Categories: ଜାତୀୟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣର ଏକ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆଭାସୀ ଜରିଆରେ ପିଏମ୍ ଜନମନ୍ ଯୋଜନା ଅଧିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଏକ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ଜନମନ ଯୋଜନାର ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଭାବ ବିନିମୟ କରିଛନ୍ତି।

ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ସୁରକ୍ଷିତ ଘର, ପିଇବା ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ସଡକ ଏବଂ ଟେଲି ଯୋଗାଯୋଗ ସଂଯୋଗ ସହିତ ଜୀବିକାର ସୁଯୋଗ ଯୋଗାଇଦେବା ଲାଗି ଏହି ଯୋଜନାରେ ପଦକ୍ଷେପ ନିଆଯାଉଛି। ୯ଟି ମନ୍ତ୍ରଣାଳୟ ଜରିଆରେ ଏହି ଯୋଜନାରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପାଇଁ ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ବଜେଟ୍‌‌ରେ ବ୍ୟବସ୍ଥା ରହିଛି। ବିଶେଷ କରି ଦୁର୍ବଳ ଜନଜାତି ଗୋଷ୍ଠୀର ସାମାଜିକ– ଅର୍ଥନୈତିକ ସ୍ଥିତି ସୁଧାରିବା ପାଇଁ ସରକାର ଏହି ଯୋଜନାରେ ଲକ୍ଷ୍ୟ ରଖିଛନ୍ତି।

ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ସମୟରେ ଦେବଗଡ଼ ଜିଲ୍ଲା ବାର୍କୋଟ୍ ବ୍ଲକ୍ ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଶ୍ରୀ ପ୍ରଧାନ କହିଛନ୍ତି, ଦେଶରେ ବିଶେଷ କରି ପାହାଡ଼ ଓ ଜଙ୍ଗଲ ଅଞ୍ଚଳରେ ୨୪ଲକ୍ଷ ପାଉଡି ଭୂୟାଁ ଆଦିମ ଜନଜାତି ବସବାସ କରୁଛନ୍ତି। ତେଣୁ ଏହି ସମ୍ପ୍ରଦାୟର ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ନଭେମ୍ବର ମାସ ୧୫ତାରିଖ ଜନଜାତି ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ-ପିଏମ୍ ଜନମନ୍ ଶୁଭାରମ୍ଭ କରିଛନ୍ତି।

 

Share