ଅସହ୍ୟ ଗୁଳୁଗୁଳି, ଚିନ୍ତା ବଢ଼ାଉଛି ବିଦ୍ୟୁତ୍‌କାଟ୍‌ ସମସ୍ୟା

ଦାରିଙ୍ଗବାଡ଼ି,୩୦ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ପ୍ରଚଣ୍ଡ ଖରା ସହ ଗରମ ବୃଦ୍ଧି ପାଇଛି। ବୁଧବାର ଦାରିଙ୍ଗବାଡ଼ିରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଆର୍ଦ୍ରତା ୯୦ ପ୍ରତିଶତ ରହିଥିଲା। ତେବେ ବିଳମ୍ବିତ ରାତି ତଥା ଗୁରୁବାର ଭୋର୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌କାଟ୍‌ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଫଳରେ ଲୋକେ ଘରେ ରହିପାରି ନ ଥିଲେ। ଗରମରୁ ତ୍ରାହି ପାଇବା ପାଇଁ ଏକାଧିକ ଲୋକ ବାଇକ୍‌ରେ ଘୂରି ବୁଲୁଥିବା ଜଣାପଡ଼ିଛି। ଦାରିଙ୍ଗବାଡ଼ିର ଯୁବକ ନିହାର ରଞ୍ଜନ ସାହୁ କହିଛନ୍ତି, ଯେଉଁ ଭଳି ଗରମ ହେଲା ଓ ଆର୍ଦ୍ରତା ବୃଦ୍ଧି ଯୋଗୁ ଅଣନିଃଶ୍ୱାସୀ ହୋଇଗଲୁ। ବାଧ୍ୟ ହୋଇ ଏକାଧିକ ବାଇକ୍‌ରେ ପରିବାର ଓ ସାଙ୍ଗସାଥୀ ଜାତୀୟ ରାଜପଥ ଘୁରି ବୁଲିଲୁ। ଏହା ପରେ ଗରମରୁ ରକ୍ଷା ପାଇଲୁ ବୋଲି ସେ କହିଛନ୍ତି।
ସେହିପରି ବୁଡ଼ାଗୁଡା, ତିଲୋରୀ, ସିମନବାଡ଼ି, ଶ୍ରାନିକେତା, କିରିକୁଟି, ଦାରିଙ୍ଗବାଡ଼ି, ଗ୍ରୀନବାଡ଼ି, ସିଆଙ୍ଗବାଲି, ଭ୍ରମରବାଡ଼ି, ଦାସିଙ୍ଗବାଡ଼ି ଆଦି ଅଞ୍ଚଳର ବିଦ୍ୟୁତ୍‌ ଉପଭୋକ୍ତା ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇବା ସହ ଅସନ୍ତୋଷ ହୋଇଛନ୍ତି। ଏନେଇ ବିଦ୍ୟୁତ୍‌ ବିଭାଗର ସହକାରୀ ଯନ୍ତ୍ରୀ ଶିବପ୍ରସାଦ ନାୟକ କହିଛନ୍ତି, ଜି. ଉଦୟଗିରି ଓ ଫିରିଙ୍ଗିଆରୁ ଦାରିଙ୍ଗବାଡ଼ିକୁ ୩୩ କେଭି ବିଦ୍ୟୁତ୍‌ ସଂଯୋଗ ହୋଇଛି। ବୁଧବାର ୨ଟି ଫିଡ଼ର ବ୍ରେକ୍‌ଡାଉନ ହୋଇଥିଲା ବୋଲି କହିଛନ୍ତି।

Share
Tags: hot day