ଢେଙ୍କାନାଳ ଅଫିସ, ୧୨ା୭: ଢେଙ୍କାନାଳ ସହର ଉପକଣ୍ଠ କଲେଜ ବାଇପାସ୍ ଛକଠାରୁ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ ପ୍ରସ୍ତାବକୁ ମୋହର ବାଜିପାରୁନି। ଏହି ରାସ୍ତାର ଉନ୍ନତୀକରଣ ଲାଗି ଗତ ଫେବୃୟାରୀରୁ ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି। ହେଲେ କରୋନା ପ୍ରାଦୁର୍ଭାବ ଯୋଗୁ ଫାଇଲ୍ ଆଗକୁ ବଢ଼ିପାରୁନାହିଁ। ଫଳରେ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତାର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।
କଲେଜ ବାଇପାସ୍ ଛକରୁ କୁଞ୍ଜକାନ୍ତ-ଗୁଡିଆନାଳୀ ଛକ ଦେଇ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୩ କିମି ବିଶିଷ୍ଟ ଏହି ରାସ୍ତାକୁ ଦୁଇଥାକିଆ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଯୋଜନା କରାଯାଇଥିଲା। ଯାନବାହନ ଚଳାଚଳ ସୁବିଧା ଲାଗି ଏଥିରେ ଡିଭାଇଡର କରାଯିବାକୁ ଯୋଜନା ରହିଥିଲା। ରାସ୍ତା ନିର୍ମାଣ ହୋଇଥିଲେ ଟ୍ରାଫିକ୍ ସମସ୍ୟା ଅନେକାଂଶରେ ଦୂର ହୋଇପାରନ୍ତା। ହେଲେ ପ୍ରସ୍ତାବ ଅନୁମୋଦନ ହେବା ପୂର୍ବରୁ କରୋନା ଏଥିରେ କଣ୍ଟା ସାଜିଥିବା ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, କରୋନା ନିୟନ୍ତ୍ରଣାଧୀନ ହେବାପରେ ଏହି ପ୍ରସ୍ତାବ ଅନୁମୋଦନ ହେବ ବୋଲି ଅନୁମାନ କରାଯାଉଛି। ଏହାପରେ କାର୍ଯ୍ୟ ଆରମ୍ଭ ହେବ।