ଆଜିଠୁ ଗଡ଼ିବ ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ୍‌, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୫ା୯(ଅନୁରାଧା ମହାରଣା): ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳର ରବିବାର ଶୁଭାରମ୍ଭ ହେବ। ଝାଡ଼ଖଣ୍ଡସ୍ଥିତ ଟାଟାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ। ଶନିବାର ଏହାର ଟ୍ରାଏଲ ରନ୍‌ କରାଯାଇଥିବାବେଳେ ବିଭିନ୍ନ ଷ୍ଟେଶନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବ୍ରହ୍ମପୁର ରେଳଷ୍ଟେଶନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଭୁବନେଶ୍ୱର ରେଳଷ୍ଟେଶନ ପର୍ଯ୍ୟନ୍ତ ଯାତ୍ରା କରିବେ। ବ୍ରହ୍ମପୁର ସମେତ ବାଲୁଗାଁ, ଖୋର୍ଦ୍ଧାରୋଡ୍‌, ଭୁବନେଶ୍ୱର, କଟକ, ଯଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ଓ କେନ୍ଦୁଝର ରେଳ ଷ୍ଟେଶନରେ ଏକ କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ବାଲୁଗାଁ ଷ୍ଟେଶନରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଖୋର୍ଦ୍ଧାରୋଡ୍‌ ରେଳଷ୍ଟେଶନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏମ୍‌ପି ସୁଲତା ଦେଓ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ରହିବେ। ସେହିପରି ଭୁବନେଶ୍ୱର ରେଳଷ୍ଟେଶନରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଏମ୍‌ପି ଅପରାଜିତା ଷଡଙ୍ଗୀ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କାର୍ଯ୍ୟକ୍ରମରେ ଯୋଡ଼ିହେବେ। କଟକ ଷ୍ଟେଶନରେ ଏମ୍‌ପି ଭର୍ତ୍ତୃହରି ମହତାବ, କଟକ ଚୌଦ୍ୱାର ବିଧାୟକ ସୌଭିକ୍‌ ବିଶ୍ୱାଳ, କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ଯୋଗଦେବାକୁ ଥିବାବେଳେ ଯଖପୁରା ଷ୍ଟେଶନରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ଏମ୍‌ପି ଡ. ରବୀନ୍ଦ୍ର ନାରାୟଣ ବେହେରା ଉପସ୍ଥିତ ରହିବେ। ହରିଚନ୍ଦନପୁରଠାରେ ତେଲକୋଇ ବିଧାୟକ ଡ. ଫକୀର ମୋହନ ନାୟକ ଏବଂ କେନ୍ଦୁଝରଗଡ଼ ଷ୍ଟେଶନରେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

Share