Categories: ଫୁରସତ

ସ୍ବେଟରର ଦାମ ୯ କୋଟି

ଆଗକୁ ଶୀତଦିନ ଆସୁଛି। ଏମିତିରେ ତ ସମସ୍ତଙ୍କର ସ୍ବେଟର ଥାଏ। ତଥାପି କେହି କେହି ଲାଟେଷ୍ଟ ଡିଜାଇନ୍‌ର ସ୍ବେଟର ପାଇଁ ନୂଆ ସ୍ବେଟର ବି କିଣନ୍ତି। ଆଉ ବଜାରରେ ଶସ୍ତା ମହଙ୍ଗା ବିଭିନ୍ନ ପ୍ରକାରର ସ୍ବେଟର ମିଳେ। ତେବେ କେବେ ୯ କୋଟି ଟଙ୍କାର ସ୍ବେଟର କଥା ଶୁଣିଛନ୍ତି? ବିଶ୍ୱାସ ନ ହେଲେ ବି ନିକଟରେ ୯ କୋଟିରେ ଏକ ସ୍ବେଟର ନିଲାମ ହୋଇଛି। ଏହାବାଦ୍‌ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ସ୍ବେଟର ବହୁତ ପୁରୁଣା ଓ ଦେଖିବାକୁ ବି ସାଧାରଣ। ତଥାପି ଏହାର ମୂଲ୍ୟ ଏତେ। ଭାବୁଥିବେ ଏହାର ମୂଲ୍ୟ କାହିଁକି ଏତେ ଅଧିକ। ପ୍ରକୃତ କଥା ହେଉଛି ସାଧାରଣ ଲାଗୁଥିଲେ ହେଁ ଏହି ସ୍ବେଟର ସାଧାରଣ ନୁହେଁ। କାରଣ ଦିନେ ଏହି ସ୍ବେଟରର ମାଲିକ ଥିଲେ ବ୍ରିଟେନର ପୂର୍ବତନ ରାଜ କୁମାରୀ ପ୍ରିନ୍ସେସ୍‌ ଡାଏନା। ଯେକି ବ୍ରିଟେନ ରାଜା ପ୍ରିନ୍ସ ଚାର୍ଲସଙ୍କ ପତ୍ନୀ ଏବଂ ପ୍ରିନ୍ସ ହ୍ୟାରୀ ଓ ପ୍ରିନ୍ସ ଓ୍ବିଲିୟମଙ୍କ ମା’। ନିକଟରେ ପ୍ରିନ୍ସେସ ଡାଏନାଙ୍କର ଏହି ସ୍ବେଟର ନିଲାମ ହୋଇଛି।
ଆଉ ଏହାକୁ ଜନୈକ ବ୍ୟକ୍ତି ୯ କୋଟିରେ କିଣି ନେଇଛନ୍ତି। ୧୯୮୧, ଜୁନ ମାସରେ ପ୍ରିନ୍ସେସ୍‌ ଡାଏନାଙ୍କର ଏଙ୍ଗେଜମେଣ୍ଟ ପ୍ରିନ୍ସ ଚାର୍ଲସ୍‌ଙ୍କ ସହ ହେବା ପରେ ଡାଏନା ଏକ ପୋଲୋ ମ୍ୟାଚ୍‌ରେ ସାମିଲ ହୋଇଥିଲେ। ସେତେବେଳେ ତାଙ୍କ ବୟସ ମାତ୍ର ୧୯ ବର୍ଷ ହୋଇଥାଏ। ଏହି ମ୍ୟାଚ୍‌ରେ ହିଁ ଡାଏନା ଉକ୍ତ ସ୍ବେଟର ପିନ୍ଧିଥିଲେ। ସେତେବେଳେ ଉକ୍ତ ଲାଲ ସ୍ବେଟର ପିନ୍ଧା ପ୍ରିନ୍ସେସ୍‌ ଡାଏନାଙ୍କ ଫଟୋ ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ଆଉ ଏହା ଷ୍ଟାଇଲ ଷ୍ଟେଟମେଣ୍ଟ ପାଲଟିଯାଇଥିଲା। ଲାଲ ରଙ୍ଗର ଉକ୍ତ ସ୍ବେଟରଟିରେ ଅନେକ ଧଳା ମେଣ୍ଢା ଥିବାବେଳେ ଏକ କଳା ମେଣ୍ଢା ବି ଥିଲା।

Share