Categories: ବାଣିଜ୍ୟ

ସୁନା ଦର ୫୬ ହଜାର ଟଙ୍କା ଟପିଲା

ନୂଆଦିଲ୍ଲୀ,୬।୮: ଦେଶ ମଧ୍ୟରେ ସୁନା ଦର ବର୍ତ୍ତମାନ ଲଗାତର ବୃଦ୍ଧି ପାଇଁ ଚାଲିଛି। ବୁଧବାର ୧୦ ଗ୍ରାମ ପିଛା ସୁନା ଦର ୧୩୬୫ ଟଙ୍କା ବଢ଼ିବା ଯୋଗୁ ନୂଆଦିଲ୍ଲୀରେ ଏହା ୫୬,୧୮୧ ଟଙ୍କା ଛୁଇଁଛି। ବିଶ୍ୱ ବଜାରର ପ୍ରଭାବ ଫଳରେ ଭାରତରେ ଏଭଳି ସ୍ଥିତି ଉପୁଜିଛି ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟି ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ରୁପା ଦର ମଧ୍ୟ ବଢ଼ିଛି। ରୁପାର କିଲୋ ପ୍ରତି ଦର ୫,୯୭୧ ଟଙ୍କା ବଢ଼ିବା ଯୋଗୁ ଏହା ୭୨,୭୨୬ ଟଙ୍କା ଛୁଇଁଛି। ଏହାର ପୂର୍ବ କାରବାରରେ ରୁପା ଦର ୬୬,୭୪୫ ଟଙ୍କା ରହିଥିଲା। କିଛି ଦିନ ତଳେ ଏହାର ମୂଲ୍ୟ ୫୪,୮୧୬ ଟଙ୍କା ରହିଥିବା ବେଳେ ଏଥିରେ ଲଗାତର ବୃଦ୍ଧି ପରିଲକ୍ଷିତ ହୋଇଛି। ନୂଆଦିଲ୍ଲୀରେ ସୁନାର ସ୍ପଟ୍‌ ମୂଲ୍ୟ ୧୩୬୫ ଟଙ୍କା ବଢ଼ିଥିବା ବେଳେ ବିଶ୍ୱ ବଜାରର ପ୍ରଭାବ ଯୋଗୁ ଏହା ହୋଇଥିବା ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜର କମୋଡିଟିଜ୍‌ ବରିଷ୍ଠ ଆନାଲିଷ୍ଟ ତପନ ପଟେଲ ସୂଚନା ଦେଇଛନ୍ତି।
ସେହିଭଳି ଅନ୍ତର୍ଜାତୀୟ ବଜାର କଥା ଦେଖିଲେ ସୁନା ଦର ୨୦୩୨ ଡଲାର ପ୍ରତି ଆଉନ୍ସ ରହିଛି। ଏହି ସମୟରେ ରୁପାର ଆଉନ୍ସ ପିଛା ଦର ୨୬.୪୦ ଡଲାର ଟଙ୍କା ଛୁଇଁଛି। ଅର୍ଥନୈତିକ ମାନ୍ଦାବସ୍ଥା, କରୋନାର ପ୍ରଭାବ ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ହେବା ଯୋଗୁ ସୁନା ମୂଲ୍ୟ ନୂଆ ରେକର୍ଡ ସ୍ତରରେ ରହିଥିବା ପଟେଲ ମତ ପ୍ରକାଶ କରିଛନ୍ତି। ସେହିଭଳି ରିଲାଏନ୍ସ ସିକ୍ୟୁରିଟିଜର ସିନିୟର ରିସର୍ଚ୍ଚ ଆନାଲିଷ୍ଟ ଶ୍ରୀରାମ ଆୟାର କହିଛନ୍ତି, ଲୋକମାନେ ସୁନାକୁ ନିବେଶର ଏକ ନିରାପଦ ବିକଳ୍ପ ଭାବେ ବିଚାର କରୁଛନ୍ତି। କୋଭିଡ୍‌ ଏବଂ ବିଶ୍ୱ ମାନ୍ଦାବସ୍ଥା ସମୟରେ ସୁନା ଅନ୍ୟ କୌଣସି ବିକଳ୍ପ ତୁଳନାରେ ଭଲ ରିଟର୍ନ ଦେବ ବୋଲି ନିବେଶକମାନେ ସୁନା କିଣୁଛନ୍ତି। ଏହାର ପ୍ରଭାବ ବଜାର ଉପରେ ପଡିଛି।
ମୋତିଲାଲ ଓସ୍‌ଓ୍ବାଲ ଫାଇନାନ୍ସିଆଲ ସର୍ଭିସେସ୍‌ର କମୋଡିଟି ଏବଂ କରେନ୍ସି ମୁଖ୍ୟ କିଶୋର ନାର୍‌ନେ କହିଛନ୍ତି, ଚଳିତ ବର୍ଷ ସୁନା ଏବଂ ରୁପା ସର୍ବୋତ୍ତମ ପରଫରମାନ୍ସ କରିଥିବା ଆସେଟ୍‌ ଭାବେ ବିବେଚିତ ହୋଇଛି। ଏହି ବର୍ଗରେ ଯଥାକ୍ରମେ ୪୦% ଏବଂ ୫୦% ରିଟର୍ନ ମିଳିଛି। ଏହି ଧାରା ଆଗାମୀ ଦିନଗୁଡିକରେ ମଧ୍ୟ ଲାଗି ରହିବ। ବଜାରକୁ ଅଧିକ ନଗଦ ଉପଲବ୍ଧ କରାଇବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ପଦକ୍ଷେପ ନେଉଥିବା ବେଳେ ବାଣିଜ୍ୟ ଯୁଦ୍ଧ ଆଶଙ୍କା, ଭୌଗୋଳିକ ଏବଂ ରାଜନୈତିକ ଅନିଶ୍ଚିତତା, କୋଭିଡ୍‌ ମାମଲା ବୃଦ୍ଧି ଯୋଗୁ ସୁନା ବଜାର ଉପରେ ଏହାର ପ୍ରଭାବ ପଡୁଛି। ସୁନା ଦରରେ ବୃଦ୍ଧି ଧାରା ଲାଗି ରହିପାରେ ବୋଲି ନାର୍‌ନେ ମତବ୍ୟକ୍ତ କରିଛନ୍ତି।

Share