Categories: ଜାତୀୟ

ଯୋଗୀଙ୍କ ବିଫଳତାକୁ ଲୁଚାଇ ପାରିବେ ନାହିଁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬ା୭- ମହାମାରୀ କରୋନାର ଦ୍ୱିତୀୟ ଲହର ଉତ୍ତର ପ୍ରଦେଶକୁ ଥରାଇ ଦେଇଛି। ଏହାର ମୁକାବିଲା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ। ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ପ୍ରଶଂସା। ମୋଦିଙ୍କ ମିଛ ପ୍ରଶଂସା ଯୋଗୀ ସରକାରଙ୍କ ବର୍ବରତା, ଅବହେଳା ଓ ବିଫଳତାକୁ ଲୁଚାଇ ପାରିବ ନାହିଁ। ଶୁକ୍ରବାର ଏଭଳି ସମାଲୋଚନା କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା।

ଆସନ୍ତା ମାର୍ଚ୍ଚ ଆଡ଼କୁ ୟୁପିରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ନିଜ ସଂସଦୀୟ ଆସନ ବାରାଣାସୀକୁ ଗସ୍ତ କରିଥିଲେ। ଏହି ଅବସରରେ ଯୋଗୀଙ୍କୁ ବେଶ୍‌ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ। ଯୋଗୀଙ୍କ ଅଭୂତପୂର୍ବ କୋଭିଡ୍‌ ମୁକାବିଲା ଯୋଗୁ ରାଜ୍ୟର ସ୍ଥିତି ସୁଧୁରିବାରେ ଲାଗିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହାର ଦିନକ ପରେ ପ୍ରିୟଙ୍କା ଟୁଇଟ୍‌ କରିଛନ୍ତି, ମହାମାରୀ ଯୋଗୁ ରାଜ୍ୟବାସୀ ଯେଉଁ ଦୁଃଖ ସହିଛନ୍ତି, ତାହା ପ୍ରଧାନମନ୍ତ୍ରୀ ଭୁଲି ପାରନ୍ତି। କିନ୍ତୁ ରାଜ୍ୟବାସୀ ଭୁଲି ପାରିବେ ନାହିଁ।

Share