Categories: ଖେଳ

ଦେଶର ଗର୍ବ ନୀରଜ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଛନ୍ତି ଭାରତର ଷ୍ଟାର ଆଥଲେଟ ନୀରଜ ଚୋପ୍ରା। ହଙ୍ଗେରୀର ବୁଦାପେଷ୍ଟରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ଜିତିଛନ୍ତି ସ୍ବର୍ଣ୍ଣ ପଦକ। ପ୍ରଥମ ଭାରତୀୟ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି।

ଗତ ମାସରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଛନ୍ତି ଭାରତର ଷ୍ଟାର୍‌ ଆଥଲେଟ ନୀରଜ ଚୋପ୍ରା। ଟୋକିଓ ଅଲିମ୍ପିକ୍ସ ପରେ ପୁନର୍ବାର ନୀରଜ ଜାଭେଲିନ୍‌ ଥ୍ରୋରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛନ୍ତି। ଏଥି ସହିତ ଦେଶ ପାଇଁ ରଚିଛନ୍ତି ନୂଆ ଇତିହାସ। ହଙ୍ଗେରୀର ବୁଦାପେଷ୍ଟରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଜିତିଛନ୍ତି ସ୍ବର୍ଣ୍ଣ ପଦକ। ପ୍ରଥମ ଭାରତୀୟ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି। ନୀରଜ ୮୮.୧୭ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପାକିସ୍ତାନର ଅର୍ଶଦ ନଦୀମ ସିଜନର ଶ୍ରେଷ୍ଠ ପ୍ରଦର୍ଶନ ୮୭.୮୨ ମିଟର ଥ୍ରୋ କରି ରୌପ୍ୟ ପଦକ ଲାଭ କରିଛନ୍ତିି। ଚେକ୍‌ ଗଣରାଜ୍ୟର ଜାକବ ଭାଡଲେଚ୍‌ ବ୍ରୋଞ୍ଜପଦକ ଜିତିଛନ୍ତି। ଓଡ଼ିଆ ପୁଅ କିଶୋର ଜେନା ତାଙ୍କ କ୍ୟାରିୟରର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୪.୭୭ ମିଟର ଥ୍ରୋ ମାଧ୍ୟମରେ ୫ମ ସ୍ଥାନରେ ରହିଥିଲେ ମଧ୍ୟ କୋଟି କୋଟି କ୍ରୀଡାପ୍ରେମୀଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଛନ୍ତି। ପ୍ରଥମ ଓଡ଼ିଆ ଆଥ୍‌ଲେଟ ଭାବେ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶ ଗ୍ରହଣ କରି ୫ମ ସ୍ଥାନରେ ରହିଥିଲେ ମଧ୍ୟ ସମସ୍ତଙ୍କୁ ପ୍ରଭାବିତ କରିବାକୁ ସକ୍ଷମ ହୋଇଛନ୍ତି କିଶୋର।
ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଅଲିମ୍ପିକ୍ସ ପରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଆଥଲେଟିକ୍ସ ପ୍ରତିଯୋଗିତା। ଏଥିରେ ସଫଳ ହେଉଥିବା ପ୍ରତିଯୋଗୀମାନେ ଅଲିମ୍ପିକ୍ସ ପଦକ ପାଇବା ପାଇଁ ଦେଶ ପକ୍ଷରୁ ଦୃଢ଼ ଦାବିଦାର ରହିଥାନ୍ତି। ପ୍ରଥମ ଥ୍ରୋରେ କିଶୋର ଖରାପ ପ୍ରଦର୍ଶନ କରିଥିବା ବେଳେ ପଞ୍ଚମ ପ୍ରୟାସରେ ୮୪ମିଟର ମାର୍କ ଅତିକ୍ରମ କରି ୪ର୍ଥ ସ୍ଥାନକୁ ଆସିବା ସହିତ ପଦକ ଆଶା ଉଜ୍ଜୀବିତ କରିଥିଲେ। ମାତ୍ର ୫ମ ଥ୍ରୋରେ ସେ ୮୪.୨୪ ମିଟର ଜାଭେଲିନ୍‌ ପକାଇଥିଲେ ଏବଂ ଅନ୍ତିମ ପର୍ଯ୍ୟାୟରେ ସେ ଏକ ଫାଉଲ ଥ୍ରୋ କରିବାରୁ ଜର୍ମାନୀର ଅନ୍ୟତମ ଷ୍ଟାର ଆଇଲେଟ ଜୁଲିଆନ ୱେବର ୪ର୍ଥ ସ୍ଥାନରେ ରହିଥିଲେ। କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଥିବା କିଶୋର ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଗତ ଜୁଲାଇରେ କଲମ୍ବୋଠାରେ ଅନୁଷ୍ଠିତ ଶ୍ରୀଲଙ୍କା ନ୍ୟାଶନାଲ ଆଥଲେଟିକ୍ସ ଚାମ୍ପିୟନଶିପରେ ୮୪.୩୮ମିଟର ଜାଭେଲିନ୍‌ ଥ୍ରୋ କରି ସେ ରେକର୍ଡ କରିଥିଲେ। ୨୦୧୭ରୁ ରାଜ୍ୟସ୍ତରରେ ଜାଭେଲିନ୍‌ ଥ୍ରୋରେ ଚମକ ଦେଖାଇଥିବା କିଶୋର ୨୦୨୧ରୁ ଜାତୀୟ ସ୍ତରରେ ପ୍ରଦର୍ଶନର ଛାପ ଛାଡିବା ସହିତ ଚଳିତ ବର୍ଷ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ଛାପ ଛାଡି ଅନ୍ତର୍ଜାତୀୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।
ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ପ୍ରତିଯୋଗିତାର ଫାଇନାଲ୍‌ ପାଇଁ ୩ଜଣ ଭାରତୀୟ ଯୋଗ୍ୟ ବିବେଚିତ ହେବା ଏକ ରେକର୍ଡ । ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ନୀରଜ, କିଶୋର ଏବଂ ଡି.ପି. ମନୁ ରହିବା ଏକ ନୂଆ ରେକର୍ଡ। ଜାଭେଲିନ୍‌ ଇଭେଣ୍ଟ ଆରମ୍ଭ ହେବା ମାତ୍ରେ ଅଲିମ୍ପିକ୍ସ ଚାମ୍ପିୟନ ନୀରଜଙ୍କ ଗୋଲଡେନ ଥ୍ରୋ ଉପରେ ସାରା ବିଶ୍ୱର ନଜର ରହିଥିଲା। ନୀରଜ ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ। ମାତ୍ର ଦ୍ୱିତୀୟ ପ୍ରୟାସରେ ୮୮.୧୭ ମିଟର ଥ୍ରୋ କରିଥିଲେ। ଯାହାକି ତାଙ୍କୁ ସ୍ବର୍ଣ୍ଣପଦକ ଆଣି ଦେଇଥିଲା। ମଧ୍ୟଭାଗରେ ନୀରଜ ଏବଂ ପାକିସ୍ତାନର ନଦୀମଙ୍କ ମଧ୍ୟରେ ବଡ଼ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ନଦୀମ ଆରମ୍ଭରୁ ଦୁଇଟି ପ୍ରୟାସରେ ଭଲ ପ୍ରଦର୍ଶନ କରି ପାରି ନ ଥିଲେ। ମାତ୍ର ତୃତୀୟ ପ୍ରୟାସରେ ୮୭.୮୨ ମିଟର ଥ୍ରୋ କରି ନୀରଜଙ୍କ ନିକଟତର ହୋଇପାରିଥିଲେ। ନୀରଜଙ୍କ ପରବର୍ତ୍ତୀ ୨ଟି ଥ୍ରୋ ଖରାପ ଥିଲା। ନଦୀମ ମଧ୍ୟ ପରବର୍ତ୍ତୀ ୨ଟି ଥ୍ରୋରେ ଖରାପ ପ୍ରଦର୍ଶନ କରିବାରୁ ନୀରଜଙ୍କର ସ୍ବର୍ଣ୍ଣ ପଦକ ଜିତିବା ନିଶ୍ଚିତ ହୋଇଯାଇଥିଲା।
