ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ ନିଜ ମନ ମୁତାବକ ବିଦ୍ୟାଳୟକୁ ଆସୁଥିବାରୁ ଏହି ପରିସ୍ଥିତି ଦେଖାଦେଇଥିବା ବିଦ୍ୟାଳୟ ପରିଚାଳନା ସମିତି ଏବଂ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ୨୦୧୦ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ରହିଥିବା ବେଳେ ଦୁଇଜଣ ଶିକ୍ଷକ ରହିଛନ୍ତି। ପ୍ରଧାନଶିକ୍ଷକ ନିୟମିତ ଆସୁ ନାହାନ୍ତି। ଯେତେବେଳେ ବି ବିଦ୍ୟାଳୟ ଆସୁଛନ୍ତି ପିଲାଙ୍କୁ ଗାଳିଗୁଲଜ କରୁଥିବା ଚୌକି ଭଙ୍ଗା ରୁଜା କରୁଥିବା ପରିଚାଳନା ସମିତି ସଭାପତି ଅଭିଯୋଗ କରିଛନ୍ତି। ସମିତି ପକ୍ଷରୁ ଏପରି ନ କରିବାକୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ସେ କାହା କଥା ଶଣୁ ନ ଥିବା ଅଭିଯୋଗ ହେଉଛି। ବୁଧବାର ସମିତି ପକ୍ଷରୁ ବିଦ୍ୟାଳୟ ଦାୟିତ୍ୱରେ ଥିବା ସାଧନ କେନ୍ଦ୍ର ସଂଯୋଜକଙ୍କୁ ଅବଗତ କରି ବିଦ୍ୟାଳୟ ପରିଦର୍ଶନ କରିବାକୁ ଅନୁରୋଧ କରାଯାଇଥିଲା। ସେ ବିଦ୍ୟାଳୟରେ ପହଞ୍ଚତ୍ ପରିଚାଳନା ସମିତି ସଦସ୍ୟଙ୍କୁ ଭେଟି ତାଙ୍କଠାରୁ ଏକ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଏ ନେଇ ସାଧନ କେନ୍ଦ୍ର ସଂଯୋଜକ କୃତ୍ତିବାସ ବରିହାଙ୍କୁ ପଚାରିବାରୁ ପ୍ରଧାନଶିକ୍ଷକଙ୍କ ବିରୋଧରେ ପରିଚାଳନା ସମିତି ପକ୍ଷରୁ ଅଭିଯୋଗ ହୋଇଛି। ମୁଁ ଅଭିଯୋଗ ପତ୍ର ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଛି। ଅଧିକାରୀମାନେ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ସେହିପରି ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ଫକିର ଚରଣ ବିଶିଙ୍କୁ ପଚାରିବାରୁ ଅଭିଯୋଗ ପତ୍ର ମିଳିଛି। ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ପ୍ରଧାନଶିକ୍ଷକ କମଳ ହାତୀଖୁଜିଆଙ୍କୁ ତାଙ୍କ ମୋବାଇଲ ନଂ ୮୬୫୮୫୬୦୪୫୭ରେ ଯୋଗଯୋଗ କରାଯାଇଥିଲା। ରିଙ୍ଗ ହେବା ସତ୍ତ୍ୱେ ରିସିଭ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Share