Categories: ବାଣିଜ୍ୟ

କ୍ଷୀର ଦର ୨ଟଙ୍କା ବଢ଼ାଇଲା ମଦର ଡେରୀ

ଭୁବନେଶ୍ୱର,୧୧।୭:  ଦେଶର ଅଗ୍ରଣୀ ଦୁଗ୍ଧ ଜାତୀୟ ସାମଗ୍ରୀ ବିକ୍ରେତା ମଦର ଡେରୀ ପକ୍ଷରୁ କ୍ଷୀର ଲିଟର ଦିଲ୍ଲୀ ସମେତ ଅନ୍ୟ ସହରରେ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଏହି ନୂଆ ଦର ରବିବାରଠାରୁ ଲାଗୁ ହେବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ କମ୍ପାନୀ ୨୦୧୯ ଡିସେମ୍ବରରେ କ୍ଷୀର ଦାମ ବୃଦ୍ଧି କରିଥିଲା। ଦିଲ୍ଲୀରେ ଦୈନିକ ୩୦ ଲକ୍ଷ ଲିଟରରୁ ଅଧିକ କ୍ଷୀର ମଦର ଡେରୀ ବିକ୍ରି ହୋଇଥାଏ। ଏହା ପୂର୍ବରୁ ଅମୂଲ କମ୍ପାନୀ ଜୁଲାଇ ୧ରୁ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। ବର୍ତ୍ତମାନ ମଦର ଡେରୀର ଟୋନ୍ଡ ମିଲ୍କ ପ୍ରତି ଲିଟର ୪୨ ଟଙ୍କାରୁ ବଢି ୪୪ ଟଙ୍କାରେ ପହଞ୍ଚତ୍ଛି। ଏହାର ଫୁଲ୍‌ କ୍ରିମ୍‌ ମିଲ୍କ ଏକ ଲିଟରକୁ ୫୫ ରୁ ୫୭ ଟଙ୍କା ହୋଇଛି। ସେହିଭଳି ୪୭ ଟଙ୍କାରେ ମିଳୁଥିବା ଗାଈକ୍ଷୀର ବର୍ତ୍ତମାନ ୪୯ ଟଙ୍କାରେ ମିଳିବ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ମଦର ଡେରୀ ପକ୍ଷରୁ କୁହାଯାଇଛି,୨୦୨୧ ଜୁଲାଇ ୧୧ ତାରିଖରୁ ଦିଲ୍ଲୀ-ଏନ୍‌ସିଆର୍‌ରେ କ୍ଷୀର ଦାମ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଏହି ନୂତନ ଦର ସଂସ୍ଥାର ସମସ୍ତ ପ୍ରଡକ୍ଟ ପାଇଁ ଲାଗୁ ହେବ। ବର୍ତ୍ତମାନ ସମୟରେ କମ୍ପାନୀ ମୁଦ୍ରାସ୍ପୀତି ଚାପ ଦେଇ ଗତି କରୁଛି, ଯାହା ଗତ ବର୍ଷେ ହେଲା ଅନେକ ଗୁଣ ବଢ଼ିଯାଇଛି। କରୋନା ମହାମାରୀ ଯୋଗୁ କ୍ଷୀର ଉତ୍ପାଦନ ମଧ୍ୟ ସଙ୍କଟ ଦେଇ ଗତି ରହିଛି। ଗତ ୩ରୁ ୪ ସପ୍ତାହରେ କେବଳ ଦୁଗ୍ଧଚାଷୀଙ୍କ କ୍ଷୀର ଦାମ ପ୍ରାୟ ୪% ବୃଦ୍ଧି ପାଇଛି। ଗତ ବର୍ଷେ ହେଲା କ୍ଷୀର କିଣିବାକୁ ଅଧିକ ଦେୟ ଦେବାକୁ ପଡୁଛି। ଏହା ସତ୍ତ୍ୱେ ଉପଭୋକ୍ତା ଦର ସମାନ ରଖାଯାଇଥିଲା। ଏହି ଦର ସଂଶୋଧନ ପରେ କ୍ଷୀର ଦାମରେ ୪% ସଂଶୋଧନ କରାଯାଇଛି ବୋଲି କମ୍ପାନୀ ମତବ୍ୟକ୍ତ କରିଛି।

Share