ପାନୀୟ ଜଳ ସମସ୍ୟା: ଶୁଣ୍ଢିଝୋଲାବାସୀଙ୍କୁ ଚୁଆପାଣି ଭରସା

ନୂଆଗାଁ,୧୬।୪ (ଡି.ଏନ.ଏ.): ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାପରେ ବି ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ। ପ୍ରତି ଗାଁକୁ କିଭଳି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ସେଥିପାଇଁ ସରକାର ଗୁରୁତ୍ୱାରୋପ କରଛନ୍ତି। ଏଥିପାଇଁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରକଳ୍ପ ନିର୍ମାଣ କରାଯାଉଛି। ହେଲେ କେତେଜଣ ଅଧିକାରୀ ଓ କର୍ମଚାରୀଙ୍କ ଖାମଖିଆଲ ନୀତି ଯୋଗୁ ତାର ସଫଳତା ଲୋକେ ପାଇ ପାରୁ ନ ଥିବା ଅଭିଯୋଗ ହୋଇଛି।
୨୦୧୭ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମେ ପାନୀୟ ଜଳ ଯୋଗାଣ ସମସ୍ୟାକୁ ଦୂର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତେଣୁ ଅର୍ଥ ବ୍ୟୟ କରି ବିଭିନ୍ନ ସ୍ଥାନରେ ଜଳ ପ୍ରକଳ୍ପମାନ ନିର୍ମାଣ କରାଗଲା । ପ୍ରକଳ୍ପ ନିର୍ମାଣରେ ବିଭାଗୀୟ ଅଧିକାରୀ ଯନ୍ତ୍ରୀ ଓ ଠିକାଦାର ଲାଭବାନ ହେଲେ କିନ୍ତୁ ଜନ ସାଧାରଣଙ୍କୁ କୌଣସି ସୁଫଳ ମିଳିଲା ନାହିଁ। ପ୍ରକଳ୍ପ ନିର୍ମାଣ କରାଗଲା ହେଲେ ସେହି ପ୍ରକଳ୍ପଗୁଡିକୁ କାର୍ଯ୍ୟକ୍ଷମ କରାଗଲା ନାହିଁ । ପୂର୍ବପରି ପାନୀୟ ଜଳ ଅଭାବରୁ ନଦୀର ଚୂଆ ପାଣିକୁ ଭରସା କରୁଛନ୍ତି ଲୋକେ। ଏପରି ସମସ୍ୟା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିଙ୍ଗାରପଲୀ ପଞ୍ଚାୟତର ଶୁଣ୍ଢିଝୋଲା ଗ୍ରାମରେ।
ସିଙ୍ଗାରପଲି ଶୁଣ୍ଢିଝୋଲା ଗ୍ରାମରେ ବାସ କରୁଥିବା ୫ ଶହ ପରିବାରଙ୍କ ବ୍ୟବହାର ପାଇଁ ୩ ନଳକୂପ ଖନନ କରାଯାଇଛି । କିନ୍ତୁ ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେହି ୩ ନଳକୂପ ଜଳ ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ । ତେଣୁ ମହିଳାମାନେ ପ୍ରତିଦିନ ନିକଟସ୍ଥ ନଦୀରେ ଚୂଆ ଖୋଳି ସେଥିରୁ ପାଣି ଆଣି ବ୍ୟବହାର କରୁଛନ୍ତି। ବର୍ଷସାରା ସେମାନେ ଚୂଆ ପାଣିକୁ ଭରସା କରି ଚଳି ଆସୁଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଉପରୋକ୍ତ ଗାଁରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ସ୍ଥିର ହୋଇଥିଲା। ଟେଣ୍ଡର ମାଧ୍ୟମରେ ଠିକାଦାଙ୍କୁ କାମ ଦିଆଯାଇଥିଲା । ୪୫ ଲକ୍ଷ ଟଙ୍କା ବ୍ୟୟରେ ପାଣିଟାଙ୍କି ନିର୍ମାଣ କାର୍ଯ୍ୟ ଶେଷ ହେବାର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକ୍ଷମ ହେଉ ନାହିଁ । ଫଳରେ ଲୋକମାନେ ପୂର୍ବଭଳି ଦୁର୍ଦ୍ଦଶା ଭୋଗୁଛନ୍ତି । ଏ ନେଇ ତିନି ବର୍ଷ ହେଲା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି କିମ୍ବା ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା ହେଉନାହିଁ। ନୂଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ଅବଗତ କରାଇବାରେ ସେ ତୁରନ୍ତ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଡାକି ସମସ୍ୟା ବିଷୟରେ ବୁଝିବା ସହ ଗ୍ରାମବାସୀଙ୍କୁ ଶୀଘ୍ର ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share