Categories: ଜାତୀୟ

୭ରେ ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୭ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଆସି ହଳଦିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେବେ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ଓ ସଡ଼କ ପରିବହନ ମନ୍ତ୍ରଣାଳୟ ଅଧୀନ ମୋଟ୍‌ ୪ ହଜାର ୭୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ରବିବାର ପଶ୍ଚିମବଙ୍ଗଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତର ସାମଗ୍ରିକ ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀ ୩ଟି ପ୍ରକଳ୍ପ ଯଥା ୩୪୭ କିଲୋମିଟର ଲମ୍ବ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ୍‌ ପାଇପଲାଇନ, ଭାରତ ପେଟ୍ରୋଲିୟମ କର୍ପୋରେଶନ(ବିପିସିଏଲ୍‌) ଦ୍ୱାରା ନିର୍ମିତ ଏଲ୍‌ପିଜି ଇମ୍ପୋର୍ଟ ଟର୍ମିନାଲ, ଜାତୀୟ ରାଜପଥ-୪୧ ହଳଦିଆର ରାଣୀଛକଠାରେ ୪ ଲେନ୍‌ ବିଶିଷ୍ଟ ଆର୍‌ଓବି-କମ୍‌-ଫ୍ଲାଏଓଭରର ଲୋକାର୍ପଣ କରିବା ସହ ଭାରତୀୟ ତୈଳ ନିଗମ(ଆଇଓସିଏଲ୍‌) ହଳଦିଆ ରିଫାଇନେରିର ଦ୍ୱିତୀୟ କାଟାଲିଟିକ୍‌ ଡିୱାକ୍ସିଂ ୟୁନିଟ୍‌ର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି ା ଏହାସହ ପ୍ରଧାନମନ୍ତ୍ରୀ ୩୪୭ କିଲୋମିଟର ଲମ୍ବ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ୍‌ ପାଇପଲାଇନର ଲୋକାର୍ପଣ କରିବେ। ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ପାଇପରେ ଗ୍ୟାସ୍‌ ଆସିବ। ଏହି ପ୍ରକଳ୍ପ ଦ୍ୱାରା ୧୫ ଲକ୍ଷ ମାନବ ଦିବସ ରୋଜଗାର ସୃଷ୍ଟି କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଯୁବକଙ୍କ ପାଇଁ ଆର୍ଥତ୍କ ସୁଯୋଗ ସୃଷ୍ଟି କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Share