ବିଶ୍ୱ ଚାମ୍ପିୟନଶିପରେ ଏହା ନୀରଜଙ୍କର ଦ୍ୱିତୀୟ ପଦକ। ୨୦୨୨ରେ ସେ ରୌପ୍ୟ ପଦକ ପାଇଥିଲେ। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଉପହାର ଦେଇଥିବା୨୫ବର୍ଷୀୟ ଭାରତର ଏହି ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୯.୯୪ ମିଟର ରହିଛି। ନୀରଜ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସିଆନ ଗେମ୍ସରେ ଭାରତ ପକ୍ଷରୁ ତ୍ରିରଙ୍ଗାଧାରୀ ହୋଇଥିବା ବେଳେ ଉଭୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୨୧ ପର୍ଯ୍ୟନ୍ତ ନୀରଜ ଏବଂ ଅଭିନବ ବିନ୍ଦ୍ରା ଭାରତ ପକ୍ଷରୁ ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିବାରେ ଗୌରବ ଅର୍ଜନ କରିଛନ୍ତି। ଅଲିମ୍ପିକ୍ସରେ ସେ ବ୍ୟକ୍ତିଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିବାରେ ଭାରତର ସବୁଠାରୁ କନିଷ୍ଠ ଏବଂ ତାଙ୍କର ପ୍ରଥମ ପଦାର୍ପଣରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ପ୍ରଥମ ଭାରତୀୟ ଅଟନ୍ତି। ୨୦୨୩ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ପ୍ରଥମ ଗୋଲ୍ଡ ମେଡାଲ ଜିତି ସେ ଭାରତୀୟ ଜାଭେଲିନ ଇତିହାସରେ ରେକର୍ଡ ସୃଷ୍ଟି କରିଛନ୍ତି।
୨୦୧୩ରେ ନୀରଜ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣ ୱାଲର୍‌ଡ ୟୁଥ ଚାମ୍ପିୟନଶିପରେ ଆରମ୍ଭ କରିଥିଲେ। ଯାହାକି ୟୁକ୍ରେନଠାରେ ଅନୁଷ୍ଠିତ ହୋଇଥିଲା। ବ୍ୟାଙ୍କକ୍‌ଠାରେ ଅନୁଷ୍ଠିତ ୟୁଥ ଅଲିମ୍ପିକ୍ସ କ୍ୱାଲିଫିକେଶନରେ ୨୦୧୪ରେ ପ୍ରଥମ ସିଲଭର ମେଡାଲ ଜିତିବା ସହିତ ସେହିବର୍ଷ ସିନିୟର ନ୍ୟାଶନାଲ ଚାମ୍ପିୟନଶିପରେ ୭୦ ମିଟର ଲାଇନ କ୍ରସ୍‌ କରାଇ ନିଜର ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଥିଲେ। ୨୦୧୫ରେ ଜୁନିୟର କାଟାଗୋରିରେ ଥିବା ବିଶ୍ୱରେକର୍ଡକୁ ଭାଙ୍ଗିବାକୁ ସକ୍ଷମ ହୋଇଥିଲେ। ଅଲ୍‌ ଇଣ୍ଡିଆ ୟୁନିଭରସିଟି ଆଥଲେଟିକ୍ସ ମିଟ୍‌ରେ ୮୧.୦୪ ମିଟର ଥ୍ରୋ କରି ରେକର୍ଡ କରିଥିଲେ ନୀରଜ। ୨୦୧୬ରୁ ୨୦୧୮ ତାଙ୍କ କ୍ୟାରିୟରର ମୋଡ ବଦଳାଇ ଦେବା ସହିତ ପୋଲାଣ୍ଡରେ ଅନୁଷ୍ଠିତ ଆଇଏଏଏଫ୍‌ ବିଶ୍ୱ୨୦ ବର୍ଷରୁ କମ୍‌ ଚାମ୍ପିୟନଶିପରେ ୮୬.୪୮ ମିଟର ଥ୍ରୋ କରି ପ୍ରଥମ ଭାରତୀୟ ରୂପେ ବିଶ୍ୱ ରେକର୍ଡ କରିଥିଲେ। ରିଓ ଅଲିମ୍ପିକ୍ସରେ ଆଘାତଜନିତ ସମସ୍ୟା ଯୋଗୁ ଭାଗ ନେଇ ନ ପାରିବା ସବୁଠାରୁ ଖରାପ ସମୟ ଥିଲା। ୨୦୨୦ ଟୋକିଓ ଅଲିମ୍ପିକ୍ସ କରୋନା ମହାମାରୀ ଯୋଗୁ ୨୦୨୧ ଅନୁଷ୍ଠିତ ହୋଇଥିଲା। ଏହା ତାଙ୍କପାଇଁ ବେଶ୍‌ ଶୁଭ ସାବ୍ୟସ୍ତ ହୋଇଥିଲା। ଆଘାତ ସମସ୍ୟା ଯୋଗୁ ମଧ୍ୟ ସେ ୨୦୧୯ ଦୋହା ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇ ପାରି ନ ଥିଲେ।
ଏଏଫ୍‌ଆଇ (ଆଥଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ) ୨୦୧୮ରେ ତାଙ୍କ ନାମ ମେଜର ଧ୍ୟାନଚାନ୍ଦ ଖେଳରନତ୍ ପୁରସ୍କାର ପାଇଁ ସୁପାରିସ କରିଥିଲା। ମାତ୍ର ସେ ଏହିବର୍ଷ ଅର୍ଜ୍ଜୁନ ପୁରସ୍କାର ପାଇଥିଲେ। ୨୦୨୧ରେ ତାଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରନତ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୨୨ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ତାଙ୍କ ପରି ଜଣେ ସଫଳ କ୍ରୀଡାବିତ୍‌ ପାଇଁ ଦେଶ ଗର୍ବିତ। ଆଗାମୀ ପ୍ୟାରିସ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରି ସେ ଦେଶକୁ ନିଶ୍ଚିତ ଗୌରବାନ୍ବିତ କରିବେ ବୋଲି ଆଶା ରହିଛି।

ଡାଇମଣ୍ଡ ଲିଗ୍‌ରେ ରୌପ୍ୟ
ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିବାର ୫ ଦିନ ପରେ ଜୁରିଚ୍‌ଠାରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି ନୀରଜ। ଏଥିରେ ସେ ୮୫.୭୧ ମିଟର ଜାଭେଲିନ ଥ୍ରୋ କରିଥିଲେ। ଚେକ୍‌ ରିପବ୍ଲିକର ଜାକବ ଭାଡଲେଚ୍‌ ୮୫.୮୬ ମିଟର ସହ ସ୍ବର୍ଣ୍ଣ ଏବଂ ଜର୍ମାନୀର ଜୁଲିଆନ ଓ୍ବେବର ୮୫.୦୪ ମିଟର ସହ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସ୍ବର୍ଣ୍ଣିମ ସଫଳତା ପାଇ ନ ଥିଲେ ମଧ୍ୟ ଏହାକୁ ନେଇ ଚିନ୍ତିତ ନୁହନ୍ତି ନୀରଜ। ଯୁକ୍ତରାଷ୍ଟ୍ର ଆମେରିକାର ୟୁଜିନିଠାରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ ଏବଂ ଆଗାମୀ ଅଲିମ୍ପିକ୍ସ ପାଇଁ ସେ ସୁଇଜରଲାଣ୍ଡରେ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି।

ନିର୍ମଳ କୁମାର ମିଶ୍ର

Share