Categories: ଜାତୀୟ

ବିରୋଧୀଙ୍କ ନାରାବାଜି ପରେ ଏମିତି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଭାଷଣ ଦେଉଥିବା ବେଳେ ବିରୋଧୀଦଳ ନେତା ତଥା କଂଗ୍ରେସ ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀ ବାରମ୍ବାର ବିଭ୍ରାଟ ସୃଷ୍ଟି କରିଥିଲେ। ଏହା ଶୁଣି ପ୍ରଧାନମନ୍ତ୍ରୀ ତାଙ୍କୁ ଦାଦା କହି ବୁଝାଇବାକୁ ଚେଷ୍ଟା କରିଥିଲେ। ବାଚସ୍ପତି ମଧ୍ୟ ନାରାବାଜୀ ନ କରିବାକୁ ତାଙ୍କୁ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି କୃଷି ଆଇନ ଉପରେ କହୁଥିବା ବେଳେ ବିରୋଧୀମାନେ ବାରମ୍ବାର ହଟଗୋଳ କରିଥିଲେ। ଏଥିଯୋଗୁ ମୋଦି କହିଥିଲେ, ହଟଗୋଳ ଓ ବିଭ୍ରାଟ ନ କଲେ କୃଷି ଆଇନକୁ ନେଇ ଯେଉଁ ମିଥ୍ୟା ପ୍ରଚାର କରାଯାଉଛି, ତା’ର ପର୍ଦ୍ଦାଫାଶ ହୋଇଯିବ। କୃଷି ଆଇନ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ନୂତନ କୃଷି ଆଇନ ସମ୍ପୂର୍ଣ୍ଣ ଇଚ୍ଛାଧୀନ। ଯେଉଁମାନେ ଚାହିଁବେ କୃଷି ଆଇନକୁ ବିକଳ୍ପ ଭାବେ ବ୍ୟବହାର କରିପାରିବେ। ଯେଉଁମାନେ ପୁରୁଣା ବ୍ୟବସ୍ଥାରେ ଚାଷ କରିବେ ଏବଂ ନିଜର ଉତ୍ପାଦ ବିକ୍ରି କରିବାକୁ ଚାହିଁବେ ଏହାକୁ କେହି ଅଟକାଇ ପାରିବେ ନାହିଁ। ପୂର୍ବରୁ ଥିବା ମଣ୍ଡି ବ୍ୟବସ୍ଥାକୁ ଅଧିକ ଅତ୍ୟାଧୁନିକ କରିବାକୁ ସରକାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ପୁରୁଣା ବ୍ୟବସ୍ଥା କୁଆଡେ ଯିବ ନାହିଁ। ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଜାରି ରହିବ। ସରକାର ଆନ୍ଦୋଳନରତ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ରହିଛନ୍ତି।

Share