ଭଞ୍ଜନଗର,୧୩।୬(ଡି.ଏନ.ଏ): ଯୁକ୍ତ୨ କଳା ଦ୍ୱିତୀୟ ବର୍ଷ ପରୀକ୍ଷା ଖାତା ମୂଲ୍ୟାଙ୍କନ ଗତ ୨ତାରିଖରୁ ଆରମ୍ଭ ହୋଇଛି। କଳାର ଅଧିକାଂଶ ବିଷୟର ପ୍ରଥମ ଫେଜ୍ ମୂଲ୍ୟାଙ୍କନ ରବିବାର ସୁଦ୍ଧା ସରିବାକୁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଆବଶ୍ୟକ ଅଧ୍ୟାପକ କାର୍ଯ୍ୟରେ ଯୋଗ ଦେଇନଥିବା ଯୋଗୁ ମୂଲ୍ୟାଙ୍କନ ବିଳମ୍ବ ହେଉଛି। ଦ୍ୱିତୀୟ ଫେଜ୍ କଳା ମୂଲ୍ୟାଙ୍କନ ସୋମବାର ଆରମ୍ଭ ହେବାକୁ ଥିବା ବେଳେ ତାହାକୁ ଆସନ୍ତା ୧୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ବିଭିନ୍ନ କାରଣ ଯୋଗୁ ରାଜ୍ୟର ବିଭିନ୍ନ ମୂଲ୍ୟାଙ୍କନ କେନ୍ଦ୍ରରେ ଶତାଧିକ ଅଧ୍ୟାପକ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଏହାର କାରଣ ଜାଣିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶନିବାର ପଦକ୍ଷେପ ନିଆଯାଇଥିତ୍ବା ଜଣାପଡ଼ିଛି । ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଚାଲିଥିବା ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ରବିବାର ପ୍ରାୟ ସରିଯାଇଛି। ଜୁନ୍ ଶେଷ ସପ୍ତାହ ସୁଦ୍ଧା ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶନ ହେଉଥିବା ବେଳେ ଚଳିତବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶନ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଦ୍ୱିତୀୟ ଫେଜ୍ ମୂଲ୍ୟାଙ୍କନ ଜୁଲାଇ ପ୍ରଥମ ସପ୍ତାହରେ ସରିବ। ତେଣୁ ପରୀକ୍ଷା ଫଳ ପ୍ରକାଶନରେ କିଛିଦିନ ବିଳମ୍ବ ହେବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଯୁକ୍ତ ୩ ପଞ୍ଚମ ସେମିଷ୍ଟର କଳା, ବାଣିଜ୍ୟ ଓ ବିଜ୍ଞାନ ର ମୂଲ୍ୟାଙ୍କନ ବିଭିନ୍ନ କେନ୍ଦ୍ରରେ ଆରମ୍ଭ ହୋଇଛି। ତେବେ ଆବଶ୍ୟକ ଅଧ୍ୟାପକ ନଥିବା ଯୋଗୁ ମୂଲ୍ୟାଙ୍କନରେ ବିଳମ୍ବ ହେବା ଆଶଙ୍କା ରହିଛି। ରବିବାର ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୩ ପଞ୍ଚମ ସେମିଷ୍ଟରର ମୂଲ୍ୟାଙ୍କନ ଆରମ୍ଭ ହୋଇଛି। କଲେଜ ଅଧ୍ୟକ୍ଷ ଡ଼.ସୁବାସ ଚନ୍ଦ୍ର ପ୍ରଧାନ ପୂଜାର୍ଚ୍ଚନା କରିବା ପରେ ମୂଲ୍ୟାଙ୍କନ ଆରମ୍ଭ ହୋଇଥିଲା । ଏହି ସମୟରେ ପରୀକ୍ଷା ଦାୟିତ୍ୱରେ ଥିତ୍ବା ପ୍ରାଧ୍ୟାପିକା ଆରତିବାଳା ପ୍ରଧାନ, ପ୍ରାଧ୍ୟାପକ ରାଜେନ୍ଦ୍ର କୁମାର ଦାସ, ସାତ୍ୟକି ସାହୁ, ମୁଖ୍ୟ କିରାଣୀ ଏସ୍.ଛାୟା ରାଓ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ କାରଣ ଯୋଗୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ପରୀକ୍ଷା ଗୁଡ଼ିକ ବିଳମ୍ବ ହେଉଛି । ଷଷ୍ଠ ସେମିଷ୍ଟର ପରୀକ୍ଷା ଜୁଲାଇ ୮ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖରେ ସରିବ। ଏହାପରେ ଖାତା ମୂଲ୍ୟାଙ୍କନ କରାଯିବ।