ଅନୁଗୋଳ ଅଫିସ, ୪।୨: ଅନୁଗୋଳ ଜିଲାର କେତୋଟି ମଦ କାଉଣ୍ଟରରେ ବିକ୍ରି ହେଉଛି ଏକ୍ସପାଏରୀ ମଦ। କେଇମାସ ପୂର୍ବରୁ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ବୋତଲରେ ନୂଆ ଷ୍ଟିକର ଲଗାଇ ବିକ୍ରି କରାଯାଉଛି। ଏପରି କି ପ୍ରିଣ୍ଟ ମୂଲ୍ୟଠାରୁ କିଛି ଟଙ୍କା ଅଧିକ ନିଆଯାଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ ଉପଜିଲାପାଳଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ବିବିଧ ଶୃଙ୍ଖଳା ଟିମ୍ ଚଢ଼ାଉ କରି ଏ ନେଇ ତାଗିଦ୍ କରୁଥିଲେ ବି ସମ୍ପୃକ୍ତ ବ୍ୟବସାୟୀମାନେ ତାହାକୁ ଖାତିର କରୁ ନ ଥିବା ଦେଖାଯାଉଛି।
କରୋନା ସ୍ଥିତି ସୁଧୁରିବା ପରେ ଦୀର୍ଘଦିନ ଧରି ବନ୍ଦ ରହିଥିବା ମଦ କାଉଣ୍ଟରଗୁଡ଼ିକୁ ସରକାର ଖୋଲିବାକୁ ଅନୁମତି ଦେଇଥିଲେ। ଏଥିସହ ମୂଲ୍ୟ ମଧ୍ୟ ବଢ଼ାଇ ଦେଇଥିଲେ। ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦୋକାନଗୁଡ଼ିକରେ ବିକ୍ରି କରାଯିବା ସହ ହୋମ୍ ଡେଲିଭରି ମଧ୍ୟ ଆରମ୍ଭ କରାଯାଇଥିଲା। ଏବେ ସେହି ଅବସ୍ଥା ଆଉ ନାହିଁ। କଟକଣା ସମ୍ପୂର୍ଣ୍ଣ କୋହଳ କରାଯାଇଥିବାରୁ ସକାଳୁ ରାତିଯାଏ କାଉଣ୍ଟରଗୁଡ଼ିକରେ ଏହି ନିଶା ପାନୀୟ ବିକ୍ରି ହେଉଛି। ଶଟ୍ଡାଉନ ଓ ଲକ୍ଡାଉନ୍ ଯୋଗୁ ବିକ୍ରି ହୋଇ ନ ପାରି ରହିଯାଇଥିବା ମଦ ବିକିବାକୁ ସରକାର ଅବଧି ସମୟକୁ ୬ ମାସରୁ ୯ ମାସକୁ ବୃଦ୍ଧି କରିଛନ୍ତି। ଏଥିସହ କେଉଁ ଦରରେ ବିକ୍ରି କରାଯିବ ତାହାର ମୂଲ୍ୟ ମଧ୍ୟ ବୋତଲ ଉପରେ ପ୍ରିଣ୍ଟ କରାଯାଇଛି। କିନ୍ତୁ ଅନୁଗୋଳ ଜିଲାର କେତେକ କାଉଣ୍ଟରରେ ସରକାର ଧାର୍ଯ୍ୟ କରିଥିବା ୯ ମାସ ସମୟ ପୂରଣ ହୋଇଥିଲେ ମଧ୍ୟ ବ୍ୟବସାୟୀମାନେ ତାହାକୁ ହଟାଇ ନ ଥିବା ବିବିଧ ଶୃଙ୍ଖଳା ଟିମ୍ ଦେଖିବାକୁ ପାଇଛି। ଗତମାସରେ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ମଦ ଦୋକାନଗୁଡ଼ିକ ଯାଞ୍ଚ ବେଳେ ଏହି ଟିମ୍ ଏକ୍ସପାଏରୀ ନିଶା ପାନୀୟ ବିକ୍ରି ହେଉଥିବାରୁ ଉଦ୍ବେଗ ପ୍ରକାଶ କରିଥିଲା। ତୁରନ୍ତ ଏପରି କାରବାର ବନ୍ଦ କରିବାକୁ ତାଗିଦ୍ କରିବା ସହ ଜରିମାନା ମଧ୍ୟ ଆଦାୟ କରିଥିଲା। କିନ୍ତୁ ଲାଭଖୋର କେତେଜଣ ବ୍ୟବସାୟୀ ଏକ୍ସପାଏରୀ ହୋଇଯାଇଥିବା ମଦ ବୋତଲରେ ନୂଆ ଷ୍ଟିକର ଲଗାଇ ତାହାକୁ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏହାଛଡ଼ା ପ୍ରିଣ୍ଟ ମୂଲ୍ୟଠାରୁ ଅଧିକ ଅର୍ଥ ସେଲ୍ସମ୍ୟାନମାନେ ଦାବି କରୁଛନ୍ତି। ଏ ନେଇ ଗରାଖ ପ୍ରଶ୍ନ କଲେ ସେମାନଙ୍କୁ ନାଲିଆଖି ଦେଖାଯାଉଛି ବୋଲି ଅନେକେ ଅଭିଯୋଗ କରୁଛନ୍ତି। ହେଲେ ଅବକାରୀ ବିଭାଗ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏହି ନିଶା ପାନୀୟର ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଧାର୍ଯ୍ୟଠାରୁ ଅଧିକ ମୂଲ୍ୟ ବେଆଇନ
