Categories: ଜାତୀୟ

୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ପ୍ରକ୍ରିୟା ଆଜି ଠାରୁ ଆରମ୍ଭ… ବ୍ୟାଙ୍କରେ ଦେଖିବାକୁ ମିଳିଲାନି ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୨୩।୫: ଦେଶର ବିଭିନ୍ନ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ଆରମ୍ଭ ହୋଇଛି। ମେ ୧୯ ଶୁକ୍ରବାର ଦିନ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା। ଆରବିଆଇ ନୋଟିସ୍‌ ଜାରି କରି କହିଥିଲା ଯେ, ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୨ ହଜାର ଟଙ୍କିଆ ନୋଟ୍‌କୁ ବ୍ୟାଙ୍କରେ ଜମା କରିପାରିବେ କିମ୍ବା ବଦଳାଇ ପାରିବ। ୨ ହଜାର ଟଙ୍କିଆ ବ୍ୟାନ୍‌ ହୋଇ ନାହିଁ। ଏହାର ବୈଧତା ଏବେ ବି ଅଛି ଏବଂ ସେପ୍ଟେମ୍ବର ୩୦ ପରେ ମଧ୍ୟ ରହିବ। ତେଣୁ ଆତଙ୍କିତ ନ ହୋଇ ଟଙ୍କା ଜମା କରନ୍ତୁ।

ଆରବିଆଇ କହିଥିଲା ଯେ, ୨ ହଜାର ଟଙ୍କିଆ ନୋଟ୍‌ ଜମା କରିବା ପାଇଁ କୌଣସି ପ୍ରମାଣ ପତ୍ର, ଡକ୍ୟୁମେଣ୍ଟ କିମ୍ବା ଫର୍ମ ପୂରଣ କରିବାକୁ ପଡିବ ନାହିଁ । ହେଲେ ସୋସିଆଲ ମିଡିଆରେ ଗୋଟିଏ ଫର୍ମ ଭାଇରାଲ ହେବାରେ ଲାଗିଛିି। କୁହାଯାଉଛି ଯେ, ନୋଟ୍‌ ବଦଳାଇବା ପାଇଁ ଗ୍ରାହକଙ୍କୁ ଏହି ଫର୍ମ ପୂରଣ କରିବାକୁ ପଡୁଛି

ଉତ୍ତରପ୍ରଦେଶର ମୁରାଦାବାଦ ବିଭିନ୍ନ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ପାଇଁ କାଉଣ୍ଟର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ନୋଟ୍‌ ବଦଳାଇବା ଏବଂ ଜମା କରିବା ପାଇଁ ବେଶୀ ଲୋକଙ୍କୁ ଦେଖିବାକୁ ମିଳି ନ ଥିଲା। ସାଧାରଣ ଦିନ ଭଳି ଲୋକମାନେ ବ୍ୟାଙ୍କରେ ପହଞ୍ଚି ସେମାନଙ୍କର କାମ କରୁଥିଲେ। କେବଳ ବ୍ୟବସାୟୀଙ୍କ ଦ୍ୱାରା ୨ ହଜାର ଟଙ୍କିଆ ନୋଟ୍‌ ଜମା କରାଯାଇଥିଲା।

୨ହଜାର ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ମାମଲାରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ନିଜର ପକ୍ଷ ରଖି କହିଛି ଯେ, ୨ ହଜାର ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ବିମୁଦ୍ରୀକରଣ ନୁହେଁ ବରଂ ଏହା ଏକ ଆଇନଗତ ପ୍ରକ୍ରିୟା ତେଣୁ ଏହାକୁ ବଦଳାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ବେଞ୍ଚ ଶୁଣାଣିରେ କହିଛନ୍ତି, ଏହି ମାମଲାକୁ ଅନୁଧ୍ୟାନ କରି ଉପଯୁକ୍ତ ଶୁଣାଣି କରିବୁ।

Share