ଆଜି ପୁରୀ, କୋଣାର୍କ ଆସିବେ ରାଷ୍ଟ୍ରପତି

ପୁରୀ ଅଫିସ/କୋଣାର୍କ,୨୨।୩ (ଡି.ଏନ୍‌.ଏ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ପୁରୀ ଓ କୋଣାର୍କ ଗସ୍ତରେ ଆସିବେ। ଏଥି ନିମନ୍ତେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ରବିବାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ଯଶୱନ୍ତ ଜେଠୱାଙ୍କ ତତ୍ତ୍ବାବଧାନରେ କାରକେଡ୍‌ ରିହର୍ସାଲ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୫ ଏସ୍‌ପି ପାହ୍ୟା ଅଫିସର, ୮ ଅତିରିକ୍ତ ଏସ୍‌ପି, ୨୫୦ ଅଧିକାରୀଙ୍କ ସମେତ ୪୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ବିଶ୍ରାମ ପାଇଁ ସର୍କିଟ ହାଉସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରୁ ଉଠାଦୋକାନୀଙ୍କୁ ହଟାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ସୋମବାର ପୂର୍ବାହ୍ନ ୮ଟା ୪୫ରେ ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିବେ। ସେଠାରୁ ଚକ୍ରତୀର୍ଥ ରୋଡ୍‌ ଦେଇ ଶ୍ରୀମନ୍ଦିର ଆସିବେ। ସିଂହଦ୍ୱାରଠାରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସ୍ବାଗତ ଜଣାଇବା ସହ ପାଛୋଟି ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବେ। ଦାରୁଦିଅଁ, ମା’ ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ ସାରି ରାଷ୍ଟ୍ରପତି ପ୍ରସ୍ଥାନ କରିବେ। ଶ୍ରୀମନ୍ଦିର ବାହାରେ ଥିବା କାରକେଡ୍‌ ପୁଣି ତାଙ୍କୁ ନେଇ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିବ। ସେଠାରୁ ସେ ହେଲିକପ୍ଟର ଯୋଗେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଯିବେ। ରାଷ୍ଟ୍ରପତିଙ୍କ ଲାଗି କୋଣାର୍କ ଆଇଓଏଫ୍‌ ବ୍ୟାଖ୍ୟାନ କେନ୍ଦ୍ର, ସୂର୍ଯ୍ୟମନ୍ଦିର ଓ ଯାତ୍ରୀନିବାସ ପ୍ରସ୍ତୁତ ହୋଇରହିଛି। ଯାତ୍ରୀନିବାସରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ହେଲିପ୍ୟାଡ୍‌ଠାରୁ ଆଇବି ଛକ, ରିଂ ରୋଡ୍‌, ମେଡିକାଲ ଛକ ଓ ଯାତ୍ରୀନିବାସ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍‌ କରାଯିବା ସହ ଏହି ରାସ୍ତା ପାର୍ଶ୍ୱସ୍ଥ ଦୋକାନବଜାର ବନ୍ଦ ରହିବ। ରବିବାରଠାରୁ ଏଠାକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ିି କରିଦିଆଯାଇଛି। ଏ ନେଇ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଜେଠୱା କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ପୁରୀ ଓ କୋଣାର୍କରେ ପ୍ରସ୍ତୁତିକୁ ବ୍ୟବସ୍ଥିତ କରାଯାଇଛି। ପୁରୀ ସହର ଓ ଶ୍ରୀମନ୍ଦିର ଚାରିପାଖ ସମେତ କୋଣାର୍କରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ସେହିପରି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଜିଲା ପ୍ରଶାସନ ଉଭୟ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ସହିତ ସମ୍ପର୍କ ରଖି ବ୍ୟବସ୍ଥା ଉପରେ ଧ୍ୟାନ ଦେଇଛି। ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ଲାଗି ପୁରୀ ପ୍ରଶାସନ ପୂରା ପ୍ରସ୍ତୁତ ରହିଛି। ରାଷ୍ଟ୍ରପତି କୋବିନ୍ଦଙ୍କ କୌଳିକ ସେବାୟତ ନାରାୟଣ ଗୋଚ୍ଛିକାର ମଧ୍ୟ ଏହି ଗସ୍ତ ନେଇ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।