ସ୍କୁଲରେ ମଦପିଇ ନାଚିଲେ ପ୍ରଧାନ ଶିକ୍ଷକ

ବାଲେଶ୍ୱର ଅଫିସ,୫।୪: ସ୍କୁଲକୁ ମଦ ପିଇ ଆସିଲେ ପ୍ରଧାନ ଶିକ୍ଷକ। ବିଦ୍ୟାଳୟ ପରିସରରେ ଶୋଇଲେ, ବହେ ନାଚିଲେ ପରେ ଅଭିଭାବକଙ୍କୁ ଦୁର୍ବ୍ୟବହାର କଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନସ୍ଥ କେଏମ୍‌ ସାହି ପଞ୍ଚାୟତର ତୋଟାପୋଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ।
ସୂଚନାଯୋଗ୍ୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁଚିରାମ ମାଣ୍ଡି ପ୍ରତ୍ୟେକ ଦିନ ମଦପିଇ ବିଦ୍ୟାଳୟକୁ ଆସିବା ସହିତ ପିଲାମାନଙ୍କୁ ପାଠ ନ ପଢ଼ାଇ ଶୋଇଥାନ୍ତି। ଏହା ସହିତ ନାଚ ଗୀତ କରି ପିଲାମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରନ୍ତି । ପ୍ରତିଦିନ ଭଳି ପ୍ରଧାନ ଶିକ୍ଷକ ମାଣ୍ଡି ବୁଧବାର ମଧ୍ୟ ମଦ ପିଇ ସ୍କୁଲକୁ ଆସିଥିଲେ । ପିଲାମାନଙ୍କୁ ପାଠ ନ ପଢ଼ାଇ ଶୋଇବା ସହିତ ବିଦ୍ୟାଳୟ ମଧ୍ୟରେ ଗୀତ ଗାଇ ନାଚୁଥିବାର ଦେଖିବାକୁ ମିଳିଥିଲା। ଅଭିଭାବକମାନେ ପ୍ରଧାନ ଶିକ୍ଷକଙ୍କର ଏଭଳି କାମକୁ ବିରୋଧ କରିଛନ୍ତି। ଏ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ଜାରି ରହିିଛି । ଏଭଳି ଶିକ୍ଷକ ଆମର ଦରକାର ନାହିଁ କହିବା ସହିତ ଗ୍ରାମବାସୀ ତାଙ୍କର ଅନ୍ୟତ୍ର ବଦଳି ଦାବି କରିଛନ୍ତି । ଖବରପାଇ ଜଳେଶ୍ୱର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି ।