ରଥଯାତ୍ରାରେ ପୁରୀ ଆସିପାରନ୍ତି ରାଷ୍ଟ୍ରପତି

ପୁରୀ,୨୬ା୬(ଅଜିତ୍‌ କୁମାର ମହାନ୍ତି): ଆସନ୍ତା ୭ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ରତ୍ନବେଦିରୁ ବାହାରି ରଥାରୂଢ ହୋଇ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ଦେଶବିଦେଶର ଭକ୍ତଙ୍କ ସମାଗମ ହେବ। ପବିତ୍ର ଘୋଷଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିବା ନିମନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ। ରଥଯାତ୍ରା ଅବସରରେ ଜୁଲାଇ ୭ ଓ ୮ ତାରିଖରେ ରାଷ୍ଟ୍ରପତି ପୁରୀ ଗସ୍ତରେ ଆସିବେ ବୋଲି କୁହାଯାଉଛି। ତେବେ ରାଷ୍ଟ୍ରପତି ପୁରୀ ରାଜଭବନ କିମ୍ବା ଭୁବନେଶ୍ୱରରେ ରହିବେ ଏ ନେଇ ସୂଚନା ମିଳିନାହିଁ। ପ୍ରଶାସନ ପକ୍ଷରୁ ସୂଚନା ମିଳିବା ପରେ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ପ୍ରକୃତ ତଥ୍ୟ ମିଳିପାରିବ। ରାଷ୍ଟ୍ରପତି ଯଦି ରଥଯାତ୍ରାରେ ପୁରୀ ଆସିବେ ତେବେ ଏହା ତାଙ୍କର ଦ୍ୱିତୀୟ ଶ୍ରୀକ୍ଷେତ୍ର ଗସ୍ତ ହେବ ବୋଲି ଜଣାପଡ଼ିଛି।

Share