ଅଳ୍ପଦିନ ହେଲା ଜିଲାର ଦାୟିତ୍ୱ ନେଇଛି। ପ୍ରିଣ୍ଟଥିବା ଦରଠାରୁ କୌଣସି ବ୍ୟବସାୟୀ ଅଧିକ ଅର୍ଥ ନେଇପାରିବେ ନାହିଁ। ଯଦି କେଉଁଠି ଅଧିକ ଅର୍ଥ ନିଆଯାଉଥିବ ଓ ଏକ୍ସପାଏରୀ ମଦ ବିକ୍ରି କରାଯାଉଥିବ ତା’ହେଲେ ସେଠାରେ ଚଢ଼ାଉ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ବିବେକାନନ୍ଦ ନାୟକ, ଅବକାରୀ ଏସ୍ପି, ଅନୁଗୋଳ
ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ
ଅବଧି ତାରିଖ ମଧ୍ୟରେ ମଦ ବିକ୍ରି କରାଯିବା କଥା। ସରକାରଙ୍କ ପକ୍ଷରୁ ଏକ୍ସପାରି ତାରିଖ ବଢ଼ାଯିବା ପରେ ଦୋକାନୀଙ୍କୁ ନୂଆ ଷ୍ଟିକର ମାରିବାକୁ କୁହାଯାଇଛି। କିନ୍ତୁ କେତେକ ସ୍ଥାନରେ ସରକାରୀ ଅବଧି ଶେଷ ହୋଇଥିଲେ ମଧ୍ୟ ମଦ ବିକ୍ରି କରାଯାଉଥିବା ବିବିଧ ଶୃଙ୍ଖଳା ଟିମ୍ ଦେଖିବାକୁ ପାଇ ତାଗିଦ୍ କରିଥିଲା। ଯଦି ଏହାକୁ ଅମାନ୍ୟ କରାଯାଉଛି, ତା’ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
-ବାସୁଦେବ ଶତପଥୀ, ଉପଜିଲାପାଳ, ଅନୁଗୋଳ
ବିଭାଗୀୟ କର୍ମଚାରୀଙ୍କ ସମ୍ପୃକ୍ତି ରହୁଛି
ଜିଲାର ବିଭିନ୍ନ ମଦ ଦୋକାନରେ ଭିନ୍ନ ଭିନ୍ନ ଦର ନିଆଯାଉଛି। ବୋତଲରେ ମୂଲ୍ୟ ଲେଖା ଥିଲେ ବି ତାହାଠାରୁ ଅଧିକ ଟଙ୍କା ଦାବି କରାଯାଉଛି। ଅବଧି ଶେଷ ହୋଇଥିବା ମଦ ବିକ୍ରି କରିବାକୁ ବ୍ୟବସାୟୀମାନେ ଭୟ କରୁନାହାନ୍ତି। ଅବକାରୀ ବିଭାଗର କେତେଜଣ କର୍ମଚାରୀଙ୍କ ସମ୍ପୃକ୍ତି ପାଇଁ ଏହି ବ୍ୟବସାୟୀମାନେ ଏପରି ବେଆଇନ କାରବାର କରୁଛନ୍ତି।
-ରଶ୍ମିରଞ୍ଜନ ସାହୁ, ଅନୁଗୋଳବାସୀ
ସରକାର ଦର ଧାର୍ଯ୍ୟ କରୁଛନ୍ତି
ମଦର ମୂଲ୍ୟ କେତେ ରହିବ ତାହା ସରକାର ଧାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ବୋତଲ ଉପରେ ଦର ଉଲ୍ଲେଖ କରାଯାଉଛି। ଏହାଠାରୁ କେହି ଅଧିକ ମୂଲ୍ୟ ନେବା କଥା ନୁହେଁ। ତେବେ ଅନୁଗୋଳରେ କାହିଁକି ଏପରି କରାଯାଉଛି ସେ ନେଇ ଆମ ନିକଟରେ କୌଣସି ସୂଚନା ନଥାଏ। ଅବକାରୀ ବିଭାଗ ପକ୍ଷରୁ ଏହା ଯାଞ୍ଚ କରାଯିବା କଥା। ଆମେ କେବଳ ବିୟର ଦର ସମ୍ପର୍କରେ ସରକାର ଓ ଅବକାରୀ ବିଭାଗକୁ ଅବଗତ କରୁଛୁ।
-ନିନା ବେଉରା, ଶାଖା ମ୍ୟାନେଜର, ଓଡ଼ିଶା ପାନୀୟ ନିଗମ