶ୍ୱର/ନୂଆଦିଲ୍ଲୀ,୨୨ା୩: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଶୋକ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ଭେଟେରାନ ନେତା ଦାମୋଦର ରାଉତଙ୍କ ଦେହାନ୍ତରେ ମୁଁ ଦୁଃଖିତ। ଯିଏ ଓଡ଼ିଶା ସରକାରରେ ଅନେକ ଥର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଓଡ଼ିଶା ଏବଂ ଦେଶର ପ୍ରଗତିରେ ଶ୍ରୀ ରାଉତଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ପରିବାର ସଦସ୍ୟ ଏବଂ ଅନୁଗାମୀମାନଙ୍କୁ ମୋର ଗଭୀର ସମବେଦନା।

ସୂଚନାଯୋଗ୍ୟ, ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଭୋର୍‌ ୫ଟା ୨୩ରେ ଦାମଙ୍କର ପରଲୋକ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଦୀର୍ଘଦିନ ଧରି କିଡ୍‌ନୀଜନିତ ସମସ୍ୟାରେ ପୀଡ଼ିତ ଥିଲେ ଦାମ। ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ସେ ହୃଦ୍‌ଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ବ୍ରେନ୍‌ ଡେଡ୍‌ ଥିବା ପୁଅ ସମ୍ବିତ ସୂଚନା ଦେଇଥିଲେ।

Share