Categories: ଖେଳ

ଆମ ଉପରେ ଚାପ ରହିବ: ରିଡ୍‌

ଭୁବନେଶ୍ୱର, ୨୨।୧: ହକି ବିଶ୍ୱକପର କ୍ରସ୍‌ ଓଭରରେ ଭାରତ ରବିବାର ନ୍ୟୁଜିଲାଣ୍ଡକୁ ଭେଟିବ। ବିଶ୍ୱ ର଼୍ୟାଙ୍କିଙ୍ଗରେ ଭାରତ ୬ ଓ ନ୍ୟୁଜିଲାଣ୍ଡ ୧୨ ନମ୍ବରରେ ରହିଛି। ଭାରତ ଘରୋଇ ପରିବେଶରେ ବିଶ୍ୱକପ ଖେଳୁଥିବାବେଳେ ନ୍ୟୁଜିଲାଣ୍ଡ ବାହାର ପରିବେଶରେ ଶ୍ରେଷ୍ଠ ପ୍ରଦର୍ଶନପାଇଁ ପ୍ରତିଶ୍ରୁତିବଦ୍ଧ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଯେଉଁ ଦଳ ବିଜୟୀ ହେବ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ। ତେଣୁ ଏହି ମ୍ୟାଚପାଇଁ ନ୍ୟୁଜିଲାଣ୍ଡ ଅପେକ୍ଷା ଭାରତ ଉପରେ ଚାପ ରହିବ। ଏହା ସ୍ବିକାର କରିଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌। ”ନ୍ୟୁଜିଲାଣ୍ଡ ହାରିଲେ ବିଶେଷ କିଛି ହରାଇବାର ନାହିଁ, ମାତ୍ର ଭାରତ ହାରିଲେ ଘରୋଇ ପରିବେଶରେ ଅନେକ କିଛି ହରାଇବ। ତେଣୁ ଆମ ଉପରେ ଚାପ ରହିବ“ ବୋଲି ଶନିବାର ଅନୁଷ୍ଠିତ ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ରିଡ୍‌ ପ୍ରକାଶ କରିଛନ୍ତି। ଓ୍ବେଲ୍ସ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ମାତ୍ର ଆଗାମୀ ମ୍ୟାଚରେ ଏହାର ପୁନରାବୃତ୍ତି ହେବନାହିଁ ବୋଲି ରିଡ୍‌ ଆଶା କରିଛନ୍ତି। ”ଜଣେ ଅଷ୍ଟ୍ରେଲୀୟ ଭାବେ ମୁଁ ଜାଣିଛି ଯେ ନ୍ୟୁଜିଲାଣ୍ଡ ସବୁବେଳେ ଏକ କଷ୍ଟସାଧ୍ୟ ପ୍ରତିଦ୍ୱନ୍ଦ୍ୱୀ। ଆମେ ଏହି ଦଳକୁ ସମ୍ମାନ କରିବା ଉଚିତ। ମାତ୍ର ଆମେ ଯେଉଁଦିନ ଶ୍ରେଷ୍ଠ ପ୍ରଦର୍ଶନ କରିବୁ ବିଶ୍ୱର ଯେ କୌଣସି ଦଳକୁ ହରାଇ ପାରିବୁ“ ବୋଲି ରିଡ୍‌ କହିଛନ୍ତି।
କିଛି ମାସ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରୋ-ଲିଗ୍‌ ମ୍ୟାଚରେ ଭାରତ ୨ ଥର ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ତେଣୁ ଏହି ଅଭିଜ୍ଞତା ଭାରତୀୟ ଖେଳାଳିଙ୍କ କାମରେ ଆସିବ ବୋଲି ରିଡ୍‌ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ପୂର୍ବ ମ୍ୟାଚ ଗୁଡ଼ିକରେ କରିଥିବା ତ୍ରୁଟିରୁ ଦଳ ଅନେକ କିଛି ଶିକ୍ଷା କରିଛି। ଏହାର ଯେପରି ପୁନରାବୃତ୍ତି ନ ହେବ ସେଥିପ୍ରତି ଦୃଷ୍ଟିଦେବୁ। ଏପରିକି ହାଫ୍‌ ଚାନ୍ସକୁ ଚାନ୍ସରେ ପରିଣତ କରି ଗୋଲ ସ୍କୋର କରିବାକୁ ଚେଷ୍ଟା କରିବୁ ବୋଲି ଅଧିନାୟକ ହରମନପ୍ରୀତ ସିଂ ପ୍ରକାଶ କରିଛନ୍ତି। ”ଆମେ ଆରମ୍ଭରୁ ନ୍ୟୁଜିଲାଣ୍ଡ ଉପରେ ଚାପ ପକାଇବାକୁ ଚେଷ୍ଟା କରିବୁ। ଯଦି ଆମେ ତାହା କରିପାରିବୁ ତେବେ ଅଧିକରୁ ଅଧିକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିପାରିବୁ। ଫଳରେ ଯଥାଶୀଘ୍ର ଗୋଲ ସ୍କୋର କରିପାରିବୁ“ ବୋଲି ହରମନପ୍ରୀତ କହିଛନ୍ତି।

Share