Categories: ଖେଳ

ଧୋନୀଙ୍କ ଲମ୍ବା କେଶର ପ୍ରଶଂସକ ଥିଲେ ଏହି ଦେଶର ରାଷ୍ଟ୍ରପତି

ରାଞ୍ଚି ଭଳି ଛୋଟ ସହରରୁ ଆସିଥିବା ଜଣେ ଯୁବକ ନିଜ ଦକ୍ଷତା ବଳରେ ଦିନେ କ୍ରିକେଟର ସବୁଠାରୁ ବଡ଼ ଆଇକନ୍‌ ହୋଇଯିବ ତାହା କେହି ଭାବି ନ ଥିେଲେ। ବୋଧେ ଧୋନୀ ନିଜେ ମଧ୍ୟ ନୁହଁ। ମହେନ୍ଦ୍ର ସିଂହ ଧୋନୀ ମଙ୍ଗଳବାର ୩୭ବର୍ଷ ବୟୟସରେ ପାଦ ଥାପିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଖେଳାଳିଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ଓ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ ଏହି ଅବସରରେ ଆସନ୍ତୁ ଜାଣିବା ଧୋନୀଙ୍କ ବିଷୟରେ କିଛି ଜଣା ଓ ଅଜଣା କଥା। ଧୋନୀଙ୍କ ଖେଳିବା ଷ୍ଟାଇଲ୍‌ କେତେଜଣଙ୍କୁ ପ୍ରେରଣା ଦେଇଥିଲା ବେଳେ ଆଉ କେତେକ ତାଙ୍କ ହେୟାର ଷ୍ଟାଇଲ୍‌ ପାଇଁ ପାଗଳ ଥିଲେ। ଲମ୍ବା କେଶରୁ ଆରମ୍ଭ କରି ଛୋଟ କେଶ ପର୍ଯ୍ୟନ୍ତ ଧୋନୀଙ୍କୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳେ। ଆଜି ବି ମାହିଙ୍କ ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ।

ତାଙ୍କ ଲମ୍ବା କେଶ ପାଇଁ କେବଳ ପ୍ରଶଂସକଙ୍କ ପାଗଳ ନୁହଁନ୍ତି। ଆଉ ଜଣେ ବି ବଡ଼ ପ୍ରଶଂସକ ରହିଛନ୍ତି। ସେ ଆଉ କେହି ନୁହଁନ୍ତି ଅତି ଜଣାଶୁଣା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ। ଯେତେବେଳେ ଧୋନୀ ଟିମ୍‌ ଇଣ୍ଡିଆରେ ସାମିଲ ହୋଇଥିଲେ ସେତେବେଳେ ତାଙ୍କ କେଶ ଲମ୍ବା ଥିଲା। ଆଉ ଏହି କେଶର ପାଗଳ ସାରା ଦୁନିଆ ଥିଲା। ଧୋନୀଙ୍କ ଲମ୍ବା କେଶର ପ୍ରଶଂସକ ତତ୍କାଳୀନ ପାକିସ୍ତାନ ରାଷ୍ଟ୍ରପତି ପରଭେଜ ମୁଶାରଫ ଏଭଳି ଥିଲେ ଯେ, କେଶର ପ୍ରଶଂସା କରିବାକୁ ଥକୁ ନ ଥିଲେ। ଏହାର ଉଦାହରଣ ୨୦୦୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ ଲାହୋରରେ ଅନୁଷ୍ଠିତ ହୋଇଥିବା ବେଳେ ଦଳରେ ମାହି ମଧ୍ୟ ସାମିଲ ଥିଲେ। ସେହି ସମୟରେ ଧୋନୀ ୪୬ ବଲ୍‌ରେ ୭୨ ରନ୍‌ ସଂଗ୍ରହ କରି ଭାରତୀୟ ଦଳକୁ ଚମତ୍କାର ବିଜୟ ଦେଇଥିଲେ। ମ୍ୟାଚ୍‌ ସରିବା ପରେ ଉପସ୍ଥାପନା ସମାରୋହରେ ପାକିସ୍ତାନ ରାଷ୍ଟ୍ରପତି ପହଞ୍ଚି ଧୋନୀଙ୍କୁ ପ୍ରଂଶସା କରିଥିଲେ। ଏଥିସହ ପରଭେଜ କହିଥିଲେ, ଷ୍ଟାଡିୟମ୍‌ରେ ଅନେକ ଲୋକ ପ୍ଲାକାର୍ଡ ଧରି କେଶ କାଟିବାକୁ ତୁମକୁ ପରାମର୍ଶ ଦେଉଥିବା ଦେଖିଛି।

କିନ୍ତୁ ଯଦି ମୋର ମତ ଗ୍ରହଣ କରିବ, ତେବେ ତୁମେ ତୁମର କେଶ କାଟିବା ଉଚିତ୍‌ ନୁହେଁ ବୋଲି ମୁଶରଫ ଧୋନୀଙ୍କୁ କହିଥିଲେ। କେବଳ ସେତିକି ନୁହେଁ ଉକ୍ତ ସମାରୋହରେ ମୁଶାରଫ ତତ୍କାଳୀନ ଭାରତୀୟ ଦଳର କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କୁ ଧୋନୀଙ୍କ ବିଷୟରେ ଆଲୋଚନା କରି ପଚାରିଥିଲେ, ତାଙ୍କୁ କେଉଁଠାରୁ ପାଇଲ। ସେହି ସମୟରେ ଗାଙ୍ଗୁଲି ମଧ୍ୟ ମଜାଳିଆ ଢ଼ଙ୍ଗରେ ତାଙ୍କୁ ଉତ୍ତର ଦେଇ କହିଥିଲେ, ଓ୍ବାଘା ବର୍ଡରରେ ବୁଲୁଥିଲେ, ସେଠାରୁ ଟାଣିକି ନେଇ ଆସିଥିଲି।

Share