ଭାପୁର,୧୬ା୧୦(ଡି.ଏନ.ଏ.): ସେପ୍ଟେମ୍ବର ଓ ଅକ୍ଟୋବରରେ ହେଉଥିବା ଲଘୁଚାପ ଜନିତ ବର୍ଷା ଓ ମହାନଦୀରେ ବନ୍ୟା ଫଳରେ ନୟାଗଡ଼ ଜିଲାର ଭାପୁର ବ୍ଲକ୍ର ପନିପରିବା ଚାଷ ପ୍ରଭାବିତ ହୋଇଛି। ଚାଷୀଙ୍କ ଉତ୍ପାଦନ କମିଛି । ଜିଲା ବାହାରୁ ଆବଶ୍ୟକ ପରିମାଣର ପରିବା ଆସୁନାହିଁ । ଏଣେ କାର୍ତ୍ତିକ ମାସ ଯୋଗୁ ପନିପରିବା ଚାହିଦା ବଢୁଛି । ଫଳରେ ଭାପୁର , ଗୋଳାପୋଖରୀ, ବିଜିପୁର, ଫତେଗଡ଼, ବାହାଡା, ଗୋଳାପୋଖରୀ ବଜାରରେ ପନିପରିବା ଦର ଆକାଶଛୁଆଁ ହୋଇଛି । ନିତିଦିନିଆ ହାଣ୍ଡିଶାଳର ଜରୁରୀ ପରିବା ଭାବେ ଜଣାଶୁଣା ଫୁଲକୋବି, ବାଇଗଣ, ସଜନା ଛୁଇଁ, ଭେଣ୍ଡି, ପୋଟଳ, ବନ୍ଧାକୋବି, ବିଲାତି, ଝୁଡଙ୍ଗ, କଲରା ଆଦିର ଦର ଖାଉଟିଙ୍କୁ ବାଧୁଛି । ବଜାରରେ ଫୁଲକୋବି ଏବଂ ବିନ୍ସ କିଲୋପ୍ରତି ୧୨୦ ଟଙ୍କା ବିକ୍ରି ହେଉଛି । ସଜନା ଛୁଇଁ କିଲୋ ୧୮୦ ଟଙ୍କା ରହିଛି । ଗାଜର, ବିଟ୍ ଆଦି ୮୦ ଟଙ୍କା ଉପରେ ରହିଥିବା ବେଳେ ବନ୍ଧା କୋବି, ବାଇଗଣ, ବିଲାତି, ପୋଟଳ, ଝୁଡଙ୍ଗ, କାଙ୍କଡ, କଲରା, ଭେଣ୍ଡି କିଲୋ ୬୦ ଟଙ୍କା ଉପରେ ରହିଛି । ସେହିଭଳି କଞ୍ଚାଲଙ୍କା କିଲୋପ୍ରତି ୧୦୦ ଟଙ୍କା ବିକ୍ରି ହେଉଥିବାବେଳେ କ୍ୟାପ୍ସିକମ୍ କିଲୋ ୧୫୦ ଟଙ୍କାରୁ ଅଧିକ ବିକ୍ରି ହେଉଛି । କଖାରୁ କିଲୋ ପିଛା ୨୦ ଟଙ୍କା ଏବଂ କଞ୍ଚା କଦଳୀ ଗୋଟା ୧୦ ଟଙ୍କା ବିକ୍ରି ହେଉଛି । କରବର, ନଣ୍ଡାବର, ମାଣିତ୍ରୀ, ହନୁମନ୍ତପ୍ରସାଦ ଗ୍ରାମରେ ବିଭିନ୍ନ ପନିପରିବା ଚାଷ କରାଯାଏ । ହେଲେ ବନ୍ୟା ଯୋଗୁ ପରିବା ଚାଷ ଉଜୁଡି ଯାଇଛି । କିଛିଦିନ ହେଲା ବଜାରକୁ ଖାଉଟୀଙ୍କ ଚାହିଦା ମୁତାବକ ପରିବା ଆସିପାରୁନାହିଁ । ବାହାରୁ ଆସୁଥିବା ପରିବା ଆମଦାନୀ ଦର ଅନୁଯାୟୀ ଏଠାରେ ବିକ୍ରି କରିବାକୁ ବେପାରୀମାନେ ବାଧ୍ୟ ହେଉଛନ୍ତି । ତେଣୁ ପରିବା ଦରବୃଦ୍ଧିର ଏହା ଏକ ପ୍ରମୁଖ କାରଣ ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ପରିବା ଦର ବଢୁଥିବାରୁ ପକେଟକୁ ବାଧୁଥିବା କହିଛନ୍ତି ଭାପୁର ଅଞ୍ଚଳର ସାଧାରଣ ଖାଉଟି ।