ପ୍ରଧାନମନ୍ତ୍ରୀ ଓଡ଼ିଆଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ବିଶ୍ୱ ଆଗରେ ପ୍ରତିପାଦିତ କରିଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧।୩ (ବ୍ୟୁରୋ) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱରଠାରେ ଦଳର କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ଶୁଣିଛନ୍ତି। ଏହି କାର୍ଯ୍ୟକ୍ରମରେ ନିଜ କାମ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ଓଡ଼ିଶା ଜଗତସିଂହପୁର ଜିଲାର ସିଲୁ ନାୟକଙ୍କୁ ସାଧୁବାଦ ଜଣାଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବକଙ୍କୁ ସେନାରେ ଭର୍ତ୍ତି ହେବା ପାଇଁ ପ୍ରଶିକ୍ଷଣ ଦେଉଥିବା ଜଗତ୍‌ସିଂହପୁର ଜିଲାର ସିଲୁଙ୍କ କାମକୁ ପ୍ରଶଂସା କରିଛନ୍ତି। ଏହାଦ୍ୱାରା ପୁଣି ଥରେ ଓଡ଼ିଆ ଲୋକଙ୍କ ପାଖରେ ଥିବା ଦୃଢ଼ ଇଚ୍ଛାଶକ୍ତିକୁ ଦେଶ ଓ ବିଶ୍ୱ ଆଗରେ ପ୍ରଧାନମନ୍ତ୍ରୀ ପ୍ରତିପାଦିତ କରିଛନ୍ତି। ପୋଲିସ ଚାକିରି କରିବା ପାଇଁ ଅନେକ ଉଦ୍ୟମ ସତ୍ତ୍ୱେ ବିଫଳ ହେବା ପରେ ନାୟକ ସାର୍‌ ମହାଗୁରୁ ବାଟାଲିୟନରେ ୩୦୦ରୁ ଅଧିକ ଯୁବକଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି। ଏହାଦ୍ୱାରା ଯୁବକଙ୍କୁ ସେନାରେ ଭର୍ତ୍ତି କରିବା ପାଇଁ ତାଙ୍କର ଯେଉଁ ଇଚ୍ଛାଶକ୍ତି କେବଳ ଯୁବ ସମାଜକୁ ପ୍ରେରଣା ଦେବ ନାହିଁ ବରଂ ଭାରତୀୟ ସେନାରେ ଭର୍ତ୍ତିହେବା ପାଇଁ ସେମାନଙ୍କ ମନୋବଳକୁ ମଧ୍ୟ ବଢ଼ାଇବ।

Share