ର଼୍ୟାଗିଂରେ ସାମିଲ ଥିଲେ ଅଧ୍ୟାପକ

ବଲାଙ୍ଗୀର ଅଫିସ,୬ା୫: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷ ମେଡିକାଲ ଛାତ୍ର ନିଶାନ୍ତ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସାଂଘାତିକ ମୋବାଇଲ ଚାଟିଂ ଲୋକଲୋଚନକୁ ଆସିଛି। ନିଶାନ୍ତଙ୍କ ବାପା ପ୍ରଫେସର କ୍ରିଷ୍ଣ କୁମାର ଏକ ଚାଞ୍ଚଲ୍ୟକର ବୟାନ ଦେଇ ଭୀମ ଭୋଇ ମେଡିକାଲ କଲେଜରେ ଚାଲିଥିବା ର଼୍ୟାଗିଂରେ ସିନିୟର ଛାତ୍ରଙ୍କ ସହ କେତେକ ଅଧ୍ୟାପକ ସାମିଲ ଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ର଼୍ୟାଗିଂରେ ସମ୍ପୃକ୍ତ ଦୋଷୀ ସିନିୟର ଛାତ୍ର ଓ ଅଧ୍ୟାପକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଗିରଫ କରିବାକୁ ଅନୁରୋଧ କରିଛନ୍ତି।
ମୃତ ଛାତ୍ର ନିଶାନ୍ତ ତାଙ୍କର ଜଣେ ବନ୍ଧୁଙ୍କୁ ମୋବାଇଲ ଚାଟିଂ କରି ଭୀମ ଭୋଇ ମେଡିକାଲ କଲେଜରେ କିଭଳି ସିନିୟର ଛାତ୍ରମାନେ ଜୁନିୟରଙ୍କୁ ର଼୍ୟାଗିଂ କରୁଥିଲେ ତାହା ଉଲ୍ଲେଖ କରିଥିଲେ। ଉକ୍ତ ମୋବାଇଲ ଚାଟିଂ ପୂର୍ବରୁ ଭାଇରାଲ ହୋଇଥିଲା। ଏବେ ମିଳିଥିବା ଏକ ସଦ୍ୟତମ ମୋବାଇଲ ଚାଟିଂରେ ନିଶାନ୍ତ ଉଲ୍ଲେଖ କରିଛନ୍ତି ଯେ, ସିନିୟର ଛାତ୍ରଙ୍କ ଲାବୋରେଟୋରି ମାନୁଆଲ ଜୁନିୟର ଛାତ୍ରଙ୍କୁ ଲେଖିବାକୁ ପଡିବ ବୋଲି କଲେଜ ଅଧ୍ୟାପକ ଚାପ ପକାଉଥିଲେ। ଯେଉଁ ଜୁନିୟର ଛାତ୍ରଙ୍କ ହାତଲେଖା ଭଲ ଅଛି ତାଙ୍କୁ ଅଧିକ ଲେଖିବାକୁ ପଡିବ ବୋଲି କୁହାଯାଇଛି। ଏହାସହିତ ଉକ୍ତ କଲେଜରେ ମାନସିକ ର଼୍ୟାଗିଂ କରାଯାଇଥିବାବେଳେ ଓଡ଼ିଶାର ପୁରୁଣା କଲେଜରେ ଯୌନ ନିର୍ଯାତନା ଦିଆଯାଉଥିବା କଥା ମଧ୍ୟ ସେ ଉକ୍ତ ଚାଟିଂରେ ଉଲ୍ଲେଖ କରିଛନ୍ତି। ଏହି ଚାଟିଂକୁ ପ୍ରଫେସର କ୍ରିଷ୍ଣ କୁମାର ଏସ୍‌ପିଙ୍କ ନିକଟକୁ ପଠାଇ ଏ ଦିଗରେ ତଦନ୍ତ କରିବାକୁ ଅନୁରୋଧ କରିଥିବା ଜଣାପଡିଛି। ଏହି କଲେଜରେ ବହୁଳ ଭାବେ ର଼୍ୟାଗିଂ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। କଲେଜ ଅଧ୍ୟାପକମାନେ ର଼୍ୟାଗିଂ ରୋକିବା ବଦଳରେ ସେଥିରେ ସେମାନେ ସାମିଲ ହେଉଥିବା ଉଲ୍ଲେଖ କରିଛନ୍ତି। ର଼୍ୟାଗିଂରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ଚିହ୍ନଟ କରି ଗିରଫ କରିବାକୁ ସେ ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି। ଏ ଦିଗରେ ତଦନ୍ତ କରାଯିବ ବୋଲି ଏସ୍‌ପି କୁଶଲକର କହିଥିବା ନିଶାନ୍ତଙ୍କ ବାପା ପ୍ରଫେସର କ୍ରିଷ୍ଣ କୁମାର ଜଣାଇଛନ୍ତି।
ଗତ ଏପ୍ରିଲ ୨୨ରେ କଲେଜ ପରିସରସ୍ଥ ୫ ମହଲା ବିଶିଷ୍ଟ ଛାତ୍ରାବାସ ଛାତ ଉପରୁ ପଡି ନିଶାନ୍ତଙ୍କ ମୃତ୍ୟୁ ହୋଇଥିବା ଘଟଣା ଲୋକଲୋଚନକୁ ଆସିଥିଲା।

Share