
ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ଅଶୋକ କୁମାର ଦାସ। ୨୦୨୪ ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ବିଷ୍ଣୁବ୍ରତ ରାଉତରାୟଙ୍କୁ ୬୩୧ ଖଣ୍ଡ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି। ଅଶୋକ ୭୭,୮୪୩ ଖଣ୍ଡ ଭୋଟ ପାଇଥିବାବେଳେ ବିଷ୍ଣୁବ୍ରତଙ୍କୁ ୭୭,୨୧୨ ଭୋଟ ମିଳିଥିଲା। ଦୀର୍ଘ ୩୪ ବର୍ଷର ବ୍ୟବଧାନ ପରେ କଂଗ୍ରେସ ଏଠାରେ ବିଜୟୀ ହୋଇଥିବା ବେଳେ ଭଦ୍ରକ ଜିଲାରୁ ଦଳ ଏକମାତ୍ର ଆସନ ପାଇଛି।
୧୯୬୭ ଫେବୃଆରୀ ୨୮ରେ ବାଲେଶ୍ୱର ଜିଲା ନୀଳଗିରି ଟାଉନରେ ଅଶୋକ ଜନ୍ମଗ୍ରହଣ କରିଥିଲେ। ହେଲେ ବାସୁଦେବପୁର ପୌରପାଳିକାର ନିଉଇଣ୍ଡିଆ ସାହିରେ ତାଙ୍କ ଘର। ମାତା ସାବିତ୍ରୀଲତା ଦାସ ଓ ପିତା ସ୍ବର୍ଗତ ନିତ୍ୟାନନ୍ଦ ଦାସ। ପିତା ପୂର୍ବତନ ବିଦ୍ୟୁତ୍ କର୍ମଚାରୀ ଥିଲେ। ୪ ଝିଅ, ୨ ପୁଅଙ୍କ ମଧ୍ୟରେ ଅଶୋକ ଦ୍ୱିତୀୟ। ଛାତ୍ର ଜୀବନରୁ ସାମାଜିକ କାର୍ଯ୍ୟରେ ସେ ନିଜକୁ ଜଡ଼ିତ କରିଥିବା ବେଳେ ଲୋକଙ୍କ ସହ ଯୋଡ଼ିହେବା ଏବଂ କୁସ୍ତି କସରତରେ ପସନ୍ଦ ରଖିଥିଲେ। ପିତାଙ୍କ ଚାକିରି ଯୋଗୁ ନୀଳଗିରିରେ ରହିବା ସମୟରେ ସେଠାରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ ହୋଇଥିଲା। ସେ ସ୍ନାତକୋତ୍ତର କରିବା ସହ ଆଇନରେ ଡିଗ୍ରୀ ହାସଲ କରିଛନ୍ତି। ୧୯୮୮-୮୯ ଶିକ୍ଷାବର୍ଷରେ ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ରେ ବାସୁଦେବପୁର ନିର୍ବାଚନମଣ୍ଡଳୀର ଛାତ୍ର କଂଗ୍ରେସ ସଭାପତି ଓ ପରେ ନଗର କଂଗ୍ରେସ ସଭାପତି ଭାବେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୨୦୧୩ରେ ସେ ୧୬ନଂ. ୱାର୍ଡରୁ କାଉନସିଲର ଭାବେ ନିର୍ବାଚିତ ହୋଇ ଏନ୍ଏସି ଅଧ୍ୟକ୍ଷ ହୋଇଥିଲେ। ତାଙ୍କ ପ୍ରଚେଷ୍ଟାରେ ବାସୁଦେବପୁର ଏନ୍ଏସି ପୌରପାଳିକା ମାନ୍ୟତା ପାଇବା ପରେ ପୌରାଧ୍ୟକ୍ଷ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ୨୦୧୭ରେ ପିସିସି ପକ୍ଷରୁ ତାଙ୍କୁ ଭଦ୍ରକ ଜିଲା ସଭାପତି ଦାୟିତ୍ୱ ଦିଆଯାଇଥିଲା। ୨୦୨୦ରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ବାସୁଦେବପୁରରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୨୩ରେ ପୁନର୍ବାର ତାଙ୍କୁ ଜିଲା ସଭାପତି ଦାୟିତ୍ୱ ମିଳିଥିଲା। ୨୦୨୪ ନିର୍ବାଚନ ଜିତିବା ପରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳ ପକ୍ଷରୁ ବିଧାନସଭାରେ ତାଙ୍କୁ ବିଧାୟକ ଦଳ ଉପନେତା ଦାୟିତ୍ୱ ଦିଆଯାଇଛି। ଅଶୋକ ହାଇସ୍କୁଲ ଛକ କାଳୀ କମିଟିର ପ୍ରତିଷ୍ଠାତା ସମ୍ପାଦକ, ଜଣେ ସଫଳ କ୍ରୀଡ଼ାବିତ୍ ଭାବେ ଜଣାଶୁଣା।
ବିଧାୟକ କହନ୍ତି
ବାସୁଦେବପୁର ନିର୍ବାଚନମଣ୍ଡଳୀର ବିକାଶ ଓ ଏହାକୁ ଦୁର୍ନୀତିମୁକ୍ତ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି। ସାଧାରଣ ଜନତା କିପରି ନ୍ୟାୟ ପାଇବେ ଓ ସରକାରୀ ସୁବିଧା ସୁଯୋଗ ଲାଭ କରିପାରିବେ ତାହା ତାଙ୍କର ପ୍ରାଥମିକତା ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇ ସେ ରାଜନୀତିରେ ସାମିଲ ହୋଇଥିଲେ ବୋଲି କହିଛନ୍ତି।
ରିପୋର୍ଟ: ନାରାୟଣ ପ୍ରସାଦ ବାରିକ୍, ବାସୁଦେବପୁର