ନୂଆଦିଲ୍ଲୀ,୧୭।୧: ବିମାନ ଇନ୍ଧନ ବା ଏଟିଏଫ୍ ମୂଲ୍ୟ ରବିବାର ୪.୨% ବୃଦ୍ଧି ପାଇଛି। ଚଳିତ ମାସରେ ଏହା ୨ୟ ଥର ପାଇଁ ବୃଦ୍ଧି ଘଟିଥିବା ସୂଚନା ମିଳିଛି। ଏହି ବୃଦ୍ଧି ଅନ୍ତର୍ଜାତୀୟ ତୈଳ ଦର ବୃଦ୍ଧି ଯୋଗୁ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ କ୍ରମାଗତ ୭୨ ଦିନ ହେବ ଅପରିବର୍ତ୍ତିତ ରହିଛି। ରାଷ୍ଟ୍ରାୟତ୍ତ ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ୧୬ ଜାନୁୟାରୀରେ ଏଭିଏଶନ ଟର୍ବାଇନ ଇନ୍ଧନ (ଏଟିଏଫ୍)ର ମୂଲ୍ୟ ୩,୨୩୨.୮୭ ଟଙ୍କା ପ୍ରତି କିଲୋଲିଟର ପିଛା ବା ୪.୨୫% ବୃଦ୍ଧି ପାଇଛି। ଏହା ଫଳରେ ଦିଲ୍ଲୀରେ ଏଟିଏଫ୍ ମୂଲ୍ୟ ୭୯,୨୯୪.୯୧ ଟଙ୍କା ପ୍ରତି କିଲୋଲିଟର ପିଛା ରହିଛି। ଜାନୁୟାରୀ ୧ରେ ୨,୦୩୯.୬୩ ଟଙ୍କା ବା ୨.୭୫% ବୃଦ୍ଧି ପାଇ ୭୬,୦୬୨.୦୪ ଟଙ୍କାରେ ରହିଥିଲା। ନଭେମ୍ବର ମଧ୍ୟଭାଗରେ ଏଟିଏଫ୍ ମୂଲ୍ୟ ୮୦, ୮୩୫.୦୪ ଟଙ୍କା ପ୍ରତି କିଲୋଲିଟରରେ ରହିଥିଲା। ଡିସେମ୍ବର ୧ ଏବଂ ୧୫ରେ ଏହି ମୂଲ୍ୟରେ ୬,୮୧୨.୨୫ ଟଙ୍କା (୮.୪%) ହ୍ରାସ ପାଇଥିଲା। ଆମଦାନୀ ଆଧାରରେ ଜେଟ୍ ଇନ୍ଧନ ମୂଲ୍ୟ ପ୍ରତି ମାସର ୧ ଏବଂ ୧୬ ତାରିଖରେ ସଂଶୋଧିତ ହୋଇଥାଏ। ଏଟିଏଫ୍ ପରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ମଧ୍ୟ ପ୍ରତିଦିନ ସଂଶୋଧିତ ହୁଏ କିନ୍ତୁ ୨୦୨୧ ନଭେମ୍ବର ୪ ପରଠାରୁ ଏହାର ମୂଲ୍ୟ ଅପରିବର୍ତ୍ତିତ ରହିଛି। ସେତେବେଳେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କା ହ୍ରାସ କରିଥିଲେ। ଦିଲ୍ଲୀରେ ପେଟ୍ରୋଲର ଲିଟର ୯୫.୪୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ୮୬.୬୭ ଟଙ୍କା ରହିଛି ବୋଲି ରାଜ୍ୟ ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ ସୂଚନାରୁ ଜଣାପଡିଛି। କେନ୍ଦ୍ରର ଉତ୍ପାଦ ଶୁଳ୍କ ହ୍ରାସ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସାରା ଦେଶରେ ରେକର୍ଡ ସ୍ତରରେ ରହିଥିଲା। ଏପରି କି ଅଧିକାଂଶ ସହରରେ ପେଟ୍ରୋଲ ଲିଟର ପିଛା ୧୦୦ ଟପି ଯାଇଥ୍ତ୍ବା ବେଳେ ଡିଜେଲ ଦର ମଧ୍ୟ ୧୦୦ ଟଙ୍କା ଅତିକ୍ରମ କରିଥିଲା। ଦିଲ୍ଲୀରେ ପେଟ୍ରୋଲ ଲିଟର ୧୧୦.୦୪ ଏବଂ ଡିଜେଲ ୯୮.୪୨ ଟଙ୍କାରେ କାରବାର ହୋଇଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧.୮୦ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୧.୬୨ ଟଙ୍କା ରହିଥିବା ସୂଚନା ମିଳିଛି।