ଅବ୍ୟବସ୍ଥାରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ

ଅମରପାଲି,୨୭ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଦୁର୍ଜନତୈଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ନା ନା ଅବ୍ୟବସ୍ଥାରେ ଚାଲିଛି। ଆଦିବାସୀବହୁଳ ଗ୍ରାମରେ ପ୍ରାଥମିକ ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ୨୦୦୩ ମସିହାରେ ଉକ୍ତ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଅଧିକାଂଶ ଆଦିବାସୀ ଛାତ୍ରୀଛାତ୍ର ପାଠ ପଢୁଛନ୍ତି । ଦୁର୍ଜନତୈଲା ସମେତ ପ୍ରାୟ ୨କିମି ଦୂରରେ ଥିବା ଗନିଆଁ ଜଙ୍ଗଲ ଅଞ୍ଚଳରୁ ମଧ୍ୟ ଏହି ସ୍କୁଲକୁ ଛାତ୍ରୀଛାତ୍ର ପାଠ ପଢିବାକୁ ଆସିଥାନ୍ତି। ତେବେ ପାଞ୍ଚଟି ଶ୍ରେଣୀ ପାଇଁ ମାତ୍ର ଦୁଇଟି କୋଠରୀ ରହିଛି। ସ୍କୁଲରେ ଅଫିସ ଗୃହ ନାହିଁ। ଦୁଇଟି କୋଠରୀରେ ୫ଟି ଶ୍ରେଣୀର ପାଠପଢା ହେବା ସହିତ ଅଫିସ କାର୍ୟ୍ୟ ଚାଲିଥାଏ। ତେଣୁ ପିଲାଙ୍କ ପାଠପଢାରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି। ସୁରକ୍ଷା ପାଇଁ ସବୁ ସ୍କୁଲରେ ଏବେ ପାଚେରି କରାଯାଉଥିବା ବେଳେ ଏଠାରେ ସ୍ଥାୟୀ ପାଚେରି ନାହିଁ। ପାଚେରି କହିଲେ ତାରଜାଲିର ବାଡା ଦିଆଯାଇଛି। ଶ୍ରେଣୀ କୋଠରୀଗୁଡିକର ଚଟାଣ ପଲସ୍ତରା ଉଠିଗଲାଣି। ସରକାର ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା ଦେଇ ସ୍କୁଲଗୁଡିକ ରୂପାନ୍ତରିକରଣ କରୁଥିବା ବେଳେ ଉକ୍ତ ସ୍କୁଲ ପ୍ରତି ପ୍ରଶାସନର ଅବହେଳା ଜଳଜଳ ହୋଇ ଦେଖାଯାଉଛି। ସ୍କୁଲରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ ା ଏନେଇ ଉକ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଲତା ନାଏକଙ୍କୁ ପଚାରିବରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ବାଧ୍ୟ ହୋଇ ଦୁଇଟି ଶ୍ରେଣୀରେ ପାଞ୍ଚଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବସାଇ ପାଠ ପଢାଉଛୁ ବୋଲି ପ୍ରକାଶ କରିଛନ୍ତି। ଯଥାଶୀଘ୍ର ନୂତନ ଶ୍ରେଣୀଗୃହ ଓ ଶିକ୍ଷକ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରୁଛନ୍ତି।

Share