ହସ୍ପିଟାଲରୁ ଚିକିତ୍ସାଧୀନ ଅବସ୍ଥାରେ କଏଦୀ ଫେରାର

ଝାରସୁଗୁଡ଼ା ଅଫିସ,୩୧ା୭: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବିଚାରାଧୀନ କଏଦୀ ଶନିବାର ବିଳମ୍ବିତ ରାତିରେ ଜେଲ ଓ୍ବାର୍ଡରକୁ ଚକମା ଦେଖାଇ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ଫେରାର କଏଦୀ ଜଣଙ୍କ ହେଲେ ବିହାର ମାଧୋପୁର ଥାନା ବୋଥନା ଗ୍ରାମର ଇନ୍ଦ୍ରଜିତ ସାହାଣୀ(୨୫)। ଏହା ଜଣାପଡ଼ିବା ପରେ ଜେଲ ସୁପରିଟଣ୍ଡେଣ୍ଟ ଲକ୍ଷ୍ମୀକାନ୍ତ ଧାଙ୍ଗଡ଼ା ମାଝି ଝାରସୁଗୁଡ଼ା ଟାଉନ ଥାନାରେ ଫେରାର କଏଦୀଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଝାରସୁଗୁଡା ଟାଉନ ଥାନା କେସ ନଂ. ୪୩୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏନେଇ ଜେଲ ସୁପରିଟେଣ୍ଡେଣ୍ଟ  ହସ୍ପିପିଟାଲରେ କଏଦୀଙ୍କୁ ଜଗି ରହିଥିବା କାର୍ଯ୍ୟରତ ଜେଲ ଓ୍ବାର୍ଡର କିଶୋର କୁମାର ଯୋଶୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବାବେଳେ ଅନ୍ୟ ୨ଜଣ ଜେଲ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଏନେଇ ଜେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି, ଫେରାର କଏଦୀଙ୍କୁ ଧରିବା ପାଇଁ ଜେଲ କର୍ତ୍ତୃପକ୍ଷ ଓ ପୋଲିସ ତରଫରୁ ତନାଘନା ଚାଲିଛି ।

ସୂଚନାଯୋଗ୍ୟ, ଫେରାର କଏଦୀ ଇନ୍ଦ୍ରଜିତଙ୍କୁ ଓରିଏଣ୍ଟ ଥାନା ପୋଲିସ ବ୍ରଜରାଜନଗରରୁ ଏକ ଟ୍ରକ୍‌ ଚୋରି ଅଭିଯୋଗରେ ଗିରଫ କରି ଗତ ୨୬ ତାରିଖରେ କୋର୍ଟ ଚାଲାଣ କରିଥିଲା। କୋର୍ଟରେ ହାଜର ହେବା ପରେ ମାଜିଷ୍ଟ୍ରେଟ ତାଙ୍କୁ ଜେଲ ହାଜତକୁ ପଠାଇ ଦେଇଥିଲେ। ସବ୍‌ ଜେଲରେ ସେ ବିଚାରାଧୀନ କଏଦୀ ଭାବେ ରହିଥିଲେ। ଗତ ୨୭ ତାରିଖରେ ସେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରି ଅସୁସ୍ଥ ହୋଇପଡ଼ିଥିଲେ। ତା’ପରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କର ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

Share