Categories: ଜାତୀୟ

ଟିକାକରଣ ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ,୧୧।୩: ୪ ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରିରେ ବିଧାନସଭା ର୍ନିବାଚନକୁ ଦୃଷ୍ଟିରେ ରଖି କୋଭିଡ-୧୯ ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଉଠାଇ ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ଘୋଷଣା କରିଛି। ନିର୍ବାଚନ କମିଶନଙ୍କ ନିକଟରୁ ନୋଟିସ ପାଇବା ପରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନା ଯୋଗ୍ୟ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) କୋଭିଡ-୧୯ ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉଥିବା ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଥିଲା। ଅଭିଯୋଗ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନିର୍ବାଚନ କମିଶନ ମାର୍ଚ୍ଚ ୬ରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ। ଏଥିରେ ବିଧାନସଭା ନିର୍ବାଚନର ହେବାକୁ ଥିବା ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ କମିଶନଙ୍କ ନିକଟରୁ ନୋଟିସ ପାଇବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କମିଶନଙ୍କ ନିର୍ଦ୍ଦେଶ ପାଳନ କରାଯିବ ବୋଲି କହିଥିଲେ।

Share