ଏସ୍‌ସିବିରେ କାର୍ଯ୍ୟକ୍ଷମ ହେବ ପ୍ରସ୍ତାବିତ କୋଭିଡ୍‌ ହସ୍ପିଟାଲ

କଟକ ଅଫିସ,୨ା୯:ଏସ୍‌ସିବି ଆଇସୋଲେଶନ ୱାର୍ଡରେ ବର୍ତ୍ତମାନ କ୍ଷମତାଠାରୁ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ଚିକିତ୍ସା କରାଯାଉଛି। ଏଥିଯୋଗୁ ରୋଗୀ ସେବା ପ୍ରଭାବିତ ହେବା ସହ ରୋଗୀ, ରୋଗୀ ସମ୍ପର୍କୀୟ ଓ ସ୍ବାସ୍ଥ୍ୟକର୍ମୀମାନେ ଏକ ପ୍ରକାର ମାନଶିକ ଚାପ ମଧ୍ୟରେ ଗତି କରୁଛନ୍ତି ା ତେଣୁ ସ୍ଥିତିରେ ସୁଦ୍ଧାର ଆଣିବା ପାଇଁ ଏସ୍‌ସିବି ମେଡିକାଲ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡା.ବିପିନ୍‌ ବିହାରୀ ପ୍ରଧାନଙ୍କ ପୌରୋହିତ୍ୟରେ ଏକ ଜରୁରୀକାଳୀନ ବୈଠକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଅତିରିକ୍ତ ମେଡିକାଲ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ଡା. ବି. କେ. ଦାସ କହିଥିଲେ, ଆସନ୍ତା ୭ ଦିନ ମଧ୍ୟରେ ଏସ୍‌ସିବିରେ ୨୫୦ ଶଯ୍ୟାବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଯୋଜନା ରହିଛି। ସେହିପରି ଅଧ୍ୟକ୍ଷ ପ୍ରଧାନ କହିଥିଲେ, କରୋନା ଯୋଗୁ ରାଜ୍ୟ ଏକ ପ୍ରକାର ସଂକଟ ସମୟ ଦେଇ ଗତି କରୁଛି ା ତେଣୁ ଏଭଳି ସମୟରେ ଡାକ୍ତର ଓ ଡାକ୍ତରୀ ଛାତ୍ରମାନେ କାର୍ଯ୍ୟ ବନ୍ଦ କିମ୍ବା ଆନ୍ଦୋଳନ ନିଷ୍ପତ୍ତିରୁ ନିବୃତ୍ତ ରହିବାକୁ ସେ ନିବେଦନ କରିଥିଲେ। ସେହିପରି ଆଲୋଚନାର ସମସ୍ତ ବିଷୟକୁ ପ୍ରାଥମିକତା ଆଧାରରେ ବିଚାରକୁ ନିଆଯିବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରଖାଯିବ ବୋଲି ସେ କହିଥିଲେ। ବୈଠକରେ ପିଜି ଡାକ୍ତରୀ ଛାତ୍ର ସଂଘ ସଭାପତି ଡା. ଆଶିଷ ମିଶ୍ର ଯୋଗଦେଇ କର୍ତ୍ତବ୍ୟରତ ଡାକ୍ତରଙ୍କ ସୁରକ୍ଷା ଓ କୋଭିଡ ପ୍ରୋତ୍ସାହନ ପାଇଁ ଦାବି କରିଥିଲେ। ଏହା ବ୍ୟତିତ ପିଜି ପ୍ରଥମ ବର୍ଷର ଛାତ୍ରମାନଙ୍କୁ ପର୍ଯ୍ୟାୟକ୍ରମେ ଆଭ୍ୟନ୍ତରୀଣ ଅଞ୍ଚଳରୁ ଆଣି ଏସ୍‌ସିବିରେ ନିୟୋଜିତ କରିବାକୁ ପ୍ରସ୍ତାବ ଦେଇଥିଲେ। କାର୍ଡିଓଲୋଜି ବିଭାଗର ଏଚ୍‌ଓଡି ଡା. ଏସ୍‌. ଏନ୍‌. ରାଉତରାୟ ଆଇନଶୃଙ୍ଖଳା ନିମନ୍ତେ ଡିସିପି ଓ ମଙ୍ଗଳାବାଗ ଆଇଆଇସିଙ୍କ ସହ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ ା

